ଗଣେଶ ପୂଜାରେ ନିଲାମ ହେବ ୪ ଟନ୍ର ଆଜ୍ଞାଲଡୁ   : ଭସାଣି ଶୋଭାଯାତ୍ରାରେ ସାମିଲ ହେବେ ୩୫ ମେଢ

ତାଳଚେର : ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଭସାଣୀ ଉତ୍ସବରେ ୩୫ ଗୋଟି ମେଢ ସାମିଲ ହେବେ । ଏ ନେଇ ସ୍ଥାନୀୟ ଦେଉଳବେଡା କୋଲିୟରୀ ଡିସିଆଇ କ୍ଲବ୍ ହାଉସ୍ ଠାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ସହ ଭସାଣୀ ଶୋଭାଯାତ୍ରାରେ ସାମିଲ ହେବାକୁ ମେଢ ଗୁଡିକର ଲଟେରୀ ଉଠାଣ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଏସ୍ଡିପିଓ ଭରତ ଚନ୍ଦ୍ର ସାହୁ ଓ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି କାଉନ୍ସିଲର ସ୍ୱାଧୀନ ଥମ୍ୱ ଯୋଗ ଦେଇ ପୂଜା ଦିନ ଗୁଡିକରେ ଏବଂ ଭସାଣୀ ଶୋଭାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଭିନ୍ନ ସବ୍ କିମିଟି ଘୋଷଣା ହୋଇଥିଲା । ଭସାଣି ପୂର୍ବଦିନ ଅପରାହ୍ନରେ ଲଡୁ ନିଲାମ ହେବ । ଚଳିତ ବର୍ଷ ୪ ଟନ୍ ଓଜନ ବିଶିଷ୍ଟ ଆଜ୍ଞାଲଡୁ ନିଲାମ କରାଯିବ । ଭସାଣି ଶୋଭାଯାତ୍ରାରେ ମେଢ ଗୁଡ଼ିକ ବଡଦାଣ୍ଡସାହି ସ୍ଥିତ ମେଲଣ ପଡିଆରେ ଏକତ୍ରିତ ହେବା ପରେ କ୍ରମାନ୍ୱୟରେ ଯିବେ ।  ଭସାଣିରେ ଡିଜେ ନିଷିଦ୍ଧ ହୋଇଥିବା ବେଳେ ସାଉଣ୍ଡ ସିଷ୍ଟମକୁ ଛାଡି ସର୍ବାଧିକ ୫ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇପାରିବ । ଏହି ବୈଠକରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର ମଞ୍ଚ ସଞ୍ଚାଳନା କରିଥିବା ବେଳେ ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା ବୈଠକ ସମ୍ୱନ୍ଧୀୟ ସୂଚନା ପ୍ରଦାନ କରିଥିଲେ ।  ସାଧାରଣ ସମ୍ପାଦକ ଦିଲ୍ଲୀପ ପାଣି ବିବରଣୀ ପାଠ କରି ବିଭିନ୍ନ ସମସ୍ୟା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନିମନ୍ତେ ଅନୁରୋଧ କରିଥିଲେ । କୋଷାଧ୍ୟକ୍ଷ ରଣଜିତ ମହାପାତ୍ର ଲଟେରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଯୁଗ୍ମ ସମ୍ପାଦକ ସୌଭାଗ୍ୟ ମହାରଣା, ନିରୋଜ ଦାସ, ଉପଦେଷ୍ଟା କେଶବ ଭୂତିଆ ଓ ଇଂ ରମେଶ ବେହେରା ପ୍ରମୁଖ ଶାନ୍ତିଶୃଙ୍ଖଳାରେ  ପୂଜା ସମାପନ ଉପରେ ଗୁରୁତ୍ୱାରୋପ କରିଥିଲେ ।   ଉଲ୍ଲେଖଯୋଗ୍ୟ ଯେ, ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଅଗଷ୍ଟ ୨୭ ତାରିଖ ଠାରୁ ଆରମ୍ଭ ହେବ ଓ ସେପ୍ଟେମ୍ୱର ୭ ତାରିଖ ଇନ୍ଦୁପୂର୍ଣ୍ଣିମା ଦିନ ପ୍ରସିଦ୍ଧ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ତାଳଚେର କଲେଜ ପଡିଆରେ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର ହୋଇଛି ।  ଏଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।