ରାଜ୍ୟବ୍ୟାପୀ ରାଷ୍ଟ୍ରୀୟ ଲୋକ ଅଦାଲତ : ୧୨୮୭୭ ମାମଲା ଫଇସଲା

କଟକ : କଟକ ଜିଲ୍ଲା ଆଇନସେବା ପ୍ରାଧୀକରଣ ଆନୁକୂଲ୍ୟରେ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିସରରେ ଏବଂ ତାଲୁକ ସ୍ତରରେ ୨୦୨୫ ରାଜ୍ୟବ୍ୟାପୀ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଜଷ୍ଟିସ ସଂଗମ କୁମାର ସାହୁ ଉକ୍ତ ଲୋକ ଅଦାଲତରେ ଯୋଗଦାନ କରି କୋର୍ଟ ପରିଦର୍ଶନ କରିଥିଲେ ଏବଂ ଲୋକ ଅଦାଲତରେ ମୋକଦ୍ଦମାଗୁଡ଼ିକ ଫଏସଲା ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ମାର୍ଗ ଦର୍ଶନ କରିଥିଲେ । କଟକ ଜିଲ୍ଲା ଓ ଦୌରା ଜଜ୍ ତଥା କଟକ ଜିଲ୍ଲା ଆଇନସେବା ପ୍ରାଧୀକରଣର ଅଧ୍ୟକ୍ଷ ସିତ୍ତିକଣ୍ଠ ସାମଲଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲା କୋର୍ଟର ସମସ୍ତ ବିଚାରପତିମାନେ ନିଜ ନିଜର କୋର୍ଟରେ ଥିବା ମୋକଦ୍ଦମାର ଫଇସଲା କରାଇଥିଲେ । ଏହି ଲୋକ ଅଦାଲତରେ ମୋଟ ୨୭ହଜାର ୨୦୧ଟି ମୋକଦ୍ଦମାରୁ ୧୨ହଜାର ୮୭୭ଟି ମୋକଦ୍ଦମା ଫଇସଲା କରାଯାଇଥିଲା । ଜରିମାନା ଓ ଅନୁକମ୍ପାମୂଳକ ରାଶି ୨୨କୋଟି ୬୧ଲକ୍ଷ ୨୭ହଜାର ୭୪୦ଟଙ୍କା ସ୍ଥିରୀକୃତ କରାଯାଇଥିଲା । ଏହି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟର ଯାନ ଦୁର୍ଘଟଣାଜନିତ ମୋକଦ୍ଦମା, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ବିଦୁ୍ୟତ ଅଧିନିୟମଜନିତ ମକଦ୍ଦମା, ଉପଭୋକ୍ତାଜନିତ ମକଦ୍ଦମା, ଚେକ ବାଉନ୍ସ, ରାଜ୍ୱସ ଓ ପ୍ରାକ୍ ବିବାଦୀୟଜନିତ ମକଦ୍ଦମା ଇତ୍ୟାଦିର ଫଏସଲା କରାଯାଇଥିଲା । ଏହି ଲୋକ ଅଦାଲତକୁ କଟକ ଜିଲ୍ଲା ଆଇନସେବା ପ୍ରାଧୀକରଣର ସଚିବ ଜଗଦିଶ ଚନ୍ଦ୍ର ଜେନା ପରିଚାଳନା କରିଥିଲେ ।