ବଢୁଛି ହାତୀ ମୃତୁ୍ୟ ସଂଖ୍ୟା : ୩ ମାସରେ ମଲେଣି ୪ ହାତୀ
କଟକ: କଟକ ଜିଲ୍ଲାର ନରସିଂହପୁର ଅଂଚଳରେ ଗଲା ୩ ମାସ ଭିତରେ ୪ ହାତୀଙ୍କ ଜୀବନ ଗଲାଣି । ହାତୀ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ନିଦେ୍ର୍ଦଶ ଓ ବନବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସତ୍ତ୍ୱେ ଏହି ଅଂଚଳରେ ହାତୀ ମୃତୁ୍ୟ ଘଟଣା ଏବେ ଉଦ୍ବେଗର କାରଣ ହୋଇଛି । ହାତୀ ଶିକାର କରି ଦାନ୍ତ ଲୁଟିନେବା ଘଟଣା ସବୁ ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରିଛି । ହାତୀ ମୃତୁ୍ୟ ଘଟଣାରେ ବନବିଭାଗ ୩ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ଲୁଟ ହୋଇଥିବା ଦାନ୍ତ କିନ୍ତୁ ଜବତ ହୋଇପାରିନି । ଏପଟେ ଆଠଗଡ଼ ବନଖଣ୍ଡରେ ହାତୀ ସଂଖ୍ୟା ଅଧିକା ରହୁଥିବାରୁ ହାତୀଙ୍କ ସ୍ୱଭାବିକ ମୃତୁ୍ୟ ହେଉଥିବା ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି ।
ଅପର ପକ୍ଷରେ ନିକଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ହାତୀ ମୃତୁ୍ୟ ଓ ଜଙ୍ଗଲରୁ ସାଗୁଆନ ଗଛ ଲୁଟ ଘଟଣାକୁ ନେଇ ବନ ବିଭାଗ ବିରୋଧରେ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ଏମିତିକି ଏସବୁ ଘଟଣା ପାଇଁ ବନବିଭାଗର କର୍ମଚାରୀଙ୍କୁ ଗ୍ରାମବାସୀ ଦାୟୀ କରିଥିଲେ । କୌଣସି ଖବର ଦେଲେ ନାମ ଗୋପନ ରଖାଯିବ ଏବଂ ଆବଶ୍ୟକ ହେଲେ ଏସଟିଏଫ ସହାୟତାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବୁଝାଇଥିଲେ । ବନ ବିଭାଗ ଦେଇଥିବା ସୂଚନା ଅନୁସାରେ ଗତ ୧୪ ମାସରେ ୨ଟି ହାତୀଙ୍କର ଅସ୍ୱାଭାବିକ ମୃତୁ୍ୟ ହୋଇଛି । ତେବେ କେତେ ହାତୀଙ୍କର ସ୍ୱାଭାବିକ ମୃତୁ୍ୟ ହୋଇଛି ତାର ତଥ୍ୟ ବନ ବିଭାଗ ଦେଇନାହିଁ । କିନ୍ତୁ କେବଳ ନରସିଂହପୁରରେ ଏକ ଛୁଆହାତୀ ସମେତ ୪ଟି ହାତୀର ମୃତୁ୍ୟ ଘଟିଛି । ନଭେମ୍ବର ୪ ତାରିଖରେ ନରସିଂହପୁର ପୂର୍ବ ବନାଂଚଳ ସେରମୁଣ୍ଡା ସେକ୍ସନରେ ୯ ବର୍ଷର ଦନ୍ତା ହାତୀର ମୃତଦେହ ଜବତ ହୋଇଥିଲା । କିନ୍ତୁ ମୃତ ହାତୀର ଦାନ୍ତ କାଟି ନିଆଯାଇଥିଲା । ସେହିପରି ଜାନୁଆରୀ ୭ ରେ ନରସିଂହପୁର ପଶ୍ଚିମରେଞ୍ଜ ବାରସିଂହା ସେକ୍ସନ ମିଚିକାପୁର ବିଟର ପୁରୁଣା ପାଣି ଖେସରା ସଂରକ୍ଷିତ ଜଙ୍ଗଲରୁ ୨୦ରୁ ୨୫ ବର୍ଷର ହାତୀର ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିଲା । ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ତାହାକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା । ସେହିପରି ଗଲା ୨୫ ତାରିଖରେ ମଧ୍ୟ ନରସିଂହପୁର ପୂର୍ବାଞ୍ଚଳ ବନବିଭାଗ ଅଧୀନ ରଂଗଡାବ ଗ୍ୟାସ ଅଫିସ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଥିଲା । ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଏହି ୧୫ ବର୍ଷୀୟ ଦନ୍ତା ହାତୀର ମୃତୁ୍ୟ ଘଟିଥିବା କୁହାଯାଉଛି । ଏହି ଘଟଣାରେ ବନବିଭାଗ ରଂଗଡାବ ଗ୍ରାମର ପଦ୍ମନାଭ ସାହୁଙ୍କୁ ଗିରଫ କରିଥିଲା । ତେବେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗ୍ରାମବାସୀମାନେ ହାତୀ ଶିକାର ଘଟଣାରେ କେଉଁମାନେ ସଂପୃକ୍ତ ରହୁଛନ୍ତି, ସେ ସଂପର୍କରେ ସେମାନଙ୍କ ପାଖରେ ଖବର ଅଛି ବୋଲି କହିଥିଲେ । ଏପରିକି ପ୍ରକୃତ ଶିକାରୀକୁ ଛାଡ଼ି ନିରୀହ ଲୋକଙ୍କୁ ଗିରଫ କରାଯାଉଛି ବୋଲି ସେମାନେ କହିଥିଲେ । ନରସିଂହପୁରରେ ବିସ୍ତୀର୍ଣ୍ଣ ବାରଭାୟା ଓ ଦେବଭୂଇଁ ପଂଚାୟତର ସାଗୁଆନ ଓ ଶାଳ ଜଙ୍ଗଲରେ ଏବେ ବି ଅବାଧରେ ଗଛ କାଟି ଚାଲାଣ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏଭଳି ସ୍ଥିତିରେ ଆଠଗଡ଼ ବନଖଣ୍ଡରେ ଥିବା ପାଖାପାଖି ୧୭୦ ହାତୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ହାତୀ ଶିକାର ସଂପର୍କରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ ଜଜ୍ଞଦତ୍ତ ପତି କହିଛନ୍ତି ଯେ, ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଅଭିଯୋଗର ତଦନ୍ତ କରୁଛି । ହାତୀଙ୍କର ସ୍ୱଭାବିକ ମୃତୁ୍ୟ ବି ହେଉଛି । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ କହିଛନ୍ତି ଯେ, ହାତୀ ମୃତୁ୍ୟ ସଂପର୍କରେ ଲୋକେ ଅଭିଯୋଗ କରିଛନ୍ତି । ଡିଏଫଓ ଓ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ଯାଂଚ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଯଦି ଆବଶ୍ୟକ ପଡ଼େ ଏସଟିଏଫ ଓ ପୋଲିସର ସହାୟତା ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସୂଚନାଯୋଗ୍ୟ ୩ବର୍ଷ ତଳେ ଆଠଗଡ଼ ବନଖଣ୍ଡର ବଡ଼ମ୍ବା ଓ ନିରସିଂହପୁରରେ ମାଟିତଳୁ ଏସଟିଏଫ ଦ୍ୱାରା ହାତୀଙ୍କ କଙ୍କାଳ ଉଦ୍ଧାର କରାଯାଇଥିଲା ।