ରାଜ୍ୟରୁ ଲୋପ ପାଉଛି ଅନେକ ଉଦ୍ଭିଦ
ଦ୍ରୁତ ସହରୀକରଣ, ସଡ଼କ ନିର୍ମାଣ, ଜଙ୍ଗଲ କ୍ଷୟ, ନିର୍ମାଣ କାର୍ଯ୍ୟ ଲାଗି ଆବଶ୍ୟକ ହେଉଥିବା ବଜୁରୀ, ଗେଟି, ଚିପ୍ସ ଆଦି ନିମିତ୍ତ ଟାଙ୍ଗରା ପାହାଡ଼କୁ କ୍ରସର୍ ଉଦ୍ଦେଶ୍ୟରେ ଲିଜ୍ ଦେବା କାରଣରୁ ବର୍ତ୍ତମାନ ରାଜ୍ୟରେ ଅନେକ ପାହାଡ଼ ନିଶ୍ଚିହ୍ନ ହେବାକୁ ବସିଲାଣି । ଅନେକ ଛୋଟ ଛୋଟ ପାହାଡ଼ ଆପଣାର ଅସ୍ତିତ୍ୱ ହରାଇ ସାରିଲେଣି । ପାହାଡ଼ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ଏବଂ ବର୍ଷାଦିନେ ବର୍ଷା ପାଣି ଜମି ରହି ହ୍ରଦରେ ପରିଣତ ହୋଇଗଲାଣି । ଏଭଳି ଏକ ସମୟରେ ବର୍ତ୍ତମାନ ପରିବେଶବିତ୍ମାନେ ଏକ ଚିନ୍ତାଜନକ ତଥ୍ୟ ଦେଲେଣି । ତାହା ହେଲା ରାଜ୍ୟରେ ବର୍ତ୍ତମାନ ୩୧ ପ୍ରକାରର ଉଦ୍ଭିଦ ଲୋପ ପାଇବାକୁ ଯାଉଛି । ସେଥି ମଧ୍ୟରେ ରହିଛି ଲୋଧା, ପିଆଶାଳ, ଫଣଫଣା, ଲାଲ୍ ଚନ୍ଦନ, ନାଗକେଶର, ଅଶୋକ, ଧୂଆଁଳ, ଧଳା, ଗଜପାହାଳ, କାଇଁଛ, ବାଈଡଙ୍କ ଭଳି ଉଦ୍ଭିଦ । କିଛିବର୍ଷ ତଳେ ଗାଁ ଗହଳରେ ବାଈଡ଼ଙ୍କ ଲତା ସର୍ବାଧିକ ଦେଖା ଯାଉଥିବା ବେଳେ ବର୍ତ୍ତମାନ ଏହା ବିଲୁପ୍ତ ହେବାକୁ ବସିିଲାଣି । ଏହିସବୁ ଉଦ୍ଭିଦଗୁଡ଼ିକ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର ଏବଂ ପରିବେଶ ପାଇଁ ନିହାତି ଆବଶ୍ୟକ । ଏହା ବ୍ୟତୀତ ରାସ୍ତାକଡ଼ରେ ରହିଥିବା ବର, ଅଶ୍ୱତ୍ଥ, ଶାଳ, ମହୁଲ, କରଞ୍ଜ, ବଉଳ, କୋଚିଳା ଭଳି ଅନେକ ଗଛ ଅବାଧରେ କଟା ହେଉଛି । ଶାଳ ଭଳି ଗଛକୁ ବଢ଼ିବାକୁ ହେଲେ ଅନେକ ଦଶନ୍ଧି ଲାଗିଯାଏ । ସେଭଳି ଜଙ୍ଗଲ ବର୍ତ୍ତମାନ ଦିନକୁ ଦିନ କ୍ଷୟ ହେଉଛି । ଆଉ ଜଙ୍ଗଲ ଭିତରେ ଚଉଡ଼ା ରାସ୍ତା ନିର୍ମାଣ କରାଗଲା ବେଳେ ସର୍ବାଧିôକ ଶାଳ ଗଛ ହିଁ କଟାଯାଉଛି । କଟା ଯାଉଥିବା ଗଛଗୁଡିକ ତୁଳନାରେ ଲଗା ଯାଉଥିବା ଗଛ ସମୁଦ୍ରକୁ ଶଙ୍ଖେ ଭଳି । ଶହ ଶହ ବର୍ଷର ଗଛ କଟାଯାଇ ତାହା ସ୍ଥାନରେ କନିଅର ଭଳି କ୍ଷୁଦ୍ର କ୍ଷୁଦ୍ର ଚାରାଗଛ ଲଗାଯାଉଛି । ସେସବୁ ବଡ଼ ହେବା ପାଇଁ ଅନେକ ଯତ୍ନ ନିଆଯାଉଥିଲେ ମଧ୍ୟ ପାଖାପାଖି ୭୦ ଭାଗ ଚାରାରୋପଣ ହେବାର ମାସେ ୨ ମାସ ଭିତରେ ମରିଯାଉଛି ।
ବର୍ତ୍ତମାନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ବିଲୁପ୍ତ ହେବାକୁ ଯାଉଥିବା ୩୧ ପ୍ରଜାତିର ଗଛକୁ ସୁରକ୍ଷିତ କରି ରଖିବାକୁ ଉଦ୍ୟମ କରୁଛି ସତ; କିନ୍ତୁ ଏହିସବୁ ଉଦ୍ଭିଦଗୁଡ଼ିକ ଏଭଳି ବୃକ୍ଷ ଯେ ତାକୁ କେହି ବାଡ଼ିବଗିଚାରେ ଲଗାଇବା ସମ୍ଭବ ନୁହେଁ । କାରଣ ପିଆଶାଳ, ଫଣଫଣା, ରକ୍ତଚନ୍ଦନ, ନାଗକେଶର ଭଳି ଗଛକୁ କେହି କେବେ ବାଡ଼ି ବଗିଚାରେ ଲଗାଇବେ ନାହିଁ। ଏପରିକି ଚନ୍ଦନ ମଧ୍ୟ ଲଗାଇବା ସହଜ ନୁହେଁ । କାରଣ ଏସବୁ ଅତ୍ୟନ୍ତ ବଡ଼ ବଡ଼ ଗଛ ଏବଂ ଏହିସବୁ ଗଛରୁ ପ୍ରତ୍ୟକ୍ଷ ଭାବରେ ସିଧାସଳଖ ଲାଭ ସହଜରେ ମିଳେନାହିଁ; ବରଂ ଆମ୍ବ କିମ୍ବା ନଡ଼ିଆ ଲଗାଇଲେ ତିନି ଚାରିବର୍ଷରେ ସେଥିରୁ ଫଳ ଆମଦାନୀ ହେଉଛି । ଏହି କାରଣରୁ ସାଧାରଣ ଲୋକମାନେ ବିଲୁପ୍ତ ପ୍ରାୟ ଗଛଗୁଡ଼ିକ ଲଗାଇପାରୁନାହାଁନ୍ତି କିମ୍ବା ସେମାନଙ୍କ ନିକଟରେ ସ୍ଥାନ ନାହିଁ । ତେଣୁ ଏହି ୩୧ ପ୍ରଜାତିର ଉଦ୍ଭିଦ ଔଷଧୀୟ ଗୁଣଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କିଛିବର୍ଷ ତଳେ ବାଡ଼ରେ କାଇଁଛ ମାଡୁଥିଲା । ବର୍ତ୍ତମାନ ତାହା ସହରୀକରଣ ଫଳରେ ବିଲୁପ୍ତ ହୋଇଯାଇଛି । ଆଉ କାହାରି ଘରେ ବାଡ଼ ନାହିଁ । ସମସ୍ତେ ପାଚେରୀ ନିର୍ମାଣ କରି କଣ୍ଟାବାଡ଼ରେ ଥିବା ଔଷଧୀୟ ଗଛଗୁଡ଼ିକୁ ଲୋପ କରି ଦେଇସାରିଲେଣି । ବର୍ତ୍ତମାନ ଏହିସବୁ ଗଛଗୁଡ଼ିକୁ ସୁରକ୍ଷିତ ରଖିବାକୁ ହେଲେ ଏଥିପାଇଁ ସହରାଞ୍ଚଳ ଭିତରେ ଛୋଟ ଛୋଟ ପାର୍କ୍ ନିର୍ମାଣ କରି କେବଳ ଏହି ବିଲୁପ୍ତ ପ୍ରାୟ ଗଛଗୁଡ଼ିକୁ ଲଗାଇବାର ଆବଶ୍ୟକତା ଅଛି। ବ୍ୟକ୍ତିଗତ ଭାବରେ ଏସବୁକୁ ଲଗାଇବାରେ ଲୋକମାନଙ୍କ ଆଗ୍ରହ ନଥିବାରୁ ଏହାକୁ ସର୍ବସାଧାରଣ ପାର୍କ୍ ମାଧ୍ୟମରେ କେବଳ ସୁରକ୍ଷିତ ରଖାଯାଇପାରିବ । ବୁଦ୍ଧଦାରକ ଭଳି ଔଷଧୀୟ ଲତାରେ ବେଶ୍ ଫୁଲ ଫୁଟୁଥିଲେ ମଧ୍ୟ ଏହାକୁ ଆଉ ଲଗାଇବାର ଦେଖା ଯାଉନାହିଁ । ତେଣୁ ଲୋକମାନେ ନିଜେ ସଚେତନ ହୋଇ ବିଲୁପ୍ତ ପ୍ରାୟ ଉଦ୍ଭିଦରୁ ଗୋଟିଏ ଗୋଟିଏ ବଞ୍ଚାଇ ରଖିଲେ ଏହା ପରିବେଶ ଏବଂ ଉଦ୍ଭିଦ ସମ୍ପଦର ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।