ରାନ୍ୟା ରାୟ ଗିରଫ ଘଟଣା: ସୁନା ସ୍ମଗ୍ଲିଂରେ ସାହାଯ୍ୟ କରୁଥିଲା ପୁଲିସ୍
ବେଙ୍ଗାଲୁରୁ : ବହୁ ଚର୍ଚ୍ଚିତ ରାନ୍ୟା ରାୟ ସୁନା ସ୍ମଗ୍ଲିଂ ଘଟଣାରେ ନୂଆ ମୋଡ଼ । ସୁନା ଚୋରାଚାଲାଣରେ ରାନ୍ୟାଙ୍କୁ ସହାୟତା ଯୋଗାଇ ଦେଉଥିଲା ପୁଲିସ୍ । ଥରେ କି ଦୁଇଥର ନୁହେଁ ଯେତେଥର ବି ରାନ୍ୟା ଏୟାରପୋର୍ଟରୁ ସୁନା ନେଇ ଆସୁଥିଲେ ସେଠାରୁ ତାଙ୍କୁ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସହାୟତା ଯୋଗାଇ ଦେଉଥିଲେ । ରାନ୍ୟାଙ୍କ ମାମଲା ତଦନ୍ତ କରୁଥିବା ରାଜସ୍ୱ ଗୁଇନ୍ଦା ନିଦେ୍ର୍ଦଶାଳୟ (ଡିଆରଆଇ) କୋର୍ଟରେ ଉପସ୍ଥାପନା କରିଥିବା ଏହି ଚାଞ୍ଚଲ୍ୟକର ତଥ୍ୟକୁ ନେଇ କର୍ଣ୍ଣାଟକରେ ହଇଚଇ ସୃଷ୍ଟି ହୋଇଛି । ତେବେ କିଏ ସେଇ ବରିଷ୍ଠ ପୁଲିସ୍ ଅଧିକାରୀ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ । ଅପରପକ୍ଷେ କର୍ଣ୍ଣାଟକ ଅଭିନେତ୍ରୀ ରାନ୍ୟାଙ୍କ ସାବତ ବାପା କେ. ରାମଚନ୍ଦ୍ର ପୁଲିସ୍ ମହାନିଦେ୍ର୍ଦଶକ (ଡିଜିପି) ହୋଇଥିବାରୁ ତାଙ୍କୁ ମଧ୍ୟ ସ୍କାନର୍ରେ ରଖିଛି ଡିଆର୍ଆଇ । ଅପରପକ୍ଷେ ରାନ୍ୟାଙ୍କ ଜାମିନ ଶୁଣାଣିକୁ କୋର୍ଟ ଆସନ୍ତା ୧୪ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।
ଡିଆରଆଇ ଅଭିଯୋଗ କରିଛି ଯେ ଏୟାର୍ପୋର୍ଟରେ ସମସ୍ତ ଯାତ୍ରୀଙ୍କ ପାଇଁ ସମାନ ସୁରକ୍ଷା ଯାଞ୍ଚ ନିୟମ ରହିଥିବା ବେଳେ ରାନ୍ୟାଙ୍କୁ ଭିଆଇପି ସୁବିଧା ଯୋଗାଇ ଦିଆଯାଉଥିଲା ଏବଂ ତାଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉ ନ ଥିଲା । ବିମାନବନ୍ଦରରେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ଇମିଗ୍ରେସନକୁ ଯାଇ ଅଭିନେତ୍ରୀ ରାନ୍ୟାଙ୍କ ଲଗେଜକୁ ଫାଷ୍ଟ-ଟ୍ରାକ୍ ସୁରକ୍ଷା କ୍ଲିୟରାନ୍ସ ପାଇଁ ଉଠାଇ ନେଉଥିଲେ । ଫଳରେ ସେ ଅବତରଣ ପରେ ବିମାନବନ୍ଦରରେ ଯାଞ୍ଚରୁ ବର୍ତ୍ତି ଯାଉଥିଲେ । ସେପଟେ ସମ୍ପୃକ୍ତ ପୁଲିସ୍ ଅଧିକାରୀଙ୍କୁ ଡିଆର୍ଆଇ ଜେରା କରିବା ପରେ ସେ ଉଚ୍ଚ ଅଧିକାରୀଙ୍କ ନିଦେ୍ର୍ଦଶ ଅନୁସରଣ କରୁଥିଲେ ବୋଲି ସ୍ୱୀକାର କରିଛନ୍ତି । ଆଜି କୋର୍ଟରେ ଡିଆର୍ଆଇ ପକ୍ଷରୁ ମାମଲା ଲଢ଼ୁଥିବା ସରକାରୀ ଓକିଲ ମଧୁ ରାଓ କୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି । ମଧୁ ରାଓ ଏହା ମଧ୍ୟ ଯୁକ୍ତି ବାଢ଼ିଥିଲେ ଯେ, ବିମାନ ବନ୍ଦରରେ ରାନ୍ୟା ‘ରେଡ୍ ଜୋନ୍' ପରିବର୍ତ୍ତେ ଜଣେ ପ୍ରୋଟୋକଲ ଅଧିକାରୀଙ୍କ ସହାୟତାରେ ‘ଗ୍ରୀନ୍ ଜୋନ୍’ ଦେଇ ବାହାରକୁ ଆସିଥିଲେ । ଯାହା ଶୁଳ୍କ ଏଡ଼ାଇବାର ଉଦେ୍ଦଶ୍ୟକୁ ପ୍ରମାଣିତ କରୁଛି ।
ସେହିପରି ରାନ୍ୟା ଚୋରା ଚାଲାଣ ପାଇଁ ବହୁ ବିଦେଶୀ ଲିଙ୍କ୍ ସମେତ ମନି ଲଣ୍ଡି୍ରଂ ଲିଙ୍କ୍ରେ ମଧ୍ୟ ଜଡ଼ିତ ଅଛନ୍ତି । ଏବେ ଯଦି ରାଣ୍ୟାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ଦେଶ ଛାଡ଼ି ପଳାଇଯିବାର ସମ୍ଭାବନା ରହିଛି ବୋଲି ଡିଆର୍ଆଇ ପକ୍ଷରୁ ଯୁକ୍ତି ଦିଆଯାଇଥିଲା । ଅପରପକ୍ଷେ ଡିଆର୍ଆଇ ପକ୍ଷରୁ ଏହି ତଥ୍ୟ ଉପସ୍ଥାପନ ପରେ ବର୍ତ୍ତମାନର ଡିଜିପି କେ ରାମଚନ୍ଦ୍ର ରାଓଙ୍କ ଏ ମାମଲା ସହିତ କିଛି ଲିଙ୍କ୍ ରହିଛି କି ନାହିଁ ତା’ର ଏକ ପୃଥକ ତଦନ୍ତ ଆରମ୍ଭ ହୋଇଛି ।