ମନମୋହନ ସିଂଙ୍କ ଅବଦାନକୁ ମନେ ରଖିବ ଦେଶ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକ । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଗତ ରାତି ୯ଟା ୫୧ରେ ଦେହାନ୍ତ ହୋଇଯାଇଛି । ୯୨ ବର୍ଷ ବୟସ୍କ ମନମୋହନ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥ ବିଗିଡିବାରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ପରେ ଘରେ ସେ ଚେତହରାଇଥିଲେ। ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ବିଭାଗର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର । ଏମ୍ସରେ ତାଙ୍କ ପତ୍ନୀ ଗୁରୁଶରଣ କୌର, ତିନି ଝିଅ ଉପିନ୍ଦର, ଦାମନ ଓ ଅମ୍ରିତ ଅଛନ୍ତି । ଖବର ପାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସମେତ ବହୁ ବରିଷ୍ଠ ନେତା ଏମ୍ସକୁ ଯାଇ ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

ଆଜି ସକାଳୁ ବିଭିନ୍ନ ଦଳର ନେତା ଯାଉଥିବା ଦେଖିବାକୁ ମିଳିଛି । ସେପଟେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ଆଗରେ ମଧ୍ୟ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ଏମ୍ସରୁ ତାଙ୍କ ପାର୍ଥିବ ଶରୀରକୁ ବାସଭବନକୁ ନିଆଯିବ ଓ ଦଳୀୟ କାର୍ୟ୍ୟାଳୟରେ ଶେଷ ଦର୍ଶନ ପାଇଁ ରଖାଯାଇପାରେ । ତେବେ ଏନେଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ଲଗାତାର ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଳାଇଥିଲେ । ୨୦୦୪ରୁ ୨୦୧୪ ଯାଏଁ ପ୍ରଧାନମନ୍ତ୍ରୀ ଭାବେ ଦେଶର ଶାସନ ଡୋରି ସମ୍ଭାଳିଥିଲେ। ୨୦୦୮ ମସିହାରେ ବିଶ୍ୱସ୍ତରରେ ଆସିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଭାରତର ଅର୍ଥନୀତିକୁ ସୁପରିଚାଳନା କରି ନୂଆ ଦିଗ ଦେଇଥିଲେ । ସାରା ବିଶ୍ୱ ତାଙ୍କର ସେହି ଅର୍ଥନୈତିକ ସୁପରିଚାଳନା କୌଶଳକୁ ପ୍ରଶଂସା କରିଥିଲା । ଭାରତୀୟ ରାଜନୀତି ଓ ଆର୍ଥିକ ସୁଧାର କ୍ଷେତ୍ରରେ ତାଙ୍କ ଅବଦାନ ସବୁଦିନେ ମନେ ରହିବ । ୧୯୯୧ ମସିହାରେ ଭାରତର ଅର୍ଥନୀତିକୁ ଉଦାରୀକରଣ କରିବାରୁ ମୁଖ୍ୟବିନ୍ଧାଣୀଙ୍କୁ ଭୁଲି ପାରିବନି ଦେଶ ।  
 ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶର ମୁଖ୍ୟତ ୩ଟି ଯୋଜନା ପାଇଁ ଦେଶବାସୀ ତାଙ୍କୁ ସବୁବେଳେ ମନେ ରଖିବେ । ଗରିବ ଲୋକଙ୍କ ହାତକୁ କାମ ଦେବାକୁ ସେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସରକାରୀ ବିଭାଗରେ ଦୁର୍ନୀତି ରୋକିବାକୁ ସୂଚନା ଅଧିକାର ଆଇନ ଓ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ ଆଣି ସାରା ବିଶ୍ୱକୁ ଚକିତ କରିଥିଲେ ।