ଚାଇନାର କରିସ୍ମା : ମଣିଷର ମନର କଥାକୁ ଚୁଟକିରେ ଦେବ କହି ମେସିନ

ନୂଆ ଟେକ୍ନୋଲୋଜିର ବ୍ୟବହାର ଲାଗି ଚାଇନାକୁ ନେଇ ସବୁବେଳେ ଚର୍ଚ୍ଚାରେ । କାରଣ କମ୍ ଟଙ୍କାରେ ସେ ଏମିତି କିଛି ତିଆରି କରେ ଯାହା ଦୁନିଆ ଦେଖିବାକୁ ବାଧ୍ୟ ହୁଏ । ଅବଶ୍ୟ ଚାଇନା ମାଲ୍ରେ କିଛି ଗ୍ୟାରେଣ୍ଟି ନାହିଁ ବୋଲି ଆମେ ସମସ୍ତେ ଜାଣନ୍ତି । ହେଲେ ଏବେ ପୁଣି ଥରେ ଚାଇନା ଏମିତି ଏକ ମେସିନ ତିଆରି କରିଛି ଯାହାକୁ ନେଇ ଭାରି ଚର୍ଚ୍ଚା । କାରଣ ମଣିଷ ମନରେ କଣ ଚାଲିଛି ତାହା ଗୋଟିଏ ଚୁଟକିରେ ମେସିନ କହିଦେବ ।
ଅନେକ ସମୟରେ କିଛି ଅପରାଧରେ ସାମିଲ ଥିବା ଅଭିଯୁକ୍ତଙ୍କୁ ମୁହଁରୁ ସତ ଓଗାଳିବାକୁ ଲାଇଡିଟେକ୍ସନ ଟେଷ୍ଟ ପୋଲିସ ପକ୍ଷରୁ କରାଯାଏ ବୋଲି ଆମେ ଅନେକଥର ଶୁଣିଛନ୍ତି । ସେହି ମେସିନ୍ରେ କୁଆଡେ ମଣିଷ ସତ କହୁଛି କି ନାହିଁ ତାହା ଜଣାପଡ଼େ । ହେଲେ ଚାଇନା ଏବେ ଯେଉଁ ମେସିନ ତିଆରି କରିଛି ସେହି ମେସିନ୍ ଦ୍ବାରା ମଣିଷ ମନରେ କଣ ଚାଲିଛି ସେନେଇ ସବୁ ତଥ୍ୟ ଜଣାପଡ଼ିବ । ସୂଚନା ଅନୁସାରେ ଚାଇନାର ଷ୍ଟାର୍ଟଅପ୍ ନ୍ୟୁରୋ ଆକ୍ସସେସ୍ ଗୁରୁବାର ଏହି ମେସିନକୁ ପରୀକ୍ଷାମୂଳକ ଭାବରେ ପରୀକ୍ଷା କରିଥିଲା । ଆଉ ମନରେ ଯାହା ଚାଲୁଥିଲା ମେସିନ୍ ତାହା କହିଦେଇଥିଲା ।
ଚାଇନାର ଟେକ୍ନୋଲୋଜି ସମ୍ପର୍କରେ ପୁରା ବିଶ୍ବ ଜାଣେ । ଅଳ୍ପ ଟଙ୍କାରେ, ଛୋଟ ମେସିନ୍ରେ ବଡ଼ କାମ କରିବାର କ୍ଷମତା ଏହି ମେସିନ୍ରେ ରହେ । ତେଣୁ ଏମିତି ସ୍ଥିତିରେ ମଣିଷ ମନର କଥା ଜାଣିବାକୁ ଚାଇନା ଯେମିତି ମେସିନ୍ ବାହାର କରିଛି ତାହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା , ୨୦୨୪ରେ ଫୁଡାନ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ହୁଆଶାନ୍ ହସ୍ପିଟାଲର ନ୍ୟୁରୋ ସର୍ଜନମାନେ ଜଣେ ମହିଳା ରୋଗୀଙ୍କ ଶରୀରରେ ଏହାକୁ ପରୀକ୍ଷା କରିଥିଲେ । ଦୁର୍ଘଟଣାରେ ମହିଳା ଜଣଙ୍କ ଆଦୌ କଥା କହିପାରୁନଥିବାରୁ ତାଙ୍କ ମନରେ କଣ ଚାଲିଛି ସେନେଇ ଜାଣିବା ଲାଗି ଏହି ମେସିନ୍ର ପ୍ରୟୋଗ କରାଯାଇଥିଲା । ଆଉ ସବୁ କାହାଣୀ ସାମ୍ନାକୁ ଆସିଥିଲା ।
ସେପଟେ ନ୍ୟୁରୋ ସର୍ଜନଙ୍କ କହିବା ଅନୁସାରେ, ରୋଗୀଙ୍କ ମସ୍କିଷ୍କରେ ଏହି ଡିଟେକ୍ଟର ରଖିବାକୁ ପ୍ରାୟ ୬୦ ମିଲିସେକେଣ୍ଡ ଲାଗିଥିଲା । ପରେ ପରେ ତାଙ୍କ ମନରେ କଣ ଚାଲିଥିଲା ସେନେଇ ମେସିନ୍ ସବୁ କହିଦେଇଥିଲା । ଆଶ୍ଚର୍ଯ୍ୟକର କଥା ହେଲା ରୋଗୀ ଯେଉଁ ଭାଷାରେ କଥାବାର୍ତ୍ତା କରନ୍ତି ସେହି ଭାଷାରେ ମେସିନ୍ ସବୁ କଥା କହିଥିଲା । ବିଶ୍ବରେ ଏମିତି ମେସିନ୍ ବାହାର କରିବାରେ ଚାଇନା ପ୍ରଥମ ବୋଲି କୁହାଯାଉଛି । ଅନେକ ସମୟରେ ରୋଗୀ ବେଡ୍ରେ ପଡ଼ିବା ପରେ ପରିବାର ଲୋକ ଅନେକ ଚେଷ୍ଟା କରିବା ପରେ ବି ସେମାନେ କଣ କହିବାକୁ ଚାହିଁଥାଆନ୍ତି ଜଣାପଡ଼େ ନାହିଁ । ଏମିତି ମାମଲା ବି ଅଛି, ରୋଗୀ କେଉଁଠାରେ କେତେ ଟଙ୍କା ରଖିଛନ୍ତି ବା ସମ୍ପତ୍ତି ରଖିଛନ୍ତି ସେନେଇ କିଛି ଜଣାପଡ଼େ ନାହିଁ । ଆଉ ଯଦି ଦୁର୍ଭାଗ୍ୟବଶତଃ ଯଦି ରୋଗୀଙ୍କ ମୃତ୍ୟୁ ହେଲା ତାହାଲେ କଥା ସରିଲା । ହେଲେ ଚାଇନାର ଏହି ମେସିନ୍ ଯଦି ପୁରା ବିଶ୍ବରେ ବ୍ୟବହାର ହୁଏ ତାହାଲେ ସବୁ କଥା ରୋଗୀ କଥା ନକହିଲେ ବି ଜଣାପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।