୨୨ରେ ସର୍ବଭାରତୀୟ ଦିବାରାତ୍ର ଭଲିବଲ୍

ବ୍ରହ୍ମବରଦା:  ରୁହାନି ସ୍ପୋର୍ଟସ କ୍ଲବ ଇସଲାମ ନଗର ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖ ବ୍ରହ୍ମବରଦା ପଞ୍ଚାୟତର ମୁସାଇରା ପଡିଆରେ ୮ତମ ସର୍ବଭାରତୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଥିବା କ୍ଲବ୍ ସଭାପତି ସେକ କମରୁଲ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଖେଳାଳିଙ୍କ ଥଇଥାନ, ଖେଳର ସଠିକ ପରିଚାଳନା, ଖେଳର ନିର୍ଘଣ୍ଟ, ଖେଳ ପଡିଆର ମରାମତି ସହିତ ଅତିଥି ଚୟନ କାର୍ଯ୍ୟକ୍ରମ ମଧ୍ୟ ଚୁଡାନ୍ତ ହୋଇ ସାରିଥିବା କ୍ଲବ ପକ୍ଷରୁ କୁହାଯାଇଛି । ଉକ୍ତ ଦିବାରାତ୍ର ଭଲିବଲ ପ୍ରତିଯୋଗିତାରେ ଆମ ରାଜ୍ୟ ଓଡ଼ିଶାରରୁ ଇସଲାମିଆ କ୍ଲବ, ପଶ୍ଚିମବଙ୍ଗରୁ କୋଲକାତା ପୁଲିସ, ଚଣ୍ଡୀଗଡ଼ରୁ ହରିୟାଣା ସ୍ପାଏକର୍ସ ଓ କର୍ଣାଟକରୁ ବାଙ୍ଗାଲୋର ସ୍ପୋର୍ଟ୍ସ କ୍ଲବ ଆଦି ବିଭିନ୍ନ ରାଜ୍ୟରୁ ବଛାବଛା ୪ଗୋଟି ଦଳ ସହିତ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳାଳି ମାନେ ଅଂଶଗ୍ରହଣ କରି ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବେ । ଯାହାକୁ ନେଇ ଏବେ ଠାରୁ ବ୍ରହ୍ମବରଦା ତଥା ଆଖପାଖ ଅଂଚଳର ଭଲିବଲ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ଏହାବ୍ୟତୀତ ଏହି ଦିବାରାତ୍ର ଭଲିବଲ ପ୍ରତିଯୋଗିତା କିପରି ସଫଳ ଓ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେ ନେଇ ସ୍ଥାନୀୟ ପୋଲିସ ପ୍ରଶାସନର ସହାୟତା ସହ କ୍ରୀଡ଼ା ପ୍ରେମୀ ଦର୍ଶକ ମାନଙ୍କର ମଧ୍ୟ ସହଯୋଗ କରିବାକୁ କ୍ଲବ ସମ୍ପାଦକ ଜୁଲ ଫିକର ଅଲ୍ଲୀ ଖାଁ, ଉପ-ସଭାପତି ଅନୱର ଖାଁ, ସହ-ସମ୍ପାଦକ ସଫି ଆଲାମ ଖାଁ, ରାକେଶ ଦେଓ, ପ୍ରଦୀପ ଦାସ, ସେକ ଜାଇରୁଲ, ଅମିୟ ପରିଡାଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତା ଓ ସଭ୍ୟ ନିବେଦନ କରିଛନ୍ତି ।