ରାସ୍ତା ମରଣଯନ୍ତା, ହାଇୱା ବନ୍ଦ ପାଇଁ ଦାବି 


ନିଆଳିରୁ ଅଞ୍ଜୁଶା ଦାସ :
ନିଆଳି ବ୍ଲକ୍ ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ କସରଦା ଛକ ଠାରୁ ଆଳିପିଙ୍ଗଳ ବ୍ରଜ୍ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ବିଶେଷ କରି କସରଦା ଛକ, ସତ୍ସଙ୍ଗ ଛକ, ବୋତାଖାଲ ଛକ, ସିଠାଳୋ ଛକ, ବରିଷଣ ଛକ ରାସ୍ତାର ଅବସ୍ଥା ଖରାପ ହୋଇଯାଇଛି । ଫଳରେ ସାମାନ୍ୟ ବର୍ଷାରେ ରାସ୍ତା ବେହାଲ ହୋଇଯାଇଛି । ଯାହାକୁ ନେଇ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି । ବଡ ବଡ ଯାନ ଯିବା ତ ଦୂରର କଥା ଦୁଇ ଚକିଆ ଯାନ ମଧ୍ୟ ଯାଇ ପାରୁନାହିଁ । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଜଗତ୍ସିଂହପୁରକୁ ଶହ ଶହ ଗାଡି ଯାତାୟତ କରୁଥିବା ବେଳେ ବିଭିନ୍ନ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ, କସରଦା ବିଟ୍ ହାଉସ୍, ପୋଷ୍ଟ ଅଫିସ୍, ଜାତୀୟ କରଣ ବ୍ୟାଙ୍କ୍, ଦୁଇଟି ମହାବିଦ୍ୟାଳୟ, ଚାରୋଟି ସରକାରୀ ବିଦ୍ୟାଳୟ ଘରୋଇ ବିଦ୍ୟାଳୟ ଓ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା ଉପୁଜୁଛି । ବିଶେଷ କରି ବଡ଼ବଡ଼ ହାଇୱା ଚଳାଚଳ କରୁଥିବାରୁ ରାସ୍ତା ଅବସ୍ଥା ଖରାପ ହୋଇଯାଇଛି ।