ଚୋରା ବାଲି ଚାଲାଣ ଉପରେ ପୁଲିସର ଚଢଉ : ୧୩ ଗିରଫ,୧୪ ଟ୍ରାକ୍ଟର ଓ ହାଇୱା ଜବତ

 ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ଚୋରା ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ଯାଇ କଠୋର ହୋଇଛି ପୁଲିସ ପ୍ରଶାସନ ଶନିବାର ଏଥିପାଇଁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢାଉ କରାଯାଇ ଚୋରା ଚାଲାଣ ହେଉଥିବା ୩ ଟି ହାଇୱା ,୨ ଟି ଟ୍ରିପର ଓ ୯ ଟି ଟ୍ରାକ୍ଟର ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରାଯାଇଛି । ଛେଣ୍ଡିପଦା ଥାନା ଚଢାଉ କରି ୪ ଟି ଟ୍ରାକ୍ଟର ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ସେହିଭଳି ତାଳଚେର ଥାନା ପୁଲିସ ୩ ଟି ହାଇୱା ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ କୋଲିୟାରୀ ଥାନା ଗୋଟିଏ ହାଇୱା ସହ ଜଣଙ୍କୁ ଗିରଫ କରିଛି । ବାଗଡିଆ ଥାନା ଗୋଟିଏ ଟ୍ରାକ୍ଟର ଜବତ କରିଛି । ଖମାର ଥାନା ଗୋଟିଏ ଟ୍ରାକ୍ଟର ଓ ଦୁଇଟି ଟ୍ରିପର ଜବତ କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି । ସେହିଭଳି ରେଙ୍ଗାଳୀ ଥାନା ପୁଲିସ ଦୁଇଟି ଟ୍ରାକ୍ଟର ଜବତ କରଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି  । ଆଜିର ଏହି ଚଢାଉ ପରେ ଚୋରା ବାଲି ଚାଲାଣ କରୁଥିବା ମାଫିଆ ମାନଙ୍କ ମନରେ ଛନକା ପଶି ଯାଇଛି ।ତେବେ ଏହିଭଳି ଚଢାଉ ଆଗକୁ ମଧ୍ୟ ଜାରି ରହିବ ଏବଂ ଚୋରା ବାଲି ଚାଲାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।