ସାମଗ୍ରିକ ରାଷ୍ଟ୍ରହିତ ଓ ସଂରକ୍ଷଣ ବ୍ୟବସ୍ଥା


ସାମାଜିକ ନ୍ୟାୟର ଦ୍ୱାହି ଦେଇ ଯେଉଁ ସଂରକ୍ଷଣ ପ୍ରସଙ୍ଗ ୨୦୨୪ର ଲୋକସଭା ନିର୍ବାଚନରେ ଏକ ପ୍ରସଙ୍ଗ ପାଲଟିଥିଲା ଓ ତାର ପ୍ରଭାବ ମଧ୍ୟ ବ୍ୟାପକ ଭାବେ ପଡ଼ିଛି ବୋଲି ଜଣାପଡ଼ୁଛି । ଇଣ୍ଡିଆ ମେଣ୍ଟର ନେତାମାନେ ନିର୍ବାଚନୀ ଭାଷଣରେ ମୁସଲମାନଙ୍କୁ ସଂରକ୍ଷଣ ଦିଆଯିବା ନେଇ ଓକିଲାତି କରିବାରେ ଲାଗିଥିଲେ । ନିକଟରେ କୋଲକତା ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ୨୦୧୦ ପରେ ମୁସଲିମ ସମୁଦାୟର ୭୭ଟି ବର୍ଗର ଓବିସି (ଅନ୍ୟ ପଛୁଆ ବର୍ଗ) ଙ୍କୁ ଦିଆଯାଇଥିବା ୫ ଲକ୍ଷରୁ ଅଧିକ ଓବିସି ପ୍ରମାଣ ପତ୍ରକୁ ରଦ୍ଦ କରି ଦେଇଛନ୍ତି । କୋଲକତା ହାଇକୋର୍ଟଙ୍କ ଓବିସି ପ୍ରମାଣପତ୍ର ରଦ୍ଦକୁ ନେଇ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ସଂରକ୍ଷଣ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଦୀର୍ଘ ଦୁଇ ଦଶନ୍ଧି ହେବ ବିବାଦ ଚାଲିଛି । ରାଜନୀତିର ଊଦ୍ଧ୍ୱର୍କୁ ଯାଇ ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଚିନ୍ତାକଲେ ସ୍ପଷ୍ଟ ଜଣାପଡ଼େ ଯେ ଭାରତରେ ସାମ୍ବିଧାନିକ ସଂରକ୍ଷଣ ବ୍ୟବସ୍ଥା ଅନୁଛେଦ ୩୩୦. ୩୩୨ ଏବଂ ୩୩୫ ଅନୁସାରେ ଅନୂସୁଚୀତ ଜାତିକୁ ୧୫ ପ୍ରତିଶତ, ଅନୂସୁଚୀତ ଜନଜାତିକୁ ୭.୫ ପ୍ରତିଶତ, ଅର୍ଥାତ ସମୁଦାୟ ୨୨.୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି । ୧୯୭୮ରେ ମୋରାରଜୀ ଦେଶାଇ ସରକାର ବିନେ୍ଧଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ, ଏହାକୁ ମଣ୍ଡଳ କମିଶନ ବୋଲି କୁହାଯାଏ । ମଣ୍ଡଳ କମିଶନ ୧୯୮୦ ମସିହାରେ ତାଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ । ୧୦ବର୍ଷ କାଳ ଏହି ରିପୋର୍ଟ ଶୀତଳ ଭଣ୍ଡାରରେ ପଡ଼ିବା ଭଳି ରହିଥିଲା । ୧୯୮୯ ମସିହାରେ ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ଯେଉଁ ମେଣ୍ଟ ସରକାର ହୋଇଥିଲା ,ସେହି ମେଣ୍ଟର ଅଧ୍ୟକ୍ଷ ଥିଲେ ଏନ୍ଟି ରାମାରାଓ ଓ ସଂଯୋଜକ ଥିଲେ ବିଶ୍ୱନାଥ ପ୍ରତାପ ସିଂହ । ବିଶ୍ୱନାଥ ପ୍ରତାପ ସିଂହ ବର୍ତ୍ତମାନର ବିଜେପି ଦଳର ସମର୍ଥନରେ ସରକାର ଗଠନ କରିଥିଲେ ଓ ମଣ୍ଡଳ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ମଣ୍ଡଳ କମିଶନଙ୍କ ରିପୋର୍ଟ ଆଧାରରେ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରାଗଲା । ସେବେଠାରୁ ଅଦ୍ୟାବଧି ସବୁ ରାଜ୍ୟରେ ଅନ୍ୟ ପଛୁଆବର୍ଗ ଜାତି ବିଭିନ୍ନ ସମୟରେ ସଂରକ୍ଷଣ ପାଇଁ ଦାବି କରୁଛନ୍ତି ।  ନିର୍ବାଚନ ସମୟରେ ଏହାକୁ ନେଇ ନେତାମାନେ ମଧ୍ୟ ତୁମ୍ବିତୋଫାନ କରୁଛନ୍ତି ।   ୧୮୮୨ ମସିହାରେ ଜାତି ଆଧାରିତ ସଂରକ୍ଷଣ ବ୍ୟବସ୍ଥା ବାବଦରେ ଓି୍ୱଲିୟମ ହଣ୍ଟର ଏବଂ ଜ୍ୟୋତିରାଓ ଫୁଲେ ବିଚାର କରିଥିଲେ । ୧୯୦୯ରେ ଇଂରେଜମାନଙ୍କ ଦ୍ୱାରା ଜାତି ଓ ସମୁଦାୟକୁ ନେଇ ଯେଉଁ ସଂରକ୍ଷଣ ଆରମ୍ଭ କରାଗଲା ତାକୁ ୧୯୧୯ ମସିହାରେ ଚେମ୍ସଫୋର୍ଡ଼ଙ୍କ ରିପୋର୍ଟ ପରେ କାର୍ଯ୍ୟକାରୀ କରାଗଲା । ତତ୍କାଳୀନ ଇଂରେଜ ସରକାର ଅଧିନିୟମ ୧୯୧୯ ମାଧ୍ୟମରେ ସଂରକ୍ଷଣ ପାଇଁ ପ୍ରାବଧାନ କରିଥିଲେ । ୧୯୨୧ରେ ମାଡ୍ରାସ ପ୍ରେସିଡେନ୍ସିର ଆଦେଶ ଅନୁସାରେ ଅଣ ବ୍ରାହ୍ମଣମାନଙ୍କ ପାଇଁ ୪୪ ପ୍ରତିଶତ ଓ ବ୍ରାହ୍ମଣ, ମୁସଲମାନ, ଭାରତୀୟ ଆଂଗ୍ଲ୍ଳୋ ଇଣ୍ଡିଆନମାନଙ୍କ ପାଇଁ ୧୬-୧୬ ପ୍ରତିଶତ ଓ ଅନୁସୂଚୀତ ଜାତି ପାଇଁ ୮ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିଲା । ୧୯୩୦ ମସିହାରେ ଏଚ.ବି ଷ୍ଟୋର କମିଟି ପଛୁଆ ଜାତିକୁ ଦଳିତ, ଆଦିବାସୀ, ପାର୍ବତୀୟ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗରେ ବିଭାଜିତ କରିଦେଇଥିଲେ । ସେବେଠାରୁ ଭାରତୀୟ ସମାଜ ବିଭିନ୍ନ ବର୍ଗ ଏବଂ ସମୁଦାୟରେ ବିଭାଜିତ ହୋଇ ରହିଛି ।
୧୯୩୨-୩୩ ମସିହାରେ ବି୍ରଟିଶ ପ୍ରଧାନମନ୍ତ୍ରୀ ଭାରତରେ ସାମ୍ପ୍ରଦାୟିକ ବ୍ୟବସ୍ଥା ଲାଗୁ କରାଇଥିଲେ । ତଦନୁସାରେ ମୁସଲମାନ, ଶିଖ, ଭାରତୀୟ ଖ୍ରୀଷ୍ଟିୟାନ, ଆଂଗ୍ଲୋଇଣ୍ଡିଆନ, ଏବଂ ଦଳିତଙ୍କ ପାଇଁ ଅଲଗା ନିର୍ବାଚନ କ୍ଷେତ୍ରରେ ବ୍ୟବସ୍ଥା କରାଯାଇଥିଲା । ପ୍ରାନ୍ତୀୟ ବିଧାନ ମଣ୍ଡଳରେ ଦଳିତଙ୍କ ପାଇଁ ୭୧ଟି ଆସନ ନିର୍ଦ୍ଧାରିତ କରାଯାଇଥିଲା ଏଣୁ ମତଦାତାଙ୍କୁ ସେମାନଙ୍କ ସମୁଦାୟର ବ୍ୟକ୍ତିଙ୍କୁ ମତ ଦେବାର ପ୍ରାବଧାନ ଥିଲା । ଏଭଳି ବ୍ୟବସ୍ଥାକୁ ଗାନ୍ଧି ବିରୋଧ କରିଥିଲେ ଓ ଏହି ବ୍ୟବସ୍ଥାକୁ ଡକ୍ଟର ଭୀମରାଓ ଆମ୍ବେଦକର ସମର୍ଥନ କରୁଥିଲେ । ଉଭୟଙ୍କ ମଧ୍ୟରେ ସଂରକ୍ଷଣକୁ ନେଇ ଥିବା ମତଭେଦ ପୁନା ପ୍ୟାକ୍ଟ ପରେ ଥମିଥିଲା । ଅଧିନିୟମ ୧୯୩୫ ଅନୁସାରେ ଏହି ସଂରକ୍ଷଣ ବ୍ୟବସ୍ଥାରେ ଦଳିତ ବର୍ଗ ଏବଂ ଆଦିମ ଜନଜାତି ନାମକ ସଂଜ୍ଞା ଯୋଡ଼ାଯାଇଥିଲା । ମାହାରାଷ୍ଟ୍ରରେ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ଅନୁସୂଚୀତ ଜାତି-ଜନଜାତିଙ୍କ ସହ ମରାଠା ସମୁଦାୟଙ୍କ ପାଇଁ ୧୬ ପ୍ରତିଶତ ଏବଂ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଅରୁଣାଚଳ ପ୍ରଦେଶରେ ଅନୁସୂଚୀତ ଜନଜାତିଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ରହିଛି । ସେହିପରି ତାମିଲନାଡୁରେ ସର୍ବାଧିକ ୬୯ ପ୍ରତିଶତ, ମହାରାଷ୍ଟ୍ରରେ ୫୨ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୫୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି ।
ସମ୍ବିଧାନର ଧାରା ୧୫(୪), ଧାରା ୧୬(୪) ଏବଂଧାରା ୧୬ (୪)ବି ଅନୁସାରେ ସରକାରଙ୍କୁ ଅଧିକାର ଦିଆଯାଇଛି ଯେ, ଯଦି କୌଣସି ସମାଜ ବା ବର୍ଗର ଶିକ୍ଷାସଂସ୍ଥା ବା ସରକାରୀ ନିଯୁକ୍ତିରେ ପର୍ଯ୍ୟାପ୍ତ  ପ୍ରତିନିଧିତ୍ୱ ନଥିବା କଥା ଜଣାପଡ଼େ ତେବେ ରାଜ୍ୟ ସରକାର ସେମାନଙ୍କୁ ସଂରକ୍ଷଣ ଦେଇପାରିବେ । ବିଶ୍ୱର ବିକଶିତ ଦେଶ ଚୀନ, ଆମେରିକା ଓ ଜାପାନ ଭଳି ଦେଶରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିଛି । ଭାରତରେ ଦୀର୍ଘଦିନରୁ ଚାଲି ଆସିଥିବା ଜାତି ବ୍ୟବସ୍ଥା ଦେଶର ସଂରକ୍ଷଣ ନୀତି ପ୍ରଣୟନ ପାଇଁ ଦାୟୀ । କାରଣ ଜାତି ବ୍ୟବସ୍ଥାରେ ଉତ୍ପୀଡ଼ିତ ଏବଂ ଦୁର୍ଭାଗ୍ୟଶାଳୀ ବ୍ୟକ୍ତିିମାନଙ୍କୁ ଦଳିତ ଆଖ୍ୟା ଦିଆଯାଇଛି । ଦେଶ ସ୍ୱାଧୀନ ହେବା ପୂର୍ବରୁ ଓ ପରେ ସାମାଜିକ, ଆର୍ଥିକ, ରାଜନୈତିକ ଏବଂ ସାଂସ୍କୃତିକ ସ୍ତରରେ ଜାଣିଶୁଣି ଏଭଳି ମାନସିକତା ଲୋକଙ୍କ ମନରେ ଭରି ଦିଆଯାଇଛି । ଦଳିତ ସମାଜକୁ ମୁଖ୍ୟଧାରାରେ ସାମିଲ କରିବା ପାଇଁ ଏହାକୁ ଏକ ଉଚିତ ବ୍ୟବସ୍ଥା ବୋଲି ମଧ୍ୟ କୁହାଯାଇପାରେ । ସଂରକ୍ଷିତ  ବର୍ଗ : ଅନୁସୂଚୀତ ଜାତି-ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ଦୁର୍ଭାଗ୍ୟ ଯେ ଯେହେତୁ ସେମାନେ ସଂରକ୍ଷଣର ଲାଭ  ପାଉଛନ୍ତି ତେଣୁ ସେମାନଙ୍କୁ ଜାତି ଆଧାରିତ ଭେଦଭାବକୁ ମଧ୍ୟ ସ୍ୱୀକାର କରିବାକୁ ପଡୁଛି । ନିମ୍ନ ବା ଦଳିତ ବର୍ଗଙ୍କ ବିରୁଦ୍ଧରେ କରାଯାଇଥିବା ଐତିହାସିକ ଅନ୍ୟାୟର ଭରଣା ପାଇଁ/ ଜାତି/ ବ୍ୟକ୍ତିଙ୍କୁ ରାଜ୍ୟ/କେନ୍ଦ୍ର ଦ୍ୱାରା ସମାନ ଭାବେ ପ୍ରତିନିଧିତ୍ୱର ସୁଯୋଗ ଦିଆଯାଉଛି ଏବଂ ଏହା ମଧ୍ୟ ସମ୍ବିଧାନ ସମ୍ମତ । କିନ୍ତୁ ସଂରକ୍ଷଣ ବର୍ଗର ଲୋକଙ୍କୁ ସରକାରୀ ନିଯୁକ୍ତିରେ ଅଣ ସଂରକ୍ଷିତ ବର୍ଗର ଲୋକେ ହେୟ ଦୃଷ୍ଟିରେ ଦେଖିବା ଅମାନବୀୟ   ଦୃଷ୍ଟିକୋଣର ପରିଚାୟକ । ସମ୍ବିଧାନରେ କୁହାଯାଇଛି ଯେ ଜାତିଧର୍ମର ଭେଦଭାବ ବିନା ସମସ୍ତଙ୍କୁ ସମାନ ଅବସର ଦିଆଯିବା ଉଚିତ୍ ।
ସଂରକ୍ଷଣର ସଂକଳ୍ପନାରେ ଏକଥା ନିହିତ ରହିଛି ଯେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ମାମଲାରେ ନିଷ୍ପକ୍ଷତାକୁ ଗୁରୁତ୍ୱ ଦିଆଯିବା ମାନବୀୟ ମୂଲ୍ୟ ପରମ୍ପରାରେ ନିର୍ବାହନ ଅଟେ । ସଂରକ୍ଷଣର ଉଦେ୍ଦଶ୍ୟ ପୂର୍ବାଗ୍ରହ ରହିତ ସମାଜର ନିର୍ମାଣ । ସମ୍ବିଧାନର ପ୍ରଣୟନ କର୍ତ୍ତାମାନେ ଅନେକ ଭାବିଚିନ୍ତି ପ୍ରତିରକ୍ଷା ସେବାରେ ସଂରକ୍ଷଣ ବ୍ୟବସ୍ଥା କରିନାହାଁନ୍ତି । ରାଜ୍ୟସଭା, ନ୍ୟାୟପାଳିକା, ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାର ସର୍ବୋଚ୍ଚ ପଦକୁ ସଂରକ୍ଷଣରୁ ଦୂରରେ ରଖାଯାଇଛି । କିନ୍ତୁ ଅନେକ ସମୟରେ ସଂରକ୍ଷଣକୁ ନେଇ ବିମର୍ଷ ଚାଲିଥିବାରୁ ସ୍ୱତଃ ପ୍ରଶ୍ନ ଉଠେ ଯେ ଏହି ସଂରକ୍ଷଣ ବ୍ୟବସ୍ଥାର ଅନ୍ତ କେଉଁଠି? ବିଗତ ୪/୫ ଦଶକ ହେବ ସଂରକ୍ଷଣକୁ ନେଇ ଯେମିତି ବିଭିନ୍ନ ବର୍ଗର ଲୋକେ ଆନେ୍ଦାଳନକୁ ଓହ୍ଲେଇଛନ୍ତି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ସଂରକ୍ଷଣର ନିଅାଁ କେବେ ଲିଭିବ ନାହିଁ । ଏହାର କାରଣ ହେଉଛି ସମ୍ବିଧାନରେ ଅନୁସୂଚିତ ଜାତି-ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ଉତ୍ଥାନ ପାଇଁ ସଂରକ୍ଷଣ ଏକ ଧାର୍ଯ୍ୟ ସମୟ ସୀମା ପର୍ଯ୍ୟନ୍ତ ଦିଆଯାଇଥିଲା । କିନ୍ତୁ ସଂରକ୍ଷଣ ଜାତି ଏବଂ ସମାଜ ମଧ୍ୟରେ ଅବଧାରଣା ରହିଛି ଯେ ସେମାନଙ୍କୁ ସବୁବେଳେ ସଂରକ୍ଷଣ ମିଳିବା ଆବଶ୍ୟକ । ସଂରକ୍ଷଣ ଜଡ଼ ସବୁ ସମାଜରେ ପରିବ୍ୟାପ୍ତ ହୋଇ ରହିଛି । ବୋଧହୁଏ ଏହି କାରଣରୁ ଅନୁସୂଚୀତ ଜାତି-ଜନଜାତି ଓ ପଛୁଆବର୍ଗର ଭୋଟର ତାଙ୍କ ଜାତିର ଲୋକଙ୍କୁ ଭୋଟ ଦେଇଥାନ୍ତି ଯେପରି ସଂରକ୍ଷଣ ବିରୁଦ୍ଧରେ ଯେପରି ଆଇନ୍ ପ୍ରଣୟନ ହୋଇନପାରିବ । ରାଜନୈତିକ ଦଳମାନେ ମଧ୍ୟ ବିଧାନସଭା ଓ ଲୋକସଭାରେ ସଂଖ୍ୟାଗରିଷ୍ଠତା ପାଇଁ ରାଷ୍ଟ୍ରୀୟ ହିତକୁ ଭୁଲି ଯାଇଥାନ୍ତି । ଆଞ୍ଚଳିକ ଦଳମାନେ ଜାତିବାଦ, ଭାଷାବାଦ ଓ ଆଞ୍ଚଳିକବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି କାରଣ ସେମାନଙ୍କର ଗଠନ ହିଁ ସଙ୍କୁଚିତ ଦୃଷ୍ଟିକୋଣ ଆଧାରିତ ଅଟେ । ସଂରକ୍ଷଣରୁ ରାଷ୍ଟ୍ର କ’ଣ ହରାଇଛି ଓ କ’ଣ ପାଇଛି? ଏକଥାର ବିଶ୍ଳେଷଣ କରାଯିବା ଆବଶ୍ୟକ । ୨୦୦ ବର୍ଷରୁ ଅଧିକ ସମୟ ପୂର୍ବେ ଇଂରେଜମାନେ ଯେଉଁ ସଂରକ୍ଷଣର ନିଅାଁ ଲଗାଇ ଦେଇ ଯାଇଛନ୍ତି ତାହା ଲିଭିବ କେବେ?
        ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪