ରାସ୍ତାକଡ଼ରେ ଜମୁଛି ସୁଆଦିଆ ତାଳ ସଜ

 ନୂଆପଡା  : ପ୍ରକୃତି ଆମ ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରିଥାଏ । ବିଶେଷ କରି ଋତୁ ଅନୁଯାୟୀ ଆମ ଶରୀର ଆବଶ୍ୟକ କରୁଥିବା ଉପାଦାନ ସବୁ ପ୍ରକୃତି ଯୋଗାଇ ଥାଏ । ଏବେ ଖରା ଦିନ ଚାଲିଥିବା ବେଳେ ତରଭୁଜ, କାକୁଡି, ପଇଡ ପାଣି, ଆଖୁ ରସ ପରି ତାଳ ସଜ ମଣିଷ ପାଇଁ ପ୍ରକୃତିର ମହାନ୍ ଅବଦାନ । ଏବେ ରାସ୍ତା କଡ଼ରେ ତାଳ ସଜର ପସରା । ତାଳକୁ କାଟି ସଜ ବାହାର କରି ପତ୍ର ଠୋଲାରେ ଗ୍ରାହକକୁ ବଢାଇ ଦେଉଛି ବେପାରୀ । ଲୋକେ ମଧ୍ୟ ଆଗ୍ରହର ସହ ଖାଉଛନ୍ତି । ଖଡ଼ିଆଳ ଅଞ୍ଚଳରେ ବହୁଳ ପରିମାଣରେ ତାଳ ଗଛ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ସ୍ଥାନରେ ସଜ ବିକ୍ରି ହେଉଛି । କିଛି ବ୍ୟକ୍ତି ଗଛରୁ ତାଳ ଫଳ ତୋଳି ବିକ୍ରି ପାଇଁ ପସରା ମେଲାଇଥାନ୍ତି । ପରେ କାଟିକି ସଜ ବାହାର କରି ବିକ୍ରି କରିଥାନ୍ତି । ଲୋକେ ଖାଇବା ସହ ଘର ପାଇଁ କିଣିକି ନେଇଥାନ୍ତି । ଏହା ସୁଆଦିଆ ଓ ଦେହ ପାଇଁ  ବହୁତ ହିତକର ବୋଲି ଲୋକଙ୍କ ମତ । ଏହା ପାଟିକୁ ମଜା ଓ ଦେହକୁ ଥଣ୍ଡା ରଖିଥାଏ । ଉଦୁ ଉଦିଆ ଖରାରେ ଦେହ ଆବଶ୍ୟକ କରୁଥିବା ଜଳୀୟ ଅଂଶ ଏହାଠାରୁ ମିଳିଥାଏ । କଷି ଥିବା ବେଳେ ଏଥିରୁ ପ୍ରଚୁର ଜଳୀୟ ଅଂଶ ମିଳିଥାଏ ମଗାଁ ଗହଳିରେ ପ୍ରତ୍ୟେକ ଘରେ ତାଳ ସଜ ମିଳୁଥିବା ବେଳେ ଏବେ ସହରିଆ ଲୋକେ ମଧ୍ୟ ଏହା ଖାଇବାକୁ ପସନ୍ଦ କରିଛନ୍ତି । କେବଳ ତାଳର ସଜ ନୁହଁ, ସଜର ଜୁସ ଓ ପିଠା କରି ମଧ୍ୟ ଲୋକେ ଖାଇଥାନ୍ତି । ଅନେକ ପରିବାର ଏହା ବିକ୍ରୟ କରି ଭଲ ଦୁଇ ପଇସା ରୋଜଗାର କରୁଥିବା ବେଳେ କିଛି ସ୍ଥାନରେ ବଦାନ୍ୟ ବ୍ୟକ୍ତି ମାନେ ମାଗଣାରେ ଏହା ଖାଇବାକୁ ଦେଉଛନ୍ତି । ତାଳ ଫଳରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ, ଯାହା ଶରୀର ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଏହି ଗଛ ବହୁତ ଉଚ୍ଚ ହୋଇଥିବାରୁ ବଜ୍ରାଘାତରୁ ରକ୍ଷା କରିଥାଏ । ଏବେ ବଜ୍ରାଘାତ ପରିମାଣ ବୃଦ୍ଧି ପାଉଛି ଓ ଧନ ଜୀବନ ନଷ୍ଟ ହେଉଛି । ଏଣୁ ପରିବେଶବିତ ମାନେ ବହୁଳ ପରିମାଣରେ ତାଳ ଗଛ ଲଗାଇବାକୁ କହୁଛନ୍ତି । ଏଣୁ ଏହି ଗଛ ଲଗାଇଲେ ପରିବେଶର ସୁରକ୍ଷା ସହ ଖରାଦିନରେ ବହୁଳ ପରିମାଣର ଫଳ ମିଳି ପାରିବ ।
ବୁଗୁଡା :  ବୁଗୁଡ଼ା ସହର ଏବଂ ଏହାର ଆଖପାଖ କେତେକ ଅଞ୍ଚଳରେ ଏଇ କିଛି ଦିନ ହେଲା ତାପମାତ୍ରାର ହ୍ରାସବୃଦ୍ଧି ଘଟୁଥିଲେ ହେଁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ମିଳୁନଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଅସହ୍ୟ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ଓ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନାନା ଉପାୟ ଅବଲମ୍ବନ କରୁଛନ୍ତି ।  ସେହି ଅନୁସାରେ ଲୋକଙ୍କ ଖାଇବା ଓ ପିଇବାରେ ଚାହିଦାରେ ମଧ୍ୟ କିଛିଟା ପରିବର୍ତ୍ତନ ଘଟିଛି । ଲୋକେ ପେଟ ଥଣ୍ଡା ରଖୁଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରାସ୍ତାକଡରେ ପସରା ମେଲାଇ ବସିଥିବା ତାଳସଜ ବେପାରୀଙ୍କ ନିକଟରେ ଲୋକମାନେ ଭିଡ ଜମାଉଥିବାର ଦେଖିବାକୁ ମିଳୁଛି । ପେଟ ଥଣ୍ଡା ରଖିବା ପାଇଁ ଲୋକେ ତାଳସଜ ଖାଇବା ପ୍ରତି ଅଧିକ ଆକୃଷ୍ଟ ହେଉଥିବା ପରିଲକ୍ଷିତ ହେଉଛି  । ଲୋକଙ୍କ ଚାହିଦା ମୁତାବକ  ରାସ୍ତା କଡରେ ତାଳସଜ ବେପାର ମଧ୍ୟ ଖୁବ୍ ଜମୁଛି । ତାଳ ଗୋଟା ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି । ତେଣୁ, ତାଳସଜ ବେପାରୀ ଭଲ ଲାଭ ପାଇ ଉସôାହିତ ଥିବା ଦେଖିବାକୁ ମିଳୁଛି ।