ରାସ୍ତାରେ ବାଲି ସାଲୁସାଲୁ; ବଢୁଛି ଦୁର୍ଘଟଣା
ବରୀ: ନିକଟରେ ନିର୍ମାଣ ହୋଇଥିବା ରାସ୍ତା ବାଲିରେ ସାଲୁବାଲୁବାଲୁ । ବାଲିରେ ଗତାଗତ କଲାବେଳେ ସାଇକେଲ ଓ ବାଇକ ଚାଳକ ହେଉଛନ୍ତି ଦୁର୍ଘଟଣାର ସମ୍ମୁଖୀନ । ରାସ୍ତା ନିର୍ମାଣର ଦୀର୍ଘ ଦିନ ପରେ ମଧ୍ୟ ରାସ୍ତା ଉପରୁ ସମ୍ପୃକ୍ତ ଠିକାଦାର କାହିଁକି ବାଲି ସଫା କରୁନାହାନ୍ତି ଓ ବିଭାଗୀୟ ଅଧିକାରୀଙ୍କ ନଜର କିଭଳି ପଡ଼ୁନି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବରୀ ବ୍ଳକର ଜୀବନ ରେଖା କୁହା ଯାଉଥିବା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତାର ମଲିଆଘାଇରୁ କଣିବାଙ୍କ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର ଏଅବସ୍ଥା ଦେଖିବାକୁ ମିଳିଛି । ନିକଟରେ ଏହା ଢ଼ଳେଇ ହୋଇଥିଲା ବେଳେ ପାଣିଦେବା ନାମରେ ଏହା ଉପରେ ବାଲି ଗଦା କରାଯାଇଥିଲା । ନାମକୁ ମାତ୍ର ଥରେ ଦୁଇଥର ପାଣି ଦେଇ ଠିକାଦାର ବାଲିକୁ ସଫା ନକରି ଚାଲି ଯାଇଛନ୍ତି । ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାରେ ମଟର ସାଇକେଲ ଓ ସାଇକେଲ ଗତାଗତ କରୁଛି । ବୟସ୍କଙ୍କ ସହିତ ବହୁ ଛାତ୍ରଛାତ୍ରୀ ଏହି ରାସ୍ତାରେ ମଧ୍ୟ ସାଇକେଲ ଓ ବାଇକରେ ଗତାଗତ କରୁଛନ୍ତି । ବାଲି ଗଦା ହେବା ଫଳରେ ବାଇକ ଓ ସାଇକେଲ ଆରୋହୀ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ।