ରେଙ୍ଗାଲି କେନାଲ ପାଇଁ ଅଧାରେ ଅଟକିଛି ପାନୀୟଜଳ ପ୍ରକଳ୍ପ
ରଗଡି: ରେଙ୍ଗାଲି କେନାଲ ପାଇଁ ଅଧାରେ ଅଟକିଛି ପାନୀୟଜଳ ପ୍ରକଳ୍ପ । ପାନୀୟ ଜଳ ପାଇଁ ବ୍ୟାସନଗର ତହସିଲ ପକ୍ଷରୁ ଚିହ୍ନଟ ଦିଆଯାଇଥିବା ସ୍ଥାନରେ ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯାଇଥିଲା । ପ୍ରକଳ୍ପ ଅଧାଅଧି ହୋଇଥିବା ବେଳେ ରେଙ୍ଗାଲି କେନାଲ ପ୍ରୋଜେକ୍ଟ ପ୍ରକଳ୍ପସ୍ଥଳରେ ଯାଉଥିବାରୁ ବିଭାଗ ପକ୍ଷରୁ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । କୋରେଇ ବ୍ଲକ ପଛିକୋଟ ପଞ୍ଚାୟତ ଖମିଗାଁରେ ଉପୁଜିଛି ଏଭଳି ସମସ୍ୟା । ଯଦି କହିବା ପୂର୍ବରୁ ରାସ୍ତାର ଅପରପାର୍ଶ୍ୱରେ ଅଂଚଳକୁ ମେଗା ପାନୀୟଜଳର ସୁବିଧା ଦେବା ପାଇଁ ଓଭର ହେଡ଼ ପାଣି ଟାଙ୍କିର କାର୍ଯ୍ୟ ଶେଷ ହୋଇଥିଲା । ହେଲେ ଆନୁସଙ୍ଗିକ କାର୍ଯ୍ୟ ଶେଷ ନହେବାରୁ ଲୋକଙ୍କୁ କେବେ ବିଶୁଦ୍ଧ ପାଇପ ପାଣି ଯୋଗାଇ ଦିଆଯିବ ତାହା ପ୍ରଶ୍ନ ହୋଇରହିଥିବା ବେଳେ ଉକ୍ତ ପ୍ରକଳ୍ପର ଶହେ ମିଟର ଦୂରରେ ନୂତନ ପାନୀୟଜଳ ପ୍ରକଳ୍ପ ନିର୍ମାଣ କାମ କରାଯାଇଥିଲା । ହେଲେ ତାହା କେନାଲ ପାଇଁ ଅଧାରୁ ବନ୍ଦ ରହିଛି । ପ୍ରଶ୍ନ ଉଠେ ପୂର୍ବରୁ ଆଗ କେନାଲ ପାଇଁ ସ୍ଥାନଚିÿହ୍ନଟ ହୋଇଥିଲା ନା ପାନୀୟଜଳ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିଲା । ପ୍ରକଳ୍ପ ନିର୍ମାଣରେଏବେ ସୁଦ୍ଧା ଯେଉଁ ଟଙ୍କା ଖର୍ଚ୍ଚ ହେଲା ତାକୁ କିଏ ଭରଣା କରିବ କିଏ? ଏ ସମ୍ପର୍କରେ ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ସୁଧାକର ପଣ୍ଡାଙ୍କୁ ପଚାରିବାରୁ ପାନୀୟଜଳ ପ୍ରକଳ୍ପ ନିର୍ମାଣ ପାଇଁ ତହସିଲ ପକ୍ଷରୁ ଆମକୁ ପ୍ରଥମେ ଉକ୍ତ ଜାଗା ଚିହ୍ନଟ ଦିଆଯାଇଥିଲା । ଯାହା ଫଳରେ ସେଠାରେ କାର୍ଯ୍ୟ ଆରମ୍ଭ କରାଗଲା । ପରେ ସେଠାରେ କେନାଲ ଯିବ ବୋଲି କୁହାଯାଇ ଜଳସେଚନ ବିଭାଗ ପକ୍ଷରୁ କାମ ବନ୍ଦ କରାଯାଇଛି । ଜାଗା ଚିହ୍ନଟ ହେଲେ ପୁନର୍ବାର କାମ ଆରମ୍ଭ ହେବ ବୋଲି କହିଥିଲେ । କେନାଲ ନିର୍ମାଣ ଓ ପାନୀୟଜଳ ଯୋଜନା ଉଭୟ ଲୋକଙ୍କ ସ୍ୱାର୍ଥରେ ଜଡିତ । ଦୀର୍ଘ ଦିନ ଧରି ଅଞ୍ଚଳବାସୀ ପାନୀୟଜଳ ସମସ୍ୟା ଭୋଗ କରୁଥିବାରୁ ତ୍ୱରିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।