ବିଦ୍ୟାଳୟ କ୍ରିକେଟ୍ ସ୍କୁଲ-ଏ ବିଜୟୀ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଲିଗ ମ୍ୟାଚ ସ୍କୁଲ-ଡି ଓ ସ୍କୁଲ-ଏ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସ୍କୁଲ-ଏ ବିଜୟୀ ହୋଇଛି । ସ୍କୁଲ-ଡି ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା । ସ୍କୁଲ-ଡି ବ୍ୟାଟିଂ କରି ୩୫ ଓଭରରେ ୬ ଉଇକେଟ୍ ବିନିମୟରେ ୧୬୫ ରନ୍ କରିଥିଲା । ଜବାବରେ ସ୍କୁଲ-ଏ ୨୬.୩ ଓଭରରେ ୪ ଉଇକେଟ୍ ବିନିମୟରେ ୧୬୬ ରନ୍ କରିଥିଲା । ଫଳରେ ୬ ଉଇକେଟ୍ରେ ସ୍କୁଲ-ଏ ବିଜୟୀ ହୋଇଥିଲା । ସ୍କୁଲ-ଏ ଦଳର ଶୁଭମ ମହାରଣା ୮୩ ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହ ୬୨ ରନ୍ ସଂଗ୍ରହ କରି ଅପରାଜିତ ରହି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ । ଅତିଥି ଭାବେ ଅବିନାସ ବଳ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ଶୁଭମଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ନିରଞ୍ଜନ ଦାସ ଓ ବିଶ୍ୱଜିତ ଅଧିକାରୀ ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ସେକ ମୀନାଉଦ୍ଦିନ କାର୍ଯ୍ୟ ତୁଲାଇଥିବା ବେଳେ ବରଦାକାନ୍ତ ବରାଳ ଓ ସମିର ମହାପାତ୍ର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ନେତୃତ୍ୱରେ ଆକବର ଅଲ୍ଲୀ ଖାଁ, ଚିରଞ୍ଜିବୀ ବଳ, ଜ୍ୟୋତି ରଞ୍ଜନ ଶତତ୍ପଥ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।