କାମ ଛାଡି ଠିକାଦାର ଛୁ’ : ବନ୍ୟାରେ ବିପଦ ଆଣିବ ନାଉବଙ୍କ-କୁସୁନୁପୁର ନଦୀବନ୍ଧ
ବିଞ୍ଝାରପୁର: ରାଜ୍ୟରେ ମୌସୁମୀ ଆସିବା ପରେ ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେତୁ ଜିଲ୍ଲାରେ ବଢୁଛି ବୈତରଣୀ ଆଉ ବୁଢ଼ା ନଦୀ । ଯାହାର ପ୍ରଭାବରେ ଖରସ୍ରୋତାର ଜଳସ୍ତର ବୃଦ୍ଧି ପାଉଛି । ଖରସ୍ରୋତାର ଅନ୍ୟତମ ଶାଖାଯାଇଛି ଜରି ମହାରା ଠାରୁ କୁସୁନୁପୁର ପର୍ଯ୍ୟନ୍ତ । ଯାହାକି କୋଡ଼ିଏ ମସିହାରେ ଏହି ଶାଖା ନଦୀର ନାଉବାଙ୍କ ନିକଟରେ ନଦୀରେ ପାଣି ଆସିବାରୁ ଦୁଇ ଦୁଇଟି ଘାଇ ସୃଷ୍ଟି ହୋଇଥିଲା । ଯାହାର ପ୍ରଭାବରେ ହଳଦୀଡିଅ, ଟିଣା, କପିଳା, ଜରି, ଆଉଁରି ପଞ୍ଚାୟତ ସମେତ ଅନେକ ଗୁଡ଼ିଏ ଗାଁ ପ୍ରଭାବିତ ହେବା ସହ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ହୋଇଥିଲା । ନାଉବାଙ୍କ ଘାଇ ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ଚେକ୍ ଗେଟ୍ ନିର୍ମାଣ କରାଯାଇଛି । ଚେକ୍ ଗେଟ୍ରୁ ଗୋଟିଏ ତଳ ରାସ୍ତା ହଳଦୀଢିଅ ଓ ଆଉଁରୀକୁ ସଂଯୋଗ କରୁଥିବା ବେଳେ ଉପର ନଦୀବନ୍ଧ ରାସ୍ତାଟି କୁସୁନୁପୁରକୁ ସଂଯୋଗ କରୁଛି । ଅଣଓସାରିଆ ଓ ଦୁର୍ବଳ ନଦୀ ବନ୍ଧ ସକାଶେ ବନ୍ଧରୁ ମାଟି ଦବିବା ସହ ଅତଡା ଖାଉଥିଲା । ଏହା ବିପପୂର୍ଣ୍ଣ ଭାବି ନଦୀ ବନ୍ଧକୁ ସୁରକ୍ଷା ଦେବା ପାଇଁ ଗାର୍ଡୱାଲ, ମାଟିପ୍ୟାକିଂ କରି ଚଉଡ଼ା କରିବା ସମେତ ପଥର ପ୍ୟାକିଂ ଜଳସମ୍ପଦ ବିଭାଗ ପକ୍ଷରୁ ପାଖାପାଖି ୪ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଟେଣ୍ଡର ଡକାଯାଇଥିଲା । କାର୍ଯ୍ୟର ଫଳକ ନଥିବା ହେତୁ ଏହି କାର୍ଯ୍ୟ ଅବଧିକୁ ବିଭାଗ ପକ୍ଷରୁ ଗୋପନ ରଖାଯାଇଥିବା ଅନୁମାନ କରାଯାଉଛି । ହେଲେ ବର୍ଷା ଦିନ ଓ ନଦୀରେ ବନ୍ୟା ଆସିବା ପୂର୍ବରୁ ଉକ୍ତ କାର୍ଯ୍ୟ ସରିବା ପାଇଁ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ହେଲେ କାର୍ଯ୍ୟଟି ଅଦ୍ୟାବଧି ୪୦ଭାଗରୁ ଊଦ୍ଧ୍ୱର୍ ସମ୍ପୂର୍ଣ୍ଣ ହୋଇଥିବାବେଳେ ସଂପୃକ୍ତ ଠିକାସଂସ୍ଥା ଏହାକୁ ଅବମାନନା କରିଥିବା ଦେଖିବାକୁ ମିଳିଛି । ଏମିତି କି ଗାର୍ଡୱାଲ୍ କାର୍ଯ୍ୟଟି ନିମ୍ନମାନର କରାଯାଉଥିବାବେଳେ ମନମୁଖୀ କାର୍ଯ୍ୟ କରି ଠିକା ସଂସ୍ଥା ଅଧାରୁ ଛୁ’ ମାରିଛି । ଏମିତି କାର୍ଯ୍ୟ ବନ୍ଦ ରହିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଜାଣିନାହାନ୍ତି ବୋଲି ତାଙ୍କ କଥାରୁ ବେଶ୍ ବାରି ହୋଇ ପଡ଼ୁଛି । ଯଦି ଚଳିତ ବର୍ଷ ଖରସ୍ରୋତାରେ ବଡ ବନ୍ୟା ଆସେ ତେବେ ଏହି ନଦୀ ବନ୍ଧଟି ବଡ ବିପଦ ଆଣିବା ସହ ପାଖାପାଖି ୬ରୁ ଊଦ୍ଧ୍ୱର୍ ପଞ୍ଚାୟତକୁ ବିପଦ ଆଣିବ ବୋଲି ଅଞ୍ଚଳବାସୀ କହୁଛନ୍ତି ।