୨୩୮ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ : ଅନୁପସ୍ଥିତ ଅଧିକାରୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
ଛତ୍ରପୁର,: ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଓ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୨୩୮ ଜଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ସେଥିମଧ୍ୟରୁ ୨୨୭ଟି ବ୍ୟକ୍ତିଗତ ହୋଇଥିବାବେଳେ ୧୧ ଟି ସାମୂହିକ ଅଭିଯୋଗ ରହିଥିଲା । ବିଶେଷ କରି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ରାସନ କାର୍ଡ ସମେତ ବିଭିନ୍ନ ଅଭିଯୋଗ ଗୁଡିକ ଶୁଣାଣି କରାଯାଇଥିଲା । କେତକ ଅଭିଯୋଗ ଗୁଡିକର ସମାଧାନ ହୋଇଥିବାବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ତେବେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଗୁଡିକକୁ ଶୁଣି ସଙ୍ଗେ ସଙ୍ଗେ ଜନଶୁଣାଣି ପୋର୍ଟାଲରେ ପଞ୍ଜିକରଣ କରିଥିଲେ । ଯାହାଫଳରେ ଲୋକଙ୍କ ଅଭିଯୋଗ ଗୁଡିକ ସିଧାସଳଖ ପଞ୍ଜିକରଣ ହୋଇ ଟ୍ରାକ ହୋଇ ପାରିବ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ପାଖକୁ ଯାଇପାରିବ । ଅନ୍ୟପକ୍ଷରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚନା ପାଇ ଯେଉଁ ଅଧିକାରୀମାନେ ଅନୁପସ୍ଥିତ ରହିଥିଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ସ୍ୱତନ୍ତ୍ର ବିଦ୍ୟାଳୟର କେତକ ବିଦ୍ୟାର୍ଥୀଙ୍କ ବ୍ରେଲ ଶିକ୍ଷା ନିମନ୍ତେ ଆଧୁନିକ ଯନ୍ତ୍ର (ଆନି ସ୍ମାର୍ଟ ମେସିନ୍) ପ୍ରଦାନ କରାଯାଇଛି । ଏହା ସହିତ ୮ଜଣଙ୍କୁ ୫୨ ହଜାର ୫୦୦ ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଆଭିଯୋଗ ଶୁଣାଣି ଶିବିରରେ ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।