ଶାବଳରେ ବାପା, ପୁଅକୁ ଆକ୍ରମଣ ଘଟଣା : ଆକ୍ରମଣକାରୀ ବାପା ଓ ପୁଅ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପଡୋଶୀଙ୍କ ମଧ୍ୟରେ ବଚସା ଓ ପରେ ଆକ୍ରମଣ ଘଟଣା ଘଟିଥିଲା । ଗୋଟିଏ ପରିବାରର ବାପା ଓ ପୁଅଙ୍କ ମିଳିତ ଆକ୍ରମଣରେ ଅନ୍ୟ ଏକ ପରିବାରର ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ । ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଆକ୍ରମଣକାରୀ ବାପା ଓ ପୁଅଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ରାମଚନ୍ଦ୍ର ମୁନି (୫୨) ଓ ତାଙ୍କ ପୁଅ ଅରୁଣ ମୁନି (୨୫) ।
ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ ଘଣ୍ଟା ସମୟରେ ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ୨ ପଡୋଶୀ ପୁର୍ଣ୍ଣଚନ୍ଦ୍ର ମୁନି ଓ ରାମଚନ୍ଦ୍ର ମୁନିଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଚସା ହୋଇଥିଲା । ପରେ ଉଭୟ ପରିବାରର ୨ ପୁଅ ଘଟଣାରେ ସଂପୃକ୍ତ ହୋଇଥିଲେ । ବଚସା ଉଗ୍ରରୂପ ଧାରଣ କରିବା ପରେ ରାମଚନ୍ଦ୍ର ଓ ତାଙ୍କ ପୁଅ ଅରୁଣ ଘରୁ ଏକ ଶାବଳ ଆଣି ପୁର୍ଣ୍ଣଚନ୍ଦ୍ର ମୁନି (୪୦) ଓ ତାଙ୍କ ପୁଅ ଅମରନାଥ ମୁନି (୧୭)ଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟ ବାପା ଓ ପୁଅ ଗୁରୁତର ଆହତ ହୋଇଥିଲେ । ଆହତ ବାପା ଓ ପୁଅଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀ ବାପା ଓ ପୁଅଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଶାବଳକୁ ଜବତ କରିଥିଲା । ଘଟଣା ନେଇ ଗୁରୁତର ଆହତ ପୁର୍ଣ୍ଣଚନ୍ଦ୍ରଙ୍କ ଝିଅ ପୁଜା ମୁନି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୦୦/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ଆକ୍ରମଣକାରୀ ବାପା ଓ ପୁଅଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।