ଘର ଖଣ୍ଡିଏ ନାହିଁ; ପର ଘରେ ଆଶ୍ରୟ ନେଉଛନ୍ତି ଭାନୁମତୀ

ଘର ଖଣ୍ଡିଏ ନାହିଁ; ପର ଘରେ ଆଶ୍ରୟ ନେଉଛନ୍ତି ଭାନୁମତୀ

ଆନନ୍ଦପୁର :- ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଫଳରେ ପର ଦୁଆରେ ବାର ଶୁଣ୍ଢୀ ହେଉଛନ୍ତି ଅସହାୟ ଭାନୁମତୀ । ସୂଚନା ଅନୁଯାୟୀ ଏହି ବ୍ଲକ ଅନ୍ତର୍ଗତ ଟୋଲଙ୍ଗପୋଡା ଗ୍ରାମର ଭାନୁମତୀ ପଣ୍ଡା । ବୟସ ଆସି ୬୦ଛୁଇଁଲାଣି । କିନ୍ତୁ ନିଜର ଆବାସ ଘର ଖଣ୍ଡିଏ ନଥିବାରୁ ଭାନୁମତୀ ଅନ୍ୟଜନକ ଘରେ ଆଶ୍ରୟ ନେଉଛନ୍ତି । ବିବାହର ମାତ୍ର କିଛି ଦିନ ପରେ କୌଣସି କାରଣକୁ ନେଇ ଭାନୁମତୀ ଶାଶୂଘର ଛାଡି ନିଜ ଗ୍ରାମରେ ଭାଇ ଭାଉଜଙ୍କ ସହିତ ମିଶି ରହୁଥିଲେ । ତେବେ ଗୋଟିଏ ବଖରା ଥିବାରୁ ବହୁ କଷ୍ଟରେ ପରିବାର ଲୋକେ ସେଥିରେ ରହୁଥିଲେ । ଭାନୁମତୀ ପର ଘରେ କାମଧନ୍ଦା କରି ନିଜ ପେଟ ପୋଷି ଥାଆନ୍ତି । ତେବେ ତାଙ୍କ ଭାଇଙ୍କ ପୁଅ ବାହାଘର ପରେ ଭାନୁମତୀଙ୍କ ରହିବା କଷ୍ଟ ହୋଇପଡ଼ିଲା । ସେବେ ଠାରୁ ସେ ବେସାହାରା ହୋଇ ଗ୍ରାମର ସୁବାସ ସାହୁଙ୍କ ଘରେ ଆଶ୍ରୟ ନେଇ ଆସୁଛନ୍ତି । ତେବେ ଆବାସ ଘର ଖଣ୍ଡେ ପାଇଁ ଭାନୁମତୀ ବ୍ଳକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣାପାତ କରୁନଥିବା ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ମିନତୀ ମହାରଣାଙ୍କୁ ପଚାରିବାରୁ ଆଗରୁ ଭାନୁମତୀଙ୍କ ନାମରେ ଏକ ଆବାସ ଗୃହ କରିବା ପାଇଁ ଲିଷ୍ଟ ଆସିଥିଲା । କିନ୍ତୁ ସେହି ସମୟରେ ଭାନୁମତୀ ଘରେ ରହୁ ନଥିବାରୁ ଯୋଜନାଟି ହାତରୁ ଚାଲି ଯାଇଥିଲା । ତେବେ ଖୁବ୍ ଶୀଘ୍ର ପୁନଶ୍ଚ ଭାନୁମତୀଙ୍କ ଉଦ୍ଦଶ୍ୟରେ ଆବାସ ଘର ଖଣ୍ଡିଏ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ।