ମନରେଗା ଦୁର୍ନୀତି ପ୍ରସଙ୍ଗ ; ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ବ୍ରହ୍ମବରଦା : ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡା ପଞ୍ଚାୟତରେ ମନରେଗା ଯୋଜନା କାର୍ଯ୍ୟରେ କିଛି ଅସାଧୁ ଠିକାଦାର ବିଭାଗୀୟ ଅଧିକାରୀ ମାନଙ୍କୁ ହାତକରି ଶ୍ରମିକ ବଦଳରେ ମେସିନରେ କାମ କରାଯାଇଥିବା, ଅନେକ ସ୍ଥାନରେ ବିଲକୁଲ କାମ ନ ହୋଇ ମଧ୍ୟ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା, ଗୋଟିଏ ରାସ୍ତାକୁ ଦୁଇଥର ବିଲ ଓ ବୃକ୍ଷ ରୋପଣ କାର୍ଯ୍ୟରେ ବହୁ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ପ୍ରସଙ୍ଗକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ତଦନ୍ତ କରିବା ନେଇ ଆଜି ଗ୍ରାମବାସୀ ଜିଲ୍ଲାପାଳ, ଭିଜିଲାନ୍ସ ଓ ଯାଜପୁର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ/ନିଳକଣ୍ଠପୁର ଗ୍ରାମରେ ଗତ ୨୦୨୨୩-୨୪ ଓ ୨୦୨୪-୨୫ ଦୁଇଟି ଆର୍ôଥକ ବର୍ଷ ମଧ୍ୟରେ ୧୫ରୁ ଉର୍ଦ୍ଧ ବୃକ୍ଷରୋପଣ ଓ ୨୦ରୁ ଉର୍ଦ୍ଧ ମାଟି ମହରମ କାର୍ଯ୍ୟ କରାଯାଇଛି। ଏନେଇ ସରକାରଙ୍କ ରାଜସ୍ୱ ପାଣ୍ଠିରୁ ୨କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସଂପୃକ୍ତ କର୍ମଚାରୀମାନେ ଗୋଟିଏ ରାସ୍ତାକୁ ଦୁଇ ଦୁଇ ଥର ବିଲ କରି, ଅଧିକାଂଶ ସ୍ଥାନରେ ମାଟି ନ ପକାଇ, ଗଛ ନ ଲଗାଇ ୧କୋଟି ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡପ କରିନେଇଥିବା ଅଭିଯୋଗ କରିଛନ୍ତି । ସେହିପରି କେଉଁ ପ୍ରକଳ୍ପ କେଉଁ ସ୍ଥାନରେ ହେବ ଏନେଇ ସ୍ଥାନିୟ ଆରଆଇ ଜମି ଚିହ୍ନଟ କରିଥିବା ବେଳେ ହେଲେ ଠକ ବ୍ୟକ୍ତିମାନେ ଉକ୍ତ ସ୍ଥାନରେ କରି ନ ଥିବା ଚିଠିରେ ଦର୍ଶାଯାଇଛି । ଏଣୁ ଏହାକୁ ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଅମ୍ବର କର ଓ ଭିଜିଲାନ୍ସ ଅଧିକାରୀ ସୁସିଲ କୁମାର ଏକ୍କା ସମେତ ବିଡିଓ ହେମନ୍ତ ମହନ୍ତଙ୍କ ନିକଟରେ ଗ୍ର୍ରାମବାସୀ ଦାବି କରିଛନ୍ତି ।