ଲିଜ ଆଳରେ କଳାପଥର ଲୁଟ୍!

 ଯାଜପୁର:  ଲଘୁ ଖଣିଜ ସମ୍ପଦ ଲୁଟ ରୋକିବା ପାଇଁ ସରକାର ଅନେକ୍ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ କୋହଳ ମନୋଭାବ ପାଇଁ ଖଣିଜ ସମ୍ପଦ ଲୁଟ ବୃଦ୍ଧି ପାଉଛି । ବେଆଇନ କଳାପଥର କାରବାର ଉପରେ ସାଟେଲାଇଟ୍ ମାପଚୁପ କରି ବିଭିନ୍ନ ପର୍ଯ୍ୟାୟରେ ୩୨୦କୋଟି ଟଙ୍କାର ଜରିମାନା ଆଦାୟ ନିଦେ୍ର୍ଦଶ ପରେ ଏବେ ଲିଜଧାରୀ ଲୁଟର ନୂଆ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସାଟେଲାଇଟ୍ ମାପଚୁପ ଓ ଜରିମାନା ନିଦେ୍ର୍ଦଶରୁ ବଂଚିବାକୁ ନିଜ ଲିଜ୍ ଅଂଚଳକୁ ବାଦ୍ ଦେଇ ଅଣଲିଜ ଖାଦାନ ଗୁଡ଼ିକରୁ ଦିନ ଦ୍ୱିପ୍ରହରରେ ବିପୁଳ କୋଟି ଟଙ୍କାର କଳାପଥର ଲୁଟ୍ କରୁଛନ୍ତି । ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜା ବିଏସକୁ୍ୟ ନମ୍ବର ୬, ଖାତା ୮୨୨,ପ୍ଲଟ ୨୩୩୮(ପି) ସୈରାତକୁ ଉଦାହରଣ ରୂପେ ନିଆଯାଇପାରେ । ଲିଜ୍ ପାଇ ବିନା ଟ୍ରାନ୍ଜିଟ ପାସ୍ (ଟିପି)ରେ ବିପୁଳ କଳାପଥର ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି । ଏହି ଖଣି ବାର୍ଷିକ ୩୦,୦୨୭ଘନ ମିଟର ଉତୋଳନ ପାଇଁ ଅନୁମତି ମିଳିଛି । ଲିଜଧାରୀ ଦୈନିକ ଶହ ଶହ ଟ୍ରିପ ପଥର ଉତ୍ତୋଳନ କରୁଥିବା ଅଭିଯୋଗ ହେଇଆସୁଛି । ଖଣିରେ ନୟୋଜିତ ଶ୍ରମିକମାନଙ୍କୁ ୨୦୦ଫୁଟ ଉଚ୍ଚତାରେ ବିନା ସୁରକ୍ଷାରେ ଅସୁରକ୍ଷିତ ଭାବରେ କାର୍ଯ୍ୟ କରାଉଛନ୍ତି । 
ଖଣି ବ୍ୟବସାୟୀ ଶ୍ରମିକମାନଙ୍କ ଜୀବନ ସହିତ ଖେଳିବାକୁ ପଛାଉ ନାହାଁନ୍ତି । ଖଣିର ୧୦୦ମିଟର ଦୂରତାରେ ଲିଜ ଧାରୀଙ୍କର ଏକ ମେଗା କ୍ରସର ରହିଛି । ଖଣିରୁ ଅନୁମତି ଠାରୁ ଢେରଗୁଣା ପଥର ଖନନ କରାଯାଇ କ୍ରସରରେ ଚିପ୍ସି, ମେଂଟାଲ ଉପ୍ତାଦନ କରାଯାଉଛି । ଉତ୍ପାଦିତ ଚିପ୍ସି ମେଂଟାଲକୁ ବିଭିନ୍ନ ଜିଲା ଏବଂ ଜିଲା ବାହାରକୁ ଚଢାଦରରେ ବିକ୍ରି କରାଯାଉଛି । ରାଜ୍ୟ ସରକାର ରାଜସ୍ୱ ହରାଉଥିବା ବେଳେ ଲିଜଧାରୀ ବେଆଇନ ଭାବରେ ଲାଭବାନ ହେଉଛନ୍ତି । ନିର୍ବାଚନ ପରେ ଏହି ମୌଜାର ସମସ୍ତ କ୍ରସର ୟୁନିଟି ବନ୍ଦ ରହିଛି । କିନ୍ତୁ ଲିଜଧାରୀଙ୍କ କ୍ରସର କିପରି ବେଆଇନ ଭାବରେ ଚାଲୁଛି ତାହା ସମସ୍ତଙ୍କୁ ସନେ୍ଦହକୁ ଟାଣୁଛି । ବେଆଇନ କାର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭାଗୀୟ କର୍ମଚାରୀ ବାବୁ ମାନଙ୍କ ପାଇଁ ଏହା ସମ୍ଭବ ହୋଇପାରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଖଣିରେ ଡିନାମାଇଟ ଶକ୍ତିଶାଳୀ ବିସ୍ପୋରଣକରି ପଥର ଫଟାଇବା ଯୋଗୁ ବ୍ୟାପକ ଜଙ୍ଗଲ ପ୍ରାକୃତିକ ପରିବେଶ ଧ୍ୱଂସ ହେବାରେ ଲାଗିଛି । ପ୍ରଚଣ୍ଡ ଶବ୍ଦରେ ଜଙ୍ଗଲୀ ଜୀବଜନ୍ତୁ ମାନଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ଖଣି ଅଂଚଳର ଗ୍ରାମବାସୀ ଧୂଳି,ଧୂଆଁ ଯୋଗୁ ଅନେକ ଗୁରୁତ୍ୱର ରୋଗରେ ପଡି ମୃତୁ୍ୟ ମୁଖରେ ପଡୁଛନ୍ତି । ତାଛଡ଼ା ବାଜବାଟୀ ପାହାଡରେ୨ ନଂବର , ୬ ନଂବର ଖାଦାନରେ ଏଭଳି ରାବଣ ରାଜ ଚାଲିଛି । ଏହିଖାଦାନ ସଂଲଗ୍ନ ଲିଜ ନଥିବା ପାହାଡର ଅବଶିଷ୍ଟ ଅଂଶରୁ ମଧ୍ୟ ଲୁଟଚାଲିଛି । ଏଠାରେ ୩ ନଂବରଏବଂ ୫ ନଂବର ଖାଦାନ, ଆରୁହା ପାହାଡର ଦୁଇଟି ଖାଦାନ, ଡଙ୍କାରୀ , ରାହାଡପୁର, ବିଛାଖଣ୍ଡିରେ ଏଭଳି ବେଆଇନ କାର୍ଯ୍ୟଚାଲିଛି । 
 ଲିଜ ନଥିବା ପାହାଡ ଅଂଚଳରୁ  କୋଟି କୋଟି ଟଙ୍କାର କଳାପଥର ଲୁଟ ହୋଇ ଯାଇଛି । ସ୍ଥାନୀୟ ଦୁଇଟିକ୍ରସରରେ ଏହିସବୁ ଚୋରା କଳାପଥର ବ୍ୟବହାର ହେଉଛି । ଲିଜଧାରୀ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଭୁଲି ଯାଉଛନ୍ତି । ଯଦି ଖଣି ଅଧିକାରୀ ଲିଜକୁ ଲାଗିଥିବା ଅଣ ଲିଜ ଖଣିକୁ ମାପ ଚୁପ ନକରନ୍ତି ବିଫୁଳ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ମତ ପ୍ରକାଶ ପାଇଛି । ଏସଂକ୍ରାନ୍ତରେ ଜିଲା ଲଘୁ ଖଣିର ମାଇନିଂ ଅଫିସର ଯଶକେତନ ସେଠିଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ ଗ୍ରହଣ କରିନଥିଲେ ।