ଲୁଟେରାଙ୍କ ଚରାଭୂଇଁ ପାଲଟିଛି କମ୍ପଗଡ଼ ଓ ବେଣିପୁର ଘାଟ
ବାଲିକୁଦା : ଲୁଟେରାଙ୍କ ପାଇଁ ଚରାଭୂଇଁ ପାଲଟିଛି କମ୍ପଗଡ଼ ଓ ବେଣିପୁର ଘାଟ । ଗୋଟେ ପଟେ ଯାଜପୁର ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା । ଉଭୟ ଜିଲ୍ଲାର ସୀମାନ୍ତକୁ ଲାଗି ରହିଥିବା ଏହି ଦୁଇ ଘାଟରୁ ଦିନ ରାତି ଚାଲିଛି ବାଲି ଚୋରି । ଆଉ ଉଭୟ ଜିଲ୍ଲାର ଲୁଟେରା ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ମେସିନ ଲଗାଇ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରିଚାଲିଛନ୍ତି । ପୁଲିସ ଠାରୁ ଖଣି ବିଭାଗ ପାଖରେ ଖବର ଥିଲେ ବି କେହି ପାଟି ଖୋଲୁ ନାହାନ୍ତି କି ଚଢାଉ ବି କରୁନାହାନ୍ତି । ଯାହାଫଳରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ସରକାରଙ୍କୁ ହରାଇବାକୁ ପଡ଼ୁଛି ।
ପ୍ରକାଶ ଯେ, ଯାଜପୁର ଜିଲ୍ଲା ବରୀ ଥାନା ଅଧିନରେ ରହିଛି କମ୍ପଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଅଧିନରେ ଅଛି ବେଣିପୁର ଘାଟ । ଏଠି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିର୍ଭୟରେ ଶହଶହ ଟ୍ରିପ୍ ବାଲି ନଦୀ ଶଯ୍ୟାକୁ ଖୋଳି ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି ଲୁଟେରା । ବାଲି ଚୋରା ଚାଲାଣ କରୁଥିବା ବେଳେ ରାତିରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ସ୍ଥାନୀୟ ଲୋକଙ୍କୁ ଭୟଭୀତ ଘାଟରୁ ବାଲି ଚାଲାଣ କରୁଛନ୍ତି । ଚୋରା ବାଲି କାରବାର ଦୁଇ ଜିଲ୍ଲାର ଖଣି ବିଭାଗ, ରାଜସ୍ୱ ବିଭାଗ ଏବିଷୟରେ ଅବଗତ ଥିଲେ ମଧ୍ୟ ସ୍ଥାନୀୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଚୋରା ଚାଲାଣ କାରଣରୁ ପୋଲ ଉପରେ ୩ଫୁଟର ବାଲିପଡ଼ି ଥିବାରୁ ଜନସାଧାରଣ ଯାତାୟତ କରୁଥିବା ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ବାଇକ ଆରୋହୀ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାଟି ବୌଦ୍ଧ ପୀଠ ଉଦୟଗିରି ଓ ରତ୍ନଗିରିକୁ ପର୍ଯ୍ୟଟକ ଏହି ରାସ୍ତାଦେଇ ଗଲା ବେଳେ ରାସ୍ତାରେ ବାଲିମୟ ହେଉଥିବାରୁ ପର୍ଯ୍ୟଟକ ଦୁର୍ଘଟଣାର ଶୀକାର ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଦୁଇ ଜିଲ୍ଲାର ଖଣି ବିଭାଗ ଓ ରାଜସ୍ୱ ବିଭାଗ ପୁଲିସ ଚୋରା କାରବାର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଂଚା ଦେଉଛନ୍ତି ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି । ବିଶେଷ କରି ବେଣିପୁର, କମ୍ପଗଡ଼ ଓ ବାଲିକୁଦା ନଦୀ ପୋଲ ଏହି ଚୋରା ବାଲି ଚାଲାଣ ପାଇଁ ଖନନ ଦ୍ୱାରା ପୋଲର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କାରଣ ପୋଲର ଖୁବ ନିକଟରୁ ବାଲି ତାଡ଼ିବା ଦ୍ୱାରା ପୋଲର ପିଲର ଗୁଡ଼ିକ ଦୁର୍ବଳ ହେବା ସହ ଭବିଷ୍ୟତରେ ଭୁଷୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି କରିଛି । ଖଣି ବିଭାଗ ଓ ଲୁଟୋଙ୍କ ସହିତ ଭିତ୍ତିରି ସମ୍ପର୍କ ରହିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତୁରନ୍ତ ଚୋରା ବାଲି ଚାଲାଣ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।