ଲୋକଙ୍କୁ ସଚେତନ କଲେ କନ୍ଧମାଳ ସାଂସଦ

ଜେଏସଡବ୍ଲ୍ୟୁ ପ୍ରତିଷ୍ଠା ହେଲେ ନିଯୁକ୍ତି ଓ ଆର୍ଥିକ ବିକାଶ ହେବ

ଭୁବନେଶ୍ୱର : ଜଗତସିଂହପୁର ନୂଆଗାଁରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ଯଦି ଏଠାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହୁଏ ତାହାଲେ ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ଆର୍ଥିକ ଅଭିବୃଦ୍ଧି ହେବ । ସ୍ଥାନୀୟ ଶିକ୍ଷିତ ଯୁବକଯୁବତୀ ନିଯୁକ୍ତି ପାଇବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢିବ ବୋଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ମାଧ୍ୟମରେ ସଚେତନ କରିଛନ୍ତି ସାଂସଦ ଶ୍ରୀ ପାଣିଗ୍ରାହୀ । ସେ ଆଜି ଦିନ ୧୧ଟା ସମୟରେ ନୂଆଗାଁର ଶିଶୁ ଉଦ୍ୟାନ ଗସ୍ତରେ ଆସି ନୂଆଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ପ୍ରଭାବଶାଳୀ ଲୋକଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ପ୍ରାୟ ୩୦ ଜଣ ସ୍ଥାନୀୟ ପ୍ରଭାବଶାଳୀ ବାସିନ୍ଦା ଯୋଗ ଦେଇଥିଲେ । ଯାହା ବିକାଶମୂଳକ ଆଲୋଚନାରେ ସେମାନଙ୍କର ସକ୍ରିୟ ଆଗ୍ରହକୁ ସୂଚାଇଥିଲା ।

      ବିକଶିତ ଓଡିଶା ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ଶିଳ୍ପ ସମୃଦ୍ଧ ସହର ଭାବେ ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିବା ଜଗତସିଂହପୁର ଜିଲ୍ଲାର ବନ୍ଦର ସହର ପାରାଦ୍ୱୀପ ଓ ଏହାର ଉପକଣ୍ଠ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଗଡ଼କୁଜଙ୍ଗ ଅଞ୍ଚଳରେ ନୂତନ ଭାବେ ଗଢିଉଠୁଥିବା ଷ୍ଟିଲ କମ୍ପାନୀ ବର୍ତ୍ତମାନ ଏସିଆ ମହାଦେଶର ସର୍ବବୃହତ ଷ୍ଟିଲ କମ୍ପାନୀ ହେବାକୁ ଯାଉଛି । ଦେଶର ଅଗ୍ରଣୀ ଶିଳ୍ପସଂସ୍ଥା ଜେଏସଡବ୍ଲ୍ୟୁ ତରଫରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ତାର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଏହି କ୍ରମରେ ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଯୋଗ୍ୟତା ଭିତ୍ତିକ ନିଯୁକ୍ତି ଓ ଠିକାଦାରୀ କ୍ଷେତ୍ରରେ ସହଯୋଗ ସହିତ  ସ୍ଥାନୀୟ ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କ ନିରନ୍ତର ତଦାରଖରେ କମ୍ପାନୀ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି । ସ୍ୱଭାବତଃ ଯେଉଁଠି ଶିଳ୍ପ ସଂସ୍ଥା ଗୁଡ଼ିକ ଶିଳ୍ପ ପ୍ରତିଷ୍ଠା କରନ୍ତି ସେଠାରେ ବିଭିନ୍ନ ସାମାଜିକ ସଂଗଠନ ଏବଂ ଶ୍ରମିକ ସଂଗଠନ ମାନ ଗଢିଉଠେ । ନିର୍ମାଣାଧୀନ  ଜେଏସଡବ୍ଲ୍ୟୁ ଉକ୍ରଳ ଷ୍ଟିଲ ପାରଦ୍ୱୀପର କ୍ଷତିଗ୍ରସ୍ତ  ଢ଼ିଙ୍କିଆ, ନୂଆଗାଁ, ଗଡ଼କୁଜଙ୍ଗ ଅଞ୍ଚଳ ନୂଆଗାଁରେ ଜିନ୍ଦଲ ପ୍ରଭାବିତ ଢ଼ିଙ୍କିଆ ଚାରିଦେଶ ଉନ୍ନୟନ ସମିତି ତରଫରୁ ନୂତନ ଭାବେ ‘ଦୀନଦୟାଲ ପାରାଦ୍ୱୀପ ଇଣ୍ଡଷ୍ଟ୍ରିଆଲ ୱାର୍କସ ୟୁନିୟନ’ ନାମକ ଗୋଟିଏ ଶ୍ରମିକ ସଂଗଠନ ଜନ୍ମ ନେଇଛି । ଏହି ସଂଗଠନର ଆହ୍ୱାନ କ୍ରମେ  ହନୁମାନ ଶିଶୁ ଉଦ୍ୟାନ - ନୂଆଗାଁ ପରିସରରେ ଅଞ୍ଚଳର ସାଧାରଣ ଜନତା ଓ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଗୋଟିଏ ଆଲୋଚନା କର୍ମଶାଳା ଆୟୋଜିତ ହୋଇଛିି । ସଂଗଠନର ସଭାପତି ପୁରୁଖା ବିଜେପି ନେତା କ୍ଷୀରୋଦ ଚନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବରିଷ୍ଠ ବିଜେପି ନେତା ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ହୋଇ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଅବଗତ ହେବା ସହିତ ବିଭିନ୍ନ ଦିଗରେ ସରକାରଙ୍କ ସହିତ ଆଲୋଚନା କରି ସମାଧାନ ଦିଗରେ ସମ୍ପୂର୍ଣ୍ଣ ପ୍ରୟାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

       ସାଂସଦ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେଉଁଠି ଶିଳ୍ପ ସଂସ୍ଥା ଗୁଡ଼ିକ ଗଢିଉଠେ ସେ ଅଞ୍ଚଳର ଆର୍ଥିକ ମାନଦଣ୍ଡ ସହିତ ମାନବସମ୍ବଳର ବିକାଶ ହୋଇଥାଏ । ଶିଳ୍ପ ସଂସ୍ଥାରେ ପ୍ରତ୍ୟକ୍ଷ ପରୋକ୍ଷ ନିଯୁକ୍ତି ଭିତ୍ତିଭୂମି ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ସେ ଅଞ୍ଚଳର ଉନ୍ନତି ସହିତ ରାଜ୍ୟ ଏବଂ ଦେଶର ଉନ୍ନତି ହୋଇଥାଏ । ନିର୍ମାଣାଧୀନ ଶିଳ୍ପ ପ୍ରକଳ୍ପ ଗୁଡ଼ିକରେ ବିଭିନ୍ନ ଛୋଟ ଛୋଟ ସମସ୍ୟା ଆସିଥାଏ ଏହା ଗୋଟିଏ ସ୍ୱଭାବିକ ପ୍ରକ୍ରିୟା । ଏହାକୁ ଶିଳ୍ପ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ । ଏହି ଆଲୋଚନା ଚକ୍ରରେ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ମୁରବୀ, ଯୁବକ ବନ୍ଧୁ ଏବଂ ମହିଳା ସଂଗଠନ ତରଫରୁ ଗୋଟିଏ ଦାବି ପତ୍ର ସାଂସଦଙ୍କୁ ଦିଆଯାଇଥିଲା । ଶେଷରେ ସଂଗଠନ ତରଫରୁ  ସାଂସଦଙ୍କୁ ଧନ୍ୟବାଦ ସହିତ ସମ୍ବୋଧିତ କରାଯାଇଥିଲା । ଏହି ସଭା ବା ଆଲୋଚନା ଚକ୍ରରେ ନୂଆଗାଁ ଗ୍ରାମର ବରିଷ୍ଠ ମୁରବୀ ମାନଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ ।