ଲୋହିତ ସାଗରରେ ଅଘଟଣ: ବୁଡ଼ିଲା ବୁଡାଜାହାଜ, ୬ ମୃତ
କାଏରୋ : ଇଜିଫ୍ଟର ଲୋହିତ ସାଗରରେ ଅଘଟଣ । ୪୫ ଯାତ୍ରୀଙ୍କୁ ନେଇ ପରିକ୍ରମାରେ ବାହାରି ଥିବା ‘ସିନ୍ଦବାଦ’ ନାମକ ଏକ ଯାତ୍ରୀବାହୀ ବୁଡ଼ାଜାହାଜ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗଭୀର ସମୁଦ୍ରରେ ବୁଡ଼ିଯାଇଛି । ମିଶରର ହୁରଗାଡ଼ା ସହର ଉପକୂଳରେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ୬ ଜଣଙ୍କ ମୃତୁ୍ୟ ହୋଇଛି ଏବଂ ୯ଜଣ ଗୁରୁତର ହୋଇଛନ୍ତି । ସେହିପରି ୨୯ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ମୃତକମାନେ ସମସ୍ତେ ରୁଷ୍ ନାଗରିକ ବୋଲି ରୁଷ୍ ଦୂତାବାସ ପକ୍ଷରୁ ଚିହ୍ନଟ କରାଯାଇଛି । ତେବେ ଜାହାଜଟି ବୁଡ଼ିବାର ପ୍ରକୃତ ତ୍ରୁଟି ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନ ଥିବା ବେଳେ ଏହାର କାରଣ ଖୋଜୁଛନ୍ତି ଇଞ୍ଜିନିୟର୍ ।
ଜାତୀୟ ଗଣମାଧ୍ୟମ ରଏଟର୍ ଅନୁସାରେ ୨୯ ଜଣଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଚିକିତ୍ସା କରାଯାଇଥିଲେ ମଧ୍ୟ ବହୁ ଯାତ୍ରୀ ନିଖୋଜ ଅଛନ୍ତି । ଗୁରୁବାର ସକାଳେ ଜାହାଜଟି ବୁଡ଼ି ଯାଇଥିବା ବେଳେ ଏହି ୪୫ ଯାତ୍ରୀଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । ତେବେ ବୁଡ଼ାଜାହାଜ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଜାହାଜ ମଧ୍ୟରେ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ ରାଉଣ୍ଡ୍ ଭୁ୍ୟଇଂ ୱିଣ୍ଡୋ ଉପଲବ୍ଧ କରାଯାଇଥିଲା । ତେବେ ତ୍ରୁଟି ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ସୂଚନାଯୋଗ୍ୟ ଯେ ଗତ ୪ ମାସ ତଳେ ଏହି ଲୋହିତ ସାଗରରେ କିଛି ଯାତ୍ରୀଙ୍କୁ ନେଇ ପରିଭ୍ରମଣ କରୁଥିବା ଏକ ୟାଚ୍ (ତଲେଇ ବନ୍ଧା ନୌକା) ପାଣିର ଖରାପ ଆଚରଣ ଯୋଗୁ ୟାଚ୍ଟି ବୁଡ଼ିଯାଇଥିଲା । ଫଳରେ ୪ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।