ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି
ବେତନଟୀ: ବେତନଟୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବେତନଟୀ ବ୍ଲକ ବିଡ଼ିଓ ସୁଶାନ୍ତ କୁମାର ସୁତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ପାନମଣୀ ମୁର୍ମୁ ପୌରହିତ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୩୫ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ ପ୍ରମୁଖ ଅତିଥି ଅଧିକାରୀଗଣ ଯୋଗ ଦେଇଥିଲେ । ଏହି ଅବସରରେ ପଞ୍ଚାୟତିରାଜ, ରାଜସ୍ୱ, ମିଶନଶକ୍ତି, ପାନୀୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଶିଶୁ ଓ ମହିଳା ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା, ଯୋଗାଣ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ଆୟୋଜିତ ଏହି ଗ୍ରାମ ପଞ୍ଚାୟତସ୍ତରୀୟ ଜନଶୁଣାଣି ଶିବିର କାର୍ଯ୍ୟକ୍ରମରେ ପାଖାପାଖି ୨୫୦ରୁ ଊର୍ଦ୍ଧ୍ୱ ସାଧାରଣ ଜନତା ନିଜ ନିଜର ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ପାଇ ତୁରନ୍ତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସମସ୍ୟା ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଡ଼ିଓ ନିଦେ୍ର୍ଦଶ ଦେଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପ୍ରଧାନଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ୱାର୍ଡସଦସ୍ୟ ୱାର୍ଡ ସଦସ୍ୟାଙ୍କ ସମେତ ଯୋଗାଣ ସହାୟକ, ଏଡିଇଓ ପ୍ରମୁଖ ସକ୍ରିୟ ଦାୟିତ୍ୱ ସମ୍ପାଦନ କରିଥିଲେ ।