ସବାଇ ଘାସ ଉତ୍ପାଦନ କେନ୍ଦ୍ର ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସ୍ଥିତ ଜଳେଶ୍ୱର ବ୍ଲକର ସର୍ଦ୍ଦାରବନ୍ଧ ଗ୍ରାମପଞ୍ଚାୟତରେ ସବାଇ ଘାସ ଉତ୍ପାଦନ ଏବଂ ଟ୍ରେନିଂ କେନ୍ଦ୍ରର ଶୁଭ ଉଦ୍ଘାଟନ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ହୋଇଯାଇଛି । ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ଫୁଲ ପାଛିଆ, ପେନ୍ଷ୍ଟାଣ୍ଡ, ହାତ ତିଆରି ହ୍ୟାଣ୍ଡ ପର୍ସ, ଫଳ, ଫୁଲ ଡାଲା ବିଭିନ୍ନ ପ୍ରକାର ଘର ସଜା ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରି ମହିଳାମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ରଖିବା ଉଦେ୍ଦଶ୍ୟରେ ଏହି କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଜଳେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ଜେନା, ବ୍ଲକ ଉନ୍ନୟନ ଅଧିକାରୀ ଗୌରାଙ୍ଗ ଘୋଷ, ଡେପୁଟି ସିଇଓ, ଓରମାସ ଶାନ୍ତନୁ ବାନାର୍ଜୀ, ଡିପିସି ମିଶନ ଶକ୍ତି କାର୍ତ୍ତିକ ନାୟକ, ପଞ୍ଚାୟତ ସମିତି ସଭ୍ୟ ଓ ସର୍ଦ୍ଦାରବନ୍ଧ ପଞ୍ଚାୟତର ସରପଞ୍ଚ ଏବଂ ମିଶନ ଶକ୍ତି ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଟ୍ରେନିଂ ପ୍ରୋଗ୍ରାମ ୨ ମାସ ଧରି ଚାଲୁ ରହିଥିବାବେଳେ ଏହା ଦ୍ୱାରା ୬ ଗୋଟି ଉତ୍ପାଦିକା ଗୋଷ୍ଠୀର ୧୮୦ରୁ ୨୦୦ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି ।