ବିଜେପିରେ ଯୋଗ ଦେଲେ ବରିଷ୍ଠ ଆଇନଜୀବୀ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଚର୍ଚ୍ଚିତ ଚେହେରା ସେକ୍ ଅତିଉଲ୍ଲା ଖାଁ ବିଜୁ ଜନତାଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ଦଳୀୟ ସଦସ୍ୟତା ଦେଇ ଦଳକୁ ସ୍ୱାଗତ କରିଥିଲେ । ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଉପସଭାପତି କମଳଲୋଚନ ଦାସ ଓ ସୁଶାନ୍ତ ବେରା ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ସେକ୍ ଅତିଉଲ୍ଲା ଖାଁ ପୂର୍ବରୁ ଭାରତୀୟ ଜନତା ପାର୍ଟିର ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ୨୦୦୯ରେ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦାନ କରିଥିଲେ । ଲୋକଙ୍କ ପାଇଁ ବିଜେଡ଼ି ତାର କର୍ତ୍ତବ୍ୟ ପାଳନରେ ବିଚୁ୍ୟତ ହେବାରୁ ଓ ନରେନ୍ଦ୍ର ମୋଦିଜୀଙ୍କ ସୁଶାସନ, ସବ୍କା ସାଥ୍ ସବକା ବିକାଶ ଓ ସର୍ବୋପରି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିକୁ ଫେରିଛନ୍ତି ବୋଲି କହିଛନ୍ତି ।