ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟରେ ତାଲା

ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ବ୍ଲକ ଦାନୋଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ  ବିଦ୍ୟାଳୟ ଗେଟ୍ରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଫଳରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଭିତରୁ ପ୍ରବେଶ କରି ନ ପାରି ନିଜ ନିଜ ଘରକୁ ଫେରି ଯାଇଥିଲେ । ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୨ଛାତ୍ରଛାତ୍ରୀ ଅଛନ୍ତି । ଶିକ୍ଷକ କହିଲେ ମୋଟ ୪ ଜଣ ଅଛନ୍ତି । ୧୭୨ଛାତ୍ରଛାତ୍ରୀଙ୍କୁ ୪ଶିକ୍ଷକ ଶିକ୍ଷାଦାନ କରିବା ଅସମ୍ଭବ ହେଉଛି । ବର୍ତ୍ତମାନ ଜିଲ୍ଲାରେ ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟା ଶେଷ ହୋଇଛି । ହେଲେ ସେହି ବଦଳି ପ୍ରକ୍ରିୟାରେ ଦାନୋଝୋଲା ସ୍କୁଲରେ ପ୍ରଧାନଶିକ୍ଷକଙ୍କ ସହ ମୋଟ ୫ଜଣ ଶିକ୍ଷକ ରହିଥିଲେ ହେଲେ ସେଥିରୁ ୪ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଗଲା । ୪ ଜଣ ଶିକ୍ଷକଙ୍କ ସ୍ଥାନରେ ଅଧିକ ଶିକ୍ଷକ ଦେବା ବଦଳରେ ୩ ଜଣ ଶିକ୍ଷକକୁ ନିଯୁକ୍ତି କରାଗଲା । ବର୍ତ୍ତମାନ ସ୍କୁଲରେ ୩ ବର୍ଷ ହେବ ବିଜ୍ଞାନ ଶିକ୍ଷକ ନ ଥିବାରୁ ସ୍କୁଲରେ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେବା ସହ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ବସିଥିଲେ ।ଆହୁରି ୩ ଶିକ୍ଷକ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ବିଦ୍ୟାଳୟ ଗେଟ୍ ବନ୍ଦ ରହିବ ବୋଲି ଥବିର ନାଗ, ଖିରମୋହନ ମାଝୀ, ନୀଳ ନାଗ, ମୋହନ ମାଝୀ, ଧବେଳେଶ୍ୱର ଦୀପ, ନିର୍ମଳ କାନ୍ତ ଖମାରୀ, ଗୋପାଳ ନାଗ, ଭୁବନ ମାଝୀ, ଶଙ୍କର ନାଗ, ଗିରିଶ ଶବର ସମେତ ସମସ୍ତ ଅଭିଭାବକ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେପଟେ ଜିଲ୍ଲାରେ ଶିକ୍ଷକ ବଦଳି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।