ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ୍

 ଭୁବନେଶ୍ୱର:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସି.ବି.ଏସ୍.ଇ) ଦ୍ୱାରା ଆୟୋଜିତ ଦୁଇଦିନିଆ ସର୍ବଭାରତୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ରୟାଲ୍ ପବ୍ଲିକ୍ ସ୍କୁଲ, ଭୁବନେଶ୍ୱରରେ ଉଦ୍ୟାପିତ ହୋଇଯାଇଅଛି । ପ୍ରଥମ ଦିବସରେ ସି.ବି.ଏସ୍.ଇ,ଭୁବନେଶ୍ୱରର ଯୁଗ୍ମ ସଂପାଦକ, ଶ୍ରୀଯୁକ୍ତ ଟି. ମାତେ, ରୟାଲ୍ ପବ୍ଲିକ୍ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଡ଼. ବିଷ୍ଣୁମୋହନ ମହାନ୍ତି, ଭାଇସ୍ ଚେୟାରମ୍ୟାନ ମିଲନ୍ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଯୋଗଦାନ କରିଥିଲେ । ରୟାଲ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ସର୍ବେଶ୍ୱର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ସର୍ବଭାରତୀୟ ପ୍ରଶିକ୍ଷକ ସୁନିଲ୍ ଆପ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ପ୍ରଶିକ୍ଷକ କରମ୍ଜିତ୍ ସୋଢ଼ି ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଶିକ୍ଷା ଦେବାର କର୍ମଯୋଜନା, ପିଲାମାନଙ୍କ ଭବିଷ୍ୟତ ଜୀବନ ଗଠନ ପାଇଁ ପାଠ ପଢ଼ି ଚାକିରି ଖୋଜିବା ଏକମାତ୍ର ଲକ୍ଷ୍ୟ ନହେଉ, ତାହାର ନିରାକରଣ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ଭାରତୀୟ ଶିକ୍ଷାକ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ସରକାରଙ୍କ ଜାତୀୟ ଶିକ୍ଷାନୀତି କିପରି ସଫଳ ହେବ ତାହା ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ଉଦେ୍ଦଶ୍ୟ ଥିଲା । ପ୍ରଶିକ୍ଷିତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସେମାନଙ୍କର ସୁଚିନ୍ତିତ ମତପ୍ରଦାନ କରିବା ସହ ପ୍ରତ୍ୟେକ ବର୍ଷ ଏହି ଶିବିରର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ । ଭାଇସ୍ ଚେୟାରମ୍ୟାନ ଶ୍ରୀଯୁକ୍ତ ମିଲନ୍ ମହାନ୍ତି, ଅଧ୍ୟକ୍ଷ ସର୍ବେଶ୍ୱର ସାମଲ, ଉପାଧ୍ୟକ୍ଷା ପ୍ରଜ୍ଞାପାରମିତା ସାହୁ ଓ ବିଜ୍ଞାନ ଶିକ୍ଷକ ସୁରଜ କୁମାର ଚୌଧୁରୀଙ୍କ ପରୋକ୍ଷ ତଥା ପ୍ରତ୍ୟକ୍ଷ ସହଯୋଗିତା ଦ୍ୱାରା ଏହି ପ୍ରଶିକ୍ଷଣ ଶିବିର ସଫଳ ଭାବରେ ସମାପନ ହୋଇପାରିଛି । ଏହି ପ୍ରଶିକ୍ଷଣ ଶିବିରରେ ସମୁଦାୟ ୨୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ।