ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ
ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ଠାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଂଘ ସଭାପତି କାହ୍ନୁଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ କୋଷାଧ୍ୟକ୍ଷ ଗୋପାଳ ସେନ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ବେହେରା, ଉପଦେଷ୍ଟା ଗଜେନ୍ଦ୍ର ମାଝି, ରାଜ୍ୟ ସହ ସମ୍ପାଦକ ମୁକ୍ତିରାମ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ତଥା ହିଞ୍ଜିଳି ବ୍ଲକ ଉପସଭାପତି ଜି ତ୍ରିପତି, ସମ୍ପାଦକ ପେଦିନି ଶିଶିର କୁମାର ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍ ନିଯୁକ୍ତି ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, ଛ ବର୍ଷର ଚୁକ୍ତି କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ଓ ପୁରୁଣା ପେନସନ ପୁନଃ ପ୍ରଚଳନ କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା । ଶେଷରେ ଅବସରପ୍ରାପ୍ତ ଶିକ୍ଷକ କାପଲ ରଘୁନାଥ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅରତୀ କୁମାରୀ ପଟ୍ଟନାୟକ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଅବନୀକାନ୍ତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ତ୍ରିଲୋଚନ ସାହୁ ଓ ଅଭିଳାଷ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଅଖିଳ କୁମାର ପଣ୍ଡା, ନମିତା କୁମାରୀ ପଟ୍ଟନାୟକ, କଳ୍ପନା ପ୍ରଧାନ ଓ ଗାୟତ୍ରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ହିଞ୍ଜିଳିକାଟୁ ବ୍ଲକ୍ ୯୫ ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।