ନୂଆଁଖାଇରେ କୁରେପତ୍ରର ବିଶେଷ ମହତ୍ତ୍ୱ


ଖଡ଼ିଆଳ ରୁ ପରମେଶ୍ୱର ବାରିକ  : 
ନୂଆଁଖାଇ ସହିତ କୁରେପତରର ଏକ ଆବେଗିକ ସମ୍ପର୍କ ରହିଛି । ଏହି ପତ୍ରରେ ନବାନ୍ନ ରଖି ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା ଓ ପୂର୍ବପୁରୁଷଙ୍କୁ ସମର୍ପଣ କରି ପଶ୍ଚିମ ଓଡ଼ିଶାର ଲୋକେ ନବାନ୍ନ ଖାଇଥାନ୍ତି । ନୂଆଁଖାଇ ଦିନ କୁରେପତରର ଏକ ବିଶେଷ ଭୂମିକା ରହିଥାଏ । ନବାନ୍ନ ବା ନୂଆଁ ଚିହିରା ଏହି ପତ୍ରରେ ଥୋଇ ସମସ୍ତେ ନୂଆଁ ଖାଇଥାନ୍ତି । ପଶ୍ଚିମ ଓଡ଼ିଶା ବିଶେଷ କରି ଖଡ଼ିଆଳ ଅଞ୍ଚଳରେ ବହୁଳ ପରିମାଣରେ କୁରେପତ୍ରର ଗଛ ଦେଖାଯାଇଥାଏ । ନୂଆଁଖାଇର ଦିନେ ଦୁଇ ଦିନ ପୂର୍ବରୁ ଲୋକେ ଜଙ୍ଗଲକୁ ଯାଇ ଏହି ପତ୍ର ସଂଗ୍ରହ କରିଥାନ୍ତି । ଘରେ ପରିବାରର ବୟସ୍କ ଲୋକ ଓ ମହିଳାମାନେ ଖଲି ଦନା ତିଆରି କରିଥାନ୍ତି । ନୂଆଁଖାଇ ଦିନ ଏହି ପତ୍ରରେ ନବାନ୍ନ ରଖି ଘରର ଦେବତା ଓ ପୂର୍ବ ପୁରୁଷଙ୍କୁ ପୂଜା କଲା ପରେ ପରିବାରର ସମସ୍ତେ ଗୋଟିଏ ସ୍ଥାନରେ ବସି ନବାନ୍ନ ଖାଇଥାନ୍ତି । ଏହି ପତ୍ରରେ ତିଆରି ଖଲି ଦନାରେ ପିଠାପଣା, କ୍ଷୀରି ଓ ସୁସ୍ୱାଦୁ ତରକାରୀ ସବୁ ସମସ୍ତେ ଖାଇଥାନ୍ତି । ଯଦିଓ କିଛି ଜାଗାରେ ଅନ୍ୟପତ୍ରରେ ମଧ୍ୟ ଲୋକେ ନୂଆଁ ଖାଇଥାନ୍ତି, କିନ୍ତୁ ଖଡ଼ିଆଳ ଅଞ୍ଚଳରେ ନୂଆଖାଇ ପାଇଁ କୁରେପତ୍ର ହିଁ ବ୍ୟବହାର କରାଯାଏ । କୁରେଇ ଗଛ ଦୁଇ ପ୍ରକାର  ଗୋଟିଏ କୃଷ୍ଣ ବା କଳା ଓ ଅନ୍ୟଟି ଶ୍ୱେତ ବା ଧଳା । ଉଭୟ ଗଛରୁ ପତ୍ର ଛିଣ୍ଡାଇଲେ କ୍ଷୀର ବାହାରେ । ନୂଆଁଖାଇରେ କଳା କୁରେଇର ପତ୍ର ବ୍ୟବହାର କରାଯାଏ । କୁରେଇ ଗଛକୁ ଇନ୍ଦ୍ର ଗଛ ମଧ୍ୟ କୁହାଯାଏ । ପଣ୍ଡିତ କୌଟିଲ୍ୟ ନିଜ ଅର୍ଥ ଶାସ୍ତ୍ରରେ ଇନ୍ଦ୍ରବଣ ରାଜ୍ୟ କଥା ଉଲ୍ଲେଖ କରିଛନ୍ତି । କିଛି ଗବେଷକ ଉକ୍ତ ଇନ୍ଦ୍ର ବଣ ରାଜ୍ୟକୁ ବର୍ତ୍ତମାନର ଖଡ଼ିଆଳ ଅଞ୍ଚଳ ବୋଲି ଚିହ୍ନିଟ କରିଛନ୍ତି । ଅଭିଧାନ ଅନୁଯାୟୀ ଇନ୍ଦ୍ର ଶବ୍ଦର ଗୋଟିଏ ଅର୍ଥ ହେଲା କୁଟଜ ବା କୂଟଜ । ଏହି କୁଟଜ ଶବ୍ଦ କ୍ରମେ ଅପଭ୍ରଂଶ ହୋଇ କୁରେÿଇ ହୋଇଥିବା ଗବେଷକ ମାନେ କହନ୍ତି । କୂଟଜ ବା କୁରେଇ ଗଛ ଉପରେ ଏ ଅଞ୍ଚଳର ଜନସମାଜରେ ଗୋଟିଏ ସ୍ୱତନ୍ତ୍ର ଶ୍ରଦ୍ଧା ତଥା ସାମାଜିକ ଓ ପ୍ରାକୃତିକ ସମ୍ବନ୍ଧ ରହି ଆସିଛି ।  ଏହି ଗଛ ଓ ପତ୍ରକୁ ନେଇ ଗବେଷକମାନେ ଗବେଷଣା କରୁଥିବା ବେଳେ କବି କଳାକାର ସୃଷ୍ଟି କରନ୍ତି ମନଲୋଭା କବିତା ଓ ଗୀତ ସବୁ । ବିଶେଷ କରି ନୂଆଁଖାଇ ଓ କୁରେଇପତରକୁ ନେଇ ଶହ ଶହ ସମ୍ବଲପୁରୀ କୋଶଲି ଗୀତ ଲୋକପ୍ରିୟତା ହାସଲ କରିଛି । ନୂଆଁଖାଇ ଓ କୁରେପତ୍ରର ସମ୍ପର୍କକୁ ନେଇ ବିଶିଷ୍ଟ ଗବେଷକ ଡକ୍ତର ସୁଶାନ୍ତ କୁମାର ବିଶି ଏହି ତଥ୍ୟ ପ୍ରଦାନ କରିଛନ୍ତି ।