ଅଜଣା ଜନ୍ତୁ ଆତଙ୍କ : ୭ ମେଣ୍ଢା ମୃତ, ୩ ଆହତ 

 ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମ ନିକଟରେ ଅଜଣା ଜନ୍ତୁ ଆକ୍ରମଣରେ ୭ଟି ମେଣ୍ଢାର ମୃତୁ୍ୟ ଘଟିଥିବାବେଳେ ୩ଟି ଆହତ ଓ ୪ଟି ନିଖୋଜ ଥିବା ଜଣାଯାଇଛି । ମୃତ ମେଣ୍ଢା ମଧ୍ୟରେ ଭାମଶ୍ୟାଳି ଗ୍ରାମର  ପ୍ରଦୀପ ଗୌଡ଼ଙ୍କ ୪ଟି, ଗଣେଶ ସେଠୀଙ୍କ ୨ଟି ଏବଂ ରନôାକର ନାୟକଙ୍କ ୧ଟି ହୋଇଥିବାବେଳେ ପ୍ରଦୀପଙ୍କ ୪ଟି ମେଣ୍ଢା ନିଖୋଜ ଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଭାମଶ୍ୟାଳି ଗ୍ରାମର ସୁଦର୍ଶନ ଗୌଡ଼ ଓ ସନ୍ୟାସୀ ଗୌଡ଼ ରତନେଇ ଠାକୁରାଣୀ ମନ୍ଦିର ରାସ୍ତାର କେନାଲ ଛକ ପୋଖରୀ ନିକଟରେ ଗାଈ ଓ ଛେଳି ଗୋଠ ପକାଇ ସବୁଦିନ ଭଳି ରାତ୍ରିରେ ଜଗି ରହୁଥିଲେ । ତେବେ ଗତକାଲି ରାତିରେ କୌଣସି ଅଜଣା ଜନ୍ତୁ ଆକ୍ରମଣରେ ୭ଟି ମେଣ୍ଢାର ମୃତୁ୍ୟ ଘଟିଥିବାବେଳେ ୩ଟି ମେଣ୍ଢା ଖଣ୍ଡିଆ ଖାବରା ହୋଇଛନ୍ତି ଏବଂ ୪ଟି ମେଣ୍ଢା ନିଖୋଜ ଥିବା ଅଭିଯୋଗ ହୋଇଛି । ପ୍ରଦୀପ ଓ ଗ୍ରାମବାସୀ ସକାଳ ସମୟରେ ଯାଇ ଖୋଜା ଖୋଜି କରିଥିଲେ ହେଁ ନିଖୋଜ ମେଣ୍ଢାଙ୍କର କୌଣସି ପତ୍ତା ମିଳି ନଥିବା କହିଛନ୍ତି । ଏ ନେଇ ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବନପାଳ କ୍ଷୀରୋଦ ଗୌଡ଼, ବନରକ୍ଷୀ ଯଶସ୍ୱିନୀ ସାହୁ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି । ପାଦ ଚିହ୍ନ ସ୍ପଷ୍ଟ ଜଣା ପଡୁ ନଥିବା ବନ ବିଭାଗ କହିଛି । ସୁଦର୍ଶନ ଓ ସନ୍ନ୍ୟାସୀ କଲରାପତିରି ବାଘ ଦେଖିଥିବା କହୁଥିବାବେଳେ ବନ ବିଭାଗ ଏହା ହେଟା ହୋଇଥାଇପାରେ ବୋଲି ଅନୁମାନ କରିଛନ୍ତି । ମୃତ ମେଣ୍ଢା ଗୁଡିକୁ ବ୍ୟବଚ୍ଛେଦ କରାଯାଇ ରିପୋର୍ଟ ଆସିବା ପରେ ମେଣ୍ଢା ମାଲିକମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରକାଶ ପାଇଛି ।