ଶିଶୁ ଶ୍ରମିକ ମାଳମାଳ: ଚଢ଼ାଉ ଦୁର୍ବଳ

 ଆସିକା : ଆସିକା  ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁଦିନ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିଯନ୍ତ୍ରଣ ଦିଗରେ ଶ୍ରମ ବିଭାଗ ବିଫଳ ହୋଇଛି  । ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ ଅବସରରେ କେବଳ ବିଭାଗ ପକ୍ଷରୁ ସଭା ସମିତି ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି  । ନିଜ ପାରିବାରିକ ଆର୍ଥକ ଦୁରବସ୍ଥା ହେଉ କିମ୍ବା ଅନ୍ୟାନ୍ୟ କେତେକ କାରଣରୁ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ବିଭିନ୍ନ ହୋଟେଲ, ଗ୍ୟରେଜ, ଢ଼ାବା, ଇଟା ଭାଟି, ଗୁଡ଼ି ଖାଦାନ ଇତ୍ୟାଦି ଖଟୁଥିବା ଦେଖିବାକୁ ମିଳୁଛି  । ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସରକାରୀ ନୀତି, ନିୟମ ଓ କଟକଣା ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯେଭଳି ବାଟବଣା ହେଉଥିବାର ସାଧାରଣରେ ମତପ୍ରକାଶ ପାଇଛି  । ଶିଶୁ ଶ୍ରମିକମାନଙ୍କ ଯନô,ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନେଉନାହିଁ । ତେଣୁ ଆସିକା ଅଞ୍ଚଳରେ ଶିଶୁ ଶ୍ରମିକ ଥମିବାର ନାଁ ନେଉନି  । ଶିଶୁ ଶ୍ରମିକ ପ୍ରଥାକୁ ବିଲୋପ ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ରୀତିମତ ଚଢାଉ କରି ମାଲିକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ଶିଶୁ ଶ୍ରମିକ ସଂଖ୍ୟା ହ୍ରାସ ପାଇବ ବୋଲି ଶିଶୁ ଅଧିକାର କର୍ମୀ ମାନେ ଦାବୀ କରୁଛନ୍ତି ।ପାରିବାରିକ ଆର୍ଥିକ ସମସ୍ୟା ଯୋଗୁଁ ସେମାନେ ବାଧ୍ୟ ହୋଇ ହସଖେଳ ଓ ପାଠପଢାଠାରୁ ଦୂରେଇ ରହି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ବିପଦସଂକୁଳ ଅବସ୍ଥାରେ କାମଧନ୍ଦା କରୁଛନ୍ତି  । ଶିଶୁ ଅଧିକାର ଆଇନରେ କମ୍ ବର୍ଷର ଶିଶୁଙ୍କୁ କୌଣସି ବିପଦପୂର୍ଣ କାର୍ଯ୍ୟରେ ନିୟୋଜିତ କରାଯିବା ଏକଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି । କିନ୍ତୁ ଆସିକା ଏବଂ ଏହାର ଆଖପାଖ ଅଞ୍ଚଳରେ ଶିଶୁଙ୍କୁ ବିପଦପୂଣ୍ଣ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି  । ଶିଶୁମାନଙ୍କୁ ବିପଦପୂର୍ଣ୍ଣକାମରୁ ଉଦ୍ଧାରକରିବା ଦାୟିତ୍ୱ ହେଉଛି ଶ୍ରମ ବିଭାଗର କିନ୍ତୁ ଶ୍ରମବିଭାଗ ନିଜ କାର୍ଯ୍ୟ ସୂଚାରୁ ରୂପେ କରୁନଥିବା ଶିଶୁ ଶ୍ରମିକ ବୃଦ୍ଧି ଘଟଣାରୁ ସ୍ୱଷ୍ଟ ଜଣାପଡୁଛି  । ଅତୀତରେ ଆସିକା ପ୍ରଶାସନ ପକ୍ଷରୁ ଅଧିକାଂଶ ହୋଟେଲ, ଗ୍ୟାରେଜ୍ ସମେତ ଅନ୍ୟାନ୍ୟ ଜାଗାରେ ଚଢାଉ କରାଯାଇ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଉଥିବା ନଜିର ରହିଛି  । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟା ପ୍ରତି ଧ୍ୟାନ ଦେଲେ ଆସିକା ଅଞ୍ଚଳରେ ଶିଶୁ ଶ୍ରମିକ ଭଳି କୁପ୍ରଥା ସମ୍ପୂର୍ଣ ବନ୍ଦ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି  ।