ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟହୀନତା

ଡ.ଜ୍ୟୋତିରଞ୍ଜନ ଚମ୍ପତରାୟ : କୁହାଯାଏ ଆଜିର ଶିଶୁଟି ହେଉଛି ଆସନ୍ତା କାଲିର ଭବିଷ୍ୟତ । ହେଲେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଯଦି ଅବହେଳାର ଶିକାର ହୁଏ ତାହାଲେ ପିଲାଟି ଅନେକ ରୋଗର ଶିକାର ହେବା ସହ କେବଳ ତା'ର ଶାରୀରିକ ନୁହେଁ ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ତେବେ ଉତ୍ତମ ପୁଷ୍ଟି ପାଇଁ ଜରୁରୀ କଥା ହେଉଛି ନବଜାତ ଶିଶୁପାଇଁ ମାଆର ପ୍ରଥମ କ୍ଷୀର ବା କଷ କ୍ଷୀର ତା' ସ୍ୱାସ୍ଥ୍ୟପାଇଁ ଏକ ଦିବ୍ୟ ସଞ୍ଜିବନୀ କହିଲେ ଅତ୍ୟୁକ୍ତି ହେବନାହିଁ । ଏଥିରେ ସମସ୍ତ ପ୍ରକାର ପୌଷ୍ଟିକତା ରହିବା ସହ ବିଶେଷକରି ଶିଶୁପାଇଁ ଏହା ଏକ ପ୍ରକାର ଈଶ୍ୱରପ୍ରଦତ୍ତ ରୋଗ ପ୍ରତିରୋଧକ ଶକ୍ତିକାରୀ ଅମୂଲ୍ୟ ଜିନିଷଟି । ନୂଆ ଜନ୍ମ ହୋଇଥିବା ପିଲାକୁ ପ୍ରଥମ ଛଅମାସ କେବଳ ମାଆ କ୍ଷୀର ନିହାତି ଜରୁରି । 
       ଶିଶୁଟି ଯେତେଥର ଚାହୁଁଛି ମାଆମାନେ ପିଲାଙ୍କୁ ସ୍ତନ୍ୟପାନ ପ୍ରଦାନ କରନ୍ତୁ । ଶିଶୁଟିର ବୟସ ଛଅମାସ ପରେ ହେଲେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ । ତେବେ ଏହାସହିତ ଦୁଇ ବର୍ଷ ଯାଏ ପିଲାଟି ଯେପରି ମାଆ କ୍ଷୀର ପାଏ ଏ କ୍ଷେତ୍ରରେ ମାଆମାନେ ଯତ୍ନବାନ ହେବା ଜରୁରି । କେହି କେହି ମାଆକ୍ଷୀର ଅପେକ୍ଷା ବଜାର ପ୍ରସ୍ତୁତ ଡବା ପାଉଡର, ପ୍ରୋଟିନଯୁକ୍ତ ଖାଦ୍ୟ ଦେବାକୁ ଚାହିଁଥାନ୍ତି କିନ୍ତୁ ମନେରଖିବା କଥା ଯେ, ମାଆ କ୍ଷୀର ପରି କୌଣସି ଖାଦ୍ୟ ପଦାର୍ଥ ତୁଳନୀୟ ନୁହେଁ । ବିଶେଷକରି ମାଆମାନେ ଯତ୍ନବାନ ହେବା କଥା ଯେ ଶିଶୁଟି ଯେଉଁ ଖାଦ୍ୟ ଖାଉଛି ସେଥିରେ ସବୁଜ ଶାଗ, ତଟକା ପନିପରିବା, ଫଳ, ତେଲ, ଚିନି, ଗୁଡ଼, ବାଦାମ ଓ ଆୟୋଡ଼ିନଯୁକ୍ତ ଲୁଣ ଯେପରି ସାମିଲ ହେବ । ଓଡ଼ିଆ ଘରର ଚଳଣିରେ ଅଧିକାଂଶ ଗାଁଗଣ୍ଡାର ମାଆ ମାନେ ପିଲାଟିର ସ୍ୱାସ୍ଥ୍ୟକୁ ଯତ୍ନରେ ରଖି ନିଜ ଖାଦ୍ୟ ଓ ବିଶ୍ରାମକୁ ପଛରେ ପକାଇ ଦେଇଥାନ୍ତି ଏହା କିନ୍ତୁ ଠିକ୍‌ ନୁହେଁ । ଶିଶୁକୁ କ୍ଷୀର ଦେଉଥିବା ମାଆମାନେ ନିର୍ଦ୍ଦିଷ୍ଟ ସମୟର ବିଶ୍ରାମ ସହିତ ସେମାନେ ଯେପରି ପୁଷ୍ଟିକର ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ନିହାତି ଜରୁରି କାରଣ ମାଆଟିର ସ୍ୱାସ୍ଥ୍ୟ ସୁରକ୍ଷିତ ରହିଲେ ଶିଶୁଟିର ମଧ୍ୟ ସେହିପରି ଭାବରେ ଉତ୍ତମ ଅଭିବୃଦ୍ଧି ଓ ବିକାଶ ସମ୍ଭବ ହୋଇପାରିବ । 
      ପିଲାମାନେ ବିଶେଷକରି ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ବେଳେ ପରିପାଶ୍ୱିର୍କ କ୍ଷେତ୍ରକୁ ଦୃଷ୍ଟି ଦେବା ଅତ୍ୟନ୍ତ ଅପରିହାର୍ଯ୍ୟ । କାରଣ ବିଭିନ୍ନ ରୋଗ ସଂକ୍ରମଣ ହେତୁ ଶରୀରରେ ପୁଷ୍ଟିକର ତତ୍ତ୍ୱର କ୍ଷତି ହୋଇଥାଏ । ଯାହାଦ୍ୱାରା ଶିଶୁଟି ବିଭିନ୍ନ ରୋଗର ସହଜ ଶିକାର ହୋଇଥାଏ । ସେହିପରି ବ୍ୟକ୍ତିଗତ ଓ ଭୋଜନଗତ ସ୍ୱଚ୍ଛତାକୁ ଧ୍ୟାନ ଦେଇ ନିଜ ପରିବେଶକୁ ସ୍ୱଚ୍ଛ ରଖିପାରିଲେ ରୋଗ ସଂକ୍ରମଣକୁ ରୋକାଯାଇପାରିବ । ବର୍ତ୍ତମାନ ପରି ସାଧାରଣତଃ ବର୍ଷା ଦିନିଆ ପରିବେଶରେ ମାଆମାନେ ପିଲାଙ୍କ ଯତ୍ନ ନେଲାବେଳେ କିଛି ଘଟଣାକୁ ଅଣଦେଖା କରିଦିଅନ୍ତି । ପିଇବା ପାଣି ବି ଯେପରି ନିଶ୍ଚିନ୍ତ ଭାବରେ ଭଲଭାବରେ ଫୁଟା ଯାଇଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପିଲାଟିକୁ ପିନ୍ଧାଉଥିବା ପୋଷାକ ଯେପରି ଭଲ ଭାବରେ ସଫା ହୋଇ ସୂର୍ଯ୍ୟକିରଣ ଦ୍ୱାରା ଶୁଖିଥିବ ସେ ଦିଗକୁ ଦୃଷ୍ଟି ଦିଅନ୍ତୁ । କେହି କେହି ପିଲାମାନଙ୍କର ଲୁଗାପଟାକୁ ଫ୍ୟାନରେ ବା ୱାସିଂମେସିନର ଗରମରେ ଶୁଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍‌ ନୁହେଁ । କାରଣ ପୋଷାକରେ ଯଦି ଆର୍ଦ୍ରତା ରହିବ ପିଲାଟି ଥଣ୍ଡାଜ୍ୱରର ଶିକାର ହେବାର ସମ୍ଭାବନା ଅଛି ।
       ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଭଲ ଭାବରେ ଗରମ ହୋଇଥିବା ଖାଦ୍ୟକୁ ଶୀତଳ କରି ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ । ବଜାରର ପନିପରିବା ଅପେକ୍ଷା ନିଜ ବାଡ଼ିର ବା ଘରୋଇ ପ୍ରସ୍ତୁତ ପରିବା ଯଥା ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ, ଶାଗ ଦେଇପାରନ୍ତି । ଗାଜର ବିଟ ବି ଭଲ । ସେହିପରି ପିଲାମାନଙ୍କୁ ତଟକା ଫଳ ଖୋଇବାର ଅଭ୍ୟାସ ରଖନ୍ତୁ କିମ୍ବା ନିଜେ ଘରେ ଜୁସ୍‌ ତିଆରି କରି ପିଇବାକୁ ଦିଅନ୍ତୁ । ଛୋଟ ପିଲାଙ୍କୁ ଖାଇବାକୁ ଦେବାବେଳେ ଖାଦ୍ୟକୁ ଭଲ ଭାବରେ ଚକଟି ଦିଅନ୍ତୁ । ପିଲାମାନଙ୍କ ପାଇଁ ଚୁଡ଼ାରେ ପ୍ରସ୍ତୁତ ପାଉଡର ଖୁବ୍‌ ଭଲ । ଡାଲି ଭିତରେ ହରଡ଼ ଡାଲି, ମୁଗଡାଲି ଭଲ । ତେବେ ଡାଲି ପାଣିଟି ପିଲାମାନଙ୍କ ପାଇଁ ଖୁବ୍‌ ଭଲ । ପିଲାବେଳୁ ଶିଶୁଟିକୁ ରକ୍ତହୀନତାର ସମସ୍ୟାରୁ ଦୂରେଇବା ପାଇଁ ଏହାର ପ୍ରତିରୋଧ ନିମନ୍ତେ ଗର୍ଭବତୀ ମହିଳାମାନେ ଓ ପ୍ରସୂତୀ ମାଆମାନେ ପ୍ରଚୁର ଲୌହସାରଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ପିଲାଟିକୁ ମଧ୍ୟ ଦିଅନ୍ତୁ । ସରକାର ଲୌହସାର ଯୁକ୍ତ ବଟିକା ଓ ବିଭିନ୍ନ ପୁଷ୍ଟିକର ଅଭିବୃଦ୍ଧି ପାଇଁ ମାଗଣା ଔଷଧ ପ୍ରଦାନ କରୁଛନ୍ତି ଏହାର ସୁଯୋଗ ନିଅନ୍ତୁ । ପିଲାଟି ଯେପରି ଆୟୋଡ଼ିନଯୁକ୍ତ ଲୁଣ ଖାଉଥାଏ ସେ ଦିଗଟିକୁ ଦେଖନ୍ତୁ । ରୁଗ୍‌ଣ ଓ ଅତିଶୟ ପୁଷ୍ଟିହୀନ ଶିଶୁପାଇଁ ସଠିକ୍‌ ଓ ନିର୍ଦ୍ଧାରିତ ସମୟର ପୁଷ୍ଟିକର ଖାଦ୍ୟ ଓ ଅଧିକ ଯତ୍ନ ଆବଶ୍ୟକ । ପିଲାକୁ ଯେ କୌଣସି ଖାଦ୍ୟ ବା ପାନୀୟ ଦେଉଥାନ୍ତି ଶିଶୁରୋଗ ବିଶେଷଜ୍ଞଙ୍କ ମତ ନିଅନ୍ତୁ । ସେମାନଙ୍କ ପରାମର୍ଶ ନିହାତି ନିଅନ୍ତୁ । ଗୁଣୀଟୁଣି ବା କାହାର କାନକୁହା କଥା ଶୁଣି ପିଲାଟିକୁ ଡଉଲଡାଉଲ ଓ ମୋଟା କରିଦେବା ପାଇଁ ନିଜେ କୌଣସି ଖାଦ୍ୟ ବା ଔଷଧ ଦେବା ପୂର୍ବରୁ ଶିଶୁ ବିଶେଷଜ୍ଞଙ୍କ ନିହାତି ପରାମର୍ଶ ନିଅନ୍ତୁ । ଚଳିତବର୍ଷର ଏହି ସପ୍ତାହ ପାଇଁ ରହିଥିବା ସ୍ଲୋଗାନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସମାଜର ସାମଗ୍ରିକ ଆଗାମୀ ଭବିଷ୍ୟତର ବିକାଶ ପାଇଁ ଆଜିର ଶିଶୁମାନଙ୍କ ସ୍ୱାସ୍ଥ୍ୟଗତ ଦିଗ ଓ ପୁଷ୍ଟି ସାଧନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏହାକୁ ପାଳନ କଲେ ଏହି ଜାତୀୟ ପୁଷ୍ଟି ସପ୍ତାହର ପ୍ରାସଙ୍ଗିକତାର ଗୁରୁତ୍ୱ ବଢ଼ିପାରିବ ।
 
ବାଲେଶ୍ୱର, 
E-mail : drjyotiranjanchampatray123@gmail.com