ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଓ ରଥ ଅନୁକୂଳ

ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଓ ରଥ ଅନୁକୂଳ

ଦ୍ୱାପର ଯୁଗରେ ପାଣ୍ଡବ ମାନଙ୍କର ଅଜ୍ଞାତ ବାସ ସମୟରେ ପାଂଚ ଭାଇ ଓ ଦ୍ରୌପଦୀ ବିରାଟ ରାଜାଙ୍କର ନବରରେ ବାସ କରିଥିଲେ । ସେଠାରେ ଅତ୍ୟାଚାରୀ କୀଚକକୁ ଭୀମସେନ ବଧ କଲାପରେ ବିରାଟର ମହାରାଜା ପାଣ୍ଡବମାନଙ୍କୁ ଚିହ୍ନିପାରିଲେ । ସେ ଥିଲେ  କୃଷ୍ଣଭକ୍ତ । ତାଙ୍କର ଅନୁରୋଧରେ   ଗ୍ରୀଷ୍ମ କାଳରେ ପାଣ୍ଡବ ମାନେ ସେଠାକୁ ଶ୍ରୀକୃଷ୍ଣଙ୍କ ସହ ଯାତ୍ରା କରିଥିଲେ  ଓ ବିରାଟ ରାଜା କେଳି ସରୋବରରେ ଚନ୍ଦନ ଯାତ୍ରା ବା ଗ୍ରୀଷ୍ମକାଳୀନ ଚନ୍ଦନ ମହୋତ୍ସବ କରାଇଥିଲେ । ସେହି ସ୍ମୃତିରେ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ନିଦାଘ କାଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଏହି ଉତ୍ସବ  ଆରମ୍ଭ ହେବା ସହିତ ମହାପ୍ରଭୁଙ୍କ  ରଥଯାତ୍ରା ନିମନ୍ତେ ତିନିଗୋଟି ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଥାଏ । ସେଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତିମାନ ଅନୁଷ୍ଠିତ ହୁଏ । 
ଅତି ପ୍ରତୁ୍ୟଷରୁ ସିଂହଦ୍ୱାର ଫିଟାଯାଇ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି ଆଦି ନୀତି ବଢ଼ିବା (ଶେଷ) ପରେ ସକାଳ ଧୂପ ଅନୁଷ୍ଠିତ ହୋଇ ଆଲଟ ଲାଗି ପରେ ପୂର୍ବ ରାତ୍ର ଭୋଗମଣ୍ଡପ ଘରେ ଅଧିବାସ ହୋଇ ରୂପା ପିଙ୍ଗଣ ଓ ପରିଖ (ହାଣ୍ଡି ଆକାରର ଧାତୁର ପାତ୍ର)ରେ ରଖାଯାଇଥିବା ୧୫ ସେର ଚନ୍ଦନକୁ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତଙ୍କ ସମେତ ୩ ଜଣ ସେବକ ସାଥିରେ ନେଇ ଘଂଟ, ଛତା, କାହାଳୀ ପଟୁଆରରେ ଭିତର ବେଢ଼ା ତିନିଥର ପରିକ୍ରମା କରି ସାରିବା ପରେ ଶ୍ରୀଜୀଉଙ୍କ ଠାରେ ସର୍ବାଙ୍ଗ ଚନ୍ଦନ ଲାଗି କରନ୍ତି । ଛାମୁ ଖୁଂଟିଆଙ୍କ ମଣିମା ମଣିମା ଡାକ, ଭକ୍ତମାନଙ୍କର ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ଚନ୍ଦନ ଲାଗି ବଢ଼ିବା ପରେ ତିନି ଠାକୁରଙ୍କ ଠାରେ  ଅଳକା, ଚଉସରା, ଗୁଣା, ଝୁମ୍ପା, ଚୂଳ ଓ ଗଭା ଆଦି ପୁଷ୍ପ ଅଳଙ୍କାର ଲାଗି କରାଯାଏ । ଏହାପରେ ଘଂଟଛତା ଯାତଭୋଗ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇ ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି ସମାପ୍ତିରେ ଚନ୍ଦନଯାତ୍ରାର ବିଜେ ପ୍ରତିମା ସବୁ ମୁକ୍ତିମଣ୍ଡପ ତଳେ ରଖାଯାଇଥିବା ସୁସଜ୍ଜିତ ପାଲିଙ୍କି ଓ ବିମାନକୁ ବିଜେ କରନ୍ତି ।  ବିଜେ କାହାଳୀ ବାଜି ଉଠିଲେ  ବିମାନବଡ଼ୁ ସେବକମାନେ ପାଲିଙ୍କିରେ ଶ୍ରୀରାମ ଓ କୃଷ୍ଣଙ୍କୁ ଏବଂ ମଣିବିମାନରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ କାନେ୍ଧଇ ଚନ୍ଦନଯାତକୁ ବିଜେ କରିଥା’ନ୍ତି । ବିମାନ ଆଗରେ ତିନିଜଣ ପୂଜାପଣ୍ଡା, ତିନି ଠାକୁରଙ୍କ ଠାରୁ ଆଣିଥିôବା ରଥ ନିର୍ମାଣର ‘ଆଜ୍ଞାମାଳ’କୁ ହାତରେ ଧରି ଚାଲନ୍ତି । ସିଂହଦ୍ୱାର ଠାରୁ ଏକ ବିରାଟ ପଟୁଆରରେ ଦିଅଁମାନେ ବିଜେ କରିବା ବେଳେ ପଛେ ପଛେ ଶ୍ରୀକ୍ଷେତ୍ରର ପାଂଚ ପାଣ୍ଡବ (ପାଂଚ ମହାଦେବ) ଶ୍ରୀଲୋକନାଥ, ଶ୍ରୀଜମ୍ବେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠ ନିଜ ନିଜ ବିମାନରେ ଯାତ୍ରା କରନ୍ତି । ପଟୁଆର ରାଜନବର ନିକଟରେ ପହଂଚି ସେଠାରେ କିଛି ସମୟ ଅଟକିି “ପନ୍ତିଭୋଗ’ କରାଯାଏ । ପୂର୍ବରୁ ସେହି ସ୍ଥାନରେ ରଥ ନିର୍ମାଣ ପାଇଁ ତିନିଗୋଟି ସଳଖ କାଠ ରଖାଯାଇ ୧୧ ଜଣ ଶ୍ରୋତ୍ରୀୟ  ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ନୀତି ଅନୁଷ୍ଠିତ ହୁଏ ଏବଂ ପୂଜାପଣ୍ଡାମାନଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତି ପରେ ତିନି ରଥର ତିନି ମୁଖ୍ୟ ମହାରଣା କୁରାଢ଼ୀରେ ତିିନି ରଥକାଠକୁ ସ୍ପର୍ଶ କରାଇ ରଥ ନିର୍ମାଣର ଶୁଭାରମ୍ଭ କରିଥା’ନ୍ତି ।   ଏହାପରେ ପଟୁଆର ମହା ସମାରୋହରେ  ଆଗେଇ ଚାଲେ ଚନ୍ଦନ ଚକଡାକୁ । ପାଂଚମହାଦେବଙ୍କୁ ଚାରିଦିଗରୁ  ଘେରି ଚନ୍ଦନ ଗୀତ ଗାଇ ଗାଇ  ବିରାଟ ଶୋଭାଯାତ୍ରାରେ ପଲ୍ଲେ ଦେଉଳିଆ ଓ ସାହିଭାଇଙ୍କ ମେଳରେ ଖେଦେ କୀର୍ତ୍ତନିଆ ଆଉ ଝାଜ୍ଞ ଦଳ  ଘଂଟ ଘଂଟା ବାଜା ଓ କାହାଳୀ ବାଦନ ସହିତ ଚାଲୁଥାନ୍ତି । ବାଟରେ ଠାକୁର ମାନଙ୍କୁ  ପନ୍ତିଭୋଗ ସହିତ  ହରିବୋଲ ହୁଳହୁଳି  ଧ୍ୱନିରେ ବଡଦାଣ୍ଡ କମ୍ପୁଥାଏ  । ବିମାନବଡୁ ସେବକ ମାନଙ୍କ  ସମାନ୍ତରାଳ ହସ୍ତ-ପଦ-ବିନ୍ୟାସରେ ବିମାନ ଯାତ୍ରା ଅପୂର୍ବ ଶୋଭା ମଣ୍ଡନ କରିଥାଏ । ଠାକୁରମାନେ ଶୋଭାଯାତ୍ରାରେ ଯାଇ ଚନ୍ଦନ ଚକଡ଼ାରେ ପହଂଚିବା ପରେ ସେଠାରେ ରଖାଯାଇଥିବା ସୁସଜ୍ଜିତ “ନନ୍ଦା’ ନାମକ ଚାପରେ ରାମ, କୃଷ୍ଣଙ୍କ ସହିତ ପାଂଚ ପାଣ୍ଡବ ଏବଂ ଭଦ୍ରା ଚାପରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ କରି ନରେନ୍ଦ୍ର ଚତୁଃପାଶ୍ୱର୍ରେ  ଦୃଶ୍ୟମାନ ଏକଘେରା ଓ ଭଉଁରୀ ଦିନ ୨୧ ଘେରା ବୁଲି ବୁଲି ଜଳକ୍ରୀଡ଼ା କରିଥାନ୍ତି । ଚନ୍ଦନ ଯାତ୍ରା ସମୟରେ ସେଠାରେ ପ୍ରଶାସନ ତରଫରୁ ଓଡିଶୀ ସଂଗୀତ ଓ ନୃତ୍ୟର ପ୍ରଦର୍ଶନ କରାଯାଇଥାଏ । ଚନ୍ଦନ ମଣ୍ଡପରେ ୨୧ ଦିନରେ ଶ୍ରୀମଦନମୋହନଙ୍କୁ ୨୧ ପ୍ରକାରେ ବେଶ କରାଯାଇଥାଏ । ଚନ୍ଦନ ଯାତ୍ରା ସମାପ୍ତିରେ ପୁନଃ୨୧ ଦିନ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉମାନଙ୍କର  ‘ଭିତର ଚନ୍ଦନ ଯାତ୍ରା’ ଅନୁଷ୍ଟିିତ ହୋଇଥାଏ ଯାହାକି ଅନ୍ୟତ୍ର ବିରଳ । 
  ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପୁରୀ ଜିଲ୍ଲାର ଚାଷୀମାନେ ମୁଠି ଅନୁକୂଳ କରିଥାଆନ୍ତି । ପୁରାତନ ପୁରୀ ସହରର ସାହିବସ୍ତିରେ “ଘଡି ପଥୁରି’ ଭୋଗ କରାଯାଇ ପିଲାମାନଙ୍କ ମଧ୍ୟରେ ବଂଟନ କରାଯାଇଥାଏ । ପିଲାମାନେ ପାଖସାହିର ଘର ଘର ବୁଲି ଘଡି ପଥୁରି ସଂଗ୍ରହ କରି ସ୍ୱାଦିଷ୍ଟ  ଭୋଗ ଖାଇବାର ଆନନ୍ଦ ଲାଭ କରିଥାଆନ୍ତି ।ଏହି ପରମ୍ପରା କୋଉକାଳରୁ ଚାଲିଆସୁଅଛି । ଚନ୍ଦନ ଯାତ୍ରା ସମୟରେ ଜେଗାଆଖେଡା ପକ୍ଷରୁ   ‘ଚନ୍ଦନ ଗାଧୁଆ ମେଳ’ ବାହାରିଥାଏ । 
  ପୁରୀ,ମୋ – ୮୦୧୮୮୭୫୩୩୫