ଶିଶୁପୁତ୍ର ହତ୍ୟାକାରୀ ସାବତ ବାପାକୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର,୨ ।୯ : ଆଜି ଭୁବନେଶ୍ୱର ଆଡିସନାଲ ସେସନ୍ସ ଜଜ-୨ର ବିଚାରପତି ବନ୍ଦନା କର ଗତ ୨୦୧୯ ମସିହାରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ଲୋମହର୍ଷଣକାରୀ ଶିଶୁପୁତ୍ର ହତ୍ୟା ମାମଲାର ବିଚାର କରି ହତ୍ୟାକାରୀ ସାବତ ବାପା ଦାଶରଥି ଟୁଡୁକୁ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣାଇଛନ୍ତି ।
ସୂଚନା ଯୋଗ୍ୟଯେ, ଗତ ୨୦୧୯ ମସିହା ମାର୍ଚ୍ଚ ମାସ ୧୨ ରିଖ ମଧ୍ୟାହ୍ନ ସମୟରେ ସନ୍ତୋଷ ସିଂହ ନାମକ ଜଣେ ୫ ବର୍ଷର ବୟସ୍କ ଶିଶୁକୁ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ପରିବାର ବର୍ଗ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ମଧ୍ୟ, ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କ୍ୟାପିଟାଲ ହସ୍ପିଟାଲର ଏମ୍ଓ ଡାକ୍ତର ଜଗଦୀଶ ଚନ୍ଦ୍ର ଜେନା ମଞ୍ଚେଶ୍ୱର ଥାନାର ତକ୍ରାଳୀନ ଏସଆଇ ଷ୍ଟାଲିନ୍ କୁମାର ବିଶ୍ୱାଳଙ୍କୁ ଏନେଇ ସୂଚନା ଦେଇଥିଲେ । ଏହାକୁ କେନ୍ଦ୍ରକରି ଥାନାରେ ପ୍ରଥମେ ଏକ ଅପମୃତ ମାମଲା ନମ୍ବର- ୨୧/୨୦୧୯ ରୁଜୁ କରାଯାଇଥିଲା ଏବଂ ଏସଆଇ ଷ୍ଟାଲିନ୍ ବିଶ୍ୱାଳ ଏହି ଘଟଣାର ପ୍ରାଥମିକ ତଦନ୍ତ ଭାର ନେଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ଅନୁସନ୍ଧାନରୁ ଅତ୍ୟଧିକ ମାଡ ତଥା ଶାରୀରିକ ନିର୍ଯ୍ୟାତନା ଯୋଗୁଁ ଶିଶୁର ଶରୀରରେ ଏକାଧିକ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବା ତଥା ତାଙ୍କର ହତ୍ୟା ହୋଇଥିବା ନେଇ ଜାଣିବା ପରେ ଏସଆଇ ଷ୍ଟାଲିନ୍ ନିଜ ଆଡୁ ଏକ ରିପୋର୍ଟ କରି ମାମଲା ରୁଜୁ କରିଥିଲେ । ଏହି ରିପୋର୍ଟକୁ ଆଧାର କରି ଏସଆଇ ଷ୍ଟାଲିନ୍ ପରବର୍ତ୍ତୀ ସମୟରେ ମଞ୍ଚେଶ୍ୱର ଥାନା କେସ ନମ୍ବର- ୪୭୪/୨୦୧୯, ଦଫା- ୩୦୨ରେ ଏକ ହତ୍ୟା ମାମଲା ରୁଜୁକରାଯାଇଥିବା ବେଳେ, ମାମଲାର ତଦନ୍ତ ଦାୟିତ୍ୱ ଏସଆଇ ରୂପେଶ ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତକାରୀ ଅଫିସର ଶ୍ରୀ ପ୍ରଧାନ ଉପରୋକ୍ତ ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତ ସାବତ ବାପା ଦାଶରଥି ଟୁଡୁକୁ ଗିରଫ କରିଥିବା ବେଳେ, ନିର୍ଦ୍ଧାରିତ ସମୟରେ ଅଦାଲତରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ଏନେଇ ମାମଲାର ବିଚାର କରି ଅଦାଲତ ୭ ଜଣ ସାକ୍ଷୀ ଓ ୧୭ ଗୋଟି ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ଦାଶରଥିକୁ ଆଜୀବନ କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୬ ମାସ ଲାଗି କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ସଲିଳ କୁମାର ପ୍ରଧାନ ପରିଚାଳନା କରିଥିଲେ । ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀ ମାନଙ୍କୁ ସଜ୍ଜା ଦିଆଯାଇ ସାରିଥିବା ବେଳେ, ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୬୯ଟି ମାମଲାରେ ଦୋଷୀଙ୍କୁ ସଜ୍ଜା ହୋଇସାରିଛି ।