ଉଦ୍ଘାଟନକୁ ବିତିଲାଣି ୨ ବର୍ଷ କାମରେ ଲାଗୁନି ରାହା ପିତା ପାର୍କ
ଧାମନଗର : ପୁର୍ବ ସରକାରଙ୍କ ଅମଳରେ ଧାମନଗର ବ୍ଲକରେ ୩୦ ରୁ ଅଧିକ ପାର୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇ ନିର୍ମାଣ କରାଯାଇଥିଲା । ସେଥିରୁ ହାତ ଗଣତି କେତୋଟି ପାର୍କ ସଚଳ ଥିବା ବେଳେ, ଅନ୍ୟ ପାର୍କ କେଉଁଠି ଅଧା ନିର୍ମାଣ ହୋଇ ପଡି ଥିବାବେଳେ, ଅନ୍ୟ ପାର୍କ ରକ୍ଷଣା ବେକ୍ଷଣ ଅଭାବରୁ ଘାସବଣ ହୋଇ ଗଲାଣି । ଏପରି ଏକ ପାର୍କ ଧାମନଗର ରାହା ପିତା ରହିଛି ।
ପ୍ରକାଶ ଥାଉକି, ଧାମନଗର ବିଜ୍ଞାପିତ ଅଞ୍ଚଳ ରାହା ପିତାରେ ଏକ ପାର୍କ ଉଦ୍ଘାଟନ ହେବାର ୨ ବର୍ଷ ହୋଇଗଲା । ଏବେ ସେଠାରେ ଘାସ ବଣ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ପାର୍କ ତିଆରି ସରିବା ପରେ ୨୦୨୩ ମସିହାରେ ତକ୍ରାଳୀନ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ପାର୍କକୁ ଉଦ୍ଘାଟନ କରିଥିଲେ । ବ୍ୟବହାର ନ ହେବା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ବର୍ତ୍ତମାନ ପାର୍କ ଭିତରେ ଅନବନା ଘାସ ବଣୁଆ ଗଛ ଲଟା ଇତ୍ୟାଦିରେ ପରିପୂର୍ଣ୍ଣ ହୋଇଛି । ଆବଶ୍ୟକ ନଥିବା ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରାଯାଇ ଏହି ନିଛାଟିଆ ଜାଗାରେ ପାର୍କ କରାଗଲା କାହିଁକି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ହୋଇଛି । ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯିବା ଆଗରୁ ସେ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ପରାମର୍ଶ ନେବାର ଆବଶ୍ୟକତା ଅଛି ବୋଲି ଲୋକେ କହିଛନ୍ତି । ଏ ନେଇ ଧାମନଗର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକଙ୍କ ସହ ଯୋଗା ଯୋଗ କରା ଯାଇଥିଲା । ଖୁବଶୀଘ୍ର ଉକ୍ତ ପାର୍କକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।