ଧାମନଗରରେ ବନ୍ୟା, ଚାଷଜମି କ୍ଷତିଗ୍ରସ୍ତ
ଧାମନଗର: ଧାମନଗରରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି । ତେବେ ଏବେବି ଗାଁ ଦାଣ୍ଡରୁ ପାଣି ଶୁଖିନାହିଁ । ଗୋରୁ ଓ ଛେଳି ବନ୍ଧ ଉପରେ ଅସ୍ଥାଇ ପାଲ ଟାଙ୍ଗି ରଖା ଯାଇଛି । ବୈତରଣୀର ଶାଖା ଗେଙ୍ଗୁଟି ନଦୀବନ୍ଧରେ ଥିବା ପାହାଡ଼ପୁର ଏସକେପ, ମଠମାହାରା ଓ କନକେଇ ଏସକେପ ବାଟେ ପାଣି ବାହାରି ବିଶେଷ ଭାବେ ଚାଷ ନଷ୍ଟ ହୋଇଛି । ଧାମନଗର ବ୍ଲକର ପାଖା ପାଖୀ ୨୫ ଟି ବପାଞ୍ଚୟର ରେ ବର୍ଷା ଜଳରେ ଚାଷ ଜମିରେ ବର୍ଷା ଜଳଭରି ରହିଥିବା ବେଳେ ବନ୍ୟା ଜଳରେ ୬ ଟି ପଞ୍ଚାୟତରେ ଚାଷ ଜମିରେ ମଧ୍ୟ ବନ୍ୟା ଜଳରେ ଚାଷ ନଷ୍ଟ ହୋଇଛି । ପ୍ରାୟ ୮ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।
ଅଧିକାଂଶ ଜମିରେ ଧାନ ଚାଷ ପାଇଁ ତଳି ଓ ରୁଆ ପୋତା ହୋଇଥିଲା । ହେଲେ ବନ୍ୟା ଓ ବର୍ଷା ପାଣିରେ ତାହା ବୁଡ଼ି ରହିଥିବାରୁ ଏଗୁଡ଼ିକ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ସେହିପରି ପଧାନି, ସୋହଡ଼ା, ଅର୍ଜୁନପୁର ଓ ହସନାବାଦ ରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି । ଆନନ୍ଦପୁର ପଞ୍ଚାୟତର ମଲ୍ଲିମାହାରା ଓ ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଏସକେପର ଦକ୍ଷିଣ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ ହୋଇଥିବାରୁ ବନ୍ୟା ନିୟନ୍ତ୍ରଣ କିଛି ପରିମାଣରେ ହୋଇପାରିଛି । ତେବେ ଚଳିତ ବନ୍ୟାରେ ପଧାନି, ସୋହଡା, ହସନାବାଦ, ଅର୍ଜୁନପୁର,ନଦୀଗାଁ, ଖଡ଼ିପଦା ପଞ୍ଚାୟତ ରେ ପ୍ରାୟ ୫ ହଜାର ଲୋକ ବନ୍ୟା ଘେରରେ ରହିଥିଲେ ,ସେମାନଙ୍କୁ ୨୦ ଟି ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଧାମନଗର ବିଡ଼ିଓ ବନବିହାରୀ ଦିନ୍ଧା କହିଛନ୍ତି । ସୋମବାର ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ ରାଜସ୍ୱ ଅଧିକାରୀଙ୍କ ସହାୟତାରେ ୭ ଶହ ବନ୍ୟା ବିପନ୍ନଙ୍କୁ ପଲିଥିନ ପ୍ରଦାନ କରିଛନ୍ତି । ଧାମନଗର ବ୍ଲକ ବିଜୁ ଜନତା ଦଳର ଅଶୋକ ନାୟକ, ସଂଜୟ ଦାସ, ପ୍ରତାପ ସାମଲ, ପ୍ରଦୀପ କୁମାର ମଲ୍ଲିକ, ସାରଦା ପ୍ରସନ୍ନ ସାହୁ,ଭାରତ ବିଜୟ ଦଳାଇ ପ୍ରମୁଖ ବନ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ ।