ଶ୍ରମଜୀବୀଙ୍କ ପାଇଁ ସୁରକ୍ଷିତ ନୁହେଁ ମୈଥାନ ଇସ୍ପାତ


 ଯାଜପୁର-ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ମୈଥାନ ଇସ୍ପାତ ଶ୍ରମଜୀବୀଙ୍କ ପାଇଁ ସୁରକ୍ଷିତ ନୁହେଁ । ବର୍ଷବର୍ଷ ଧରି ପଡ଼ିରହିଥିବା ସଂପୃକ୍ତ କାରଖାନା ନୂତନ ପରିଚାଳନାରେ ଚାଲିବା ପରେ ଛୋଟବଡ଼ ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଅଞ୍ଚଳକୁ ପ୍ରଦୂଷଣ କରିବାରେ ଏକ ନଂ ବୋଲି କୁହାଯାଉଥିବା ମୈଥାନ ଇସ୍ପାତ ଶ୍ରମଜୀବୀଙ୍କୁ ସୁରକ୍ଷିତ ବଦଳରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ ଛାଡ଼ି ଦେଉଛି । ଯାହା ଫଳରେ କେତେ ବେଳେ ବିସ୍ଫୋରଣ ଘଟି ତ କେତେ ବେଳେ ଶ୍ରମଜୀବୀ ଉଚ୍ଚରୁ ପଡ଼ି ଗୁରୁତର ହେଉଛନ୍ତି । ବର୍ଷକ ତଳେ ଏହି କାରଖାନାରେ ଲିପ୍ଟିଂ ମେକାଜିନ ରୋପ୍ ଛିଡ଼ିପଡ଼ିବା ପରେ ୧୫ଶହ ଡ଼ିଗ୍ରି ସେଲ୍ସିଅସ ଉତ୍ତାପ ତରଳ ଲୁହାରେ ପୋଡ଼ି ହୋଇ ଶ୍ରମିକଙ୍କ ମୃତୁ୍ୟ ଘଟିବା ପରେ କର୍ତ୍ତୃପକ୍ଷ ଚେତିବାର ନାଁ ଧରୁନାହାନ୍ତି । ଯାହା ଫଳରେ ଗତ ରବିବାର ଜଣେ ଶ୍ରମିକ ଦଦରା ସିଡ଼ିରୁ ପଡ଼ି ଗୁରୁତର ହୋଇ ଏବେ କଟକରଏକ ଘରୋଇ ମେଡ଼ିକାଲରେ ଚିକିସôାଧିନ ଥିବାର ଜଣାପଡ଼ିଛି । ଶ୍ରମିକ ମାନଙ୍କ ଜୀବନକୁ ବିପଦମୁହଁକୁ ଠେଲି ଦେଇ କାରଖାନା କର୍ତ୍ତୃପକ୍ଷ ନିରବ ବସୁଥିବା ବେଳେ ତଦାରକ ଦାୟିତ୍ୱରେ ଥିବା କାରଖାନା ଓ ବାଷ୍ପିତ ଉପ ନିଦେ୍ର୍ଦଶକ ତଦନ୍ତ କରାଯାଉଛି, କହି କର୍ତ୍ତବ୍ୟକୁ ସାରି ଦେଉଛନ୍ତି । ହେଲେ କାରଖାନାରେ ନିୟୋଜିତ ଶ୍ରମିକ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଜୀବନ ସୁରକ୍ଷା ସରଞ୍ଜାମ ଦିଆଯାଉଛି କି ନାହିଁ, ବିଭିନ୍ନ ସାଇଟ୍ କାର୍ଯ୍ୟ ପାଇଁ ସୁରକ୍ଷିତ ଅଛି କି ନାହିଁ, ତାହାର ତଦାରକ କରିବାର ନାଁ ଗନ୍ଧ ଧରୁ ନାହାନ୍ତି । ଏହା ଉପରେ ନଜର ରଖିବା ଦାୟିତ୍ୱରେ ଥିବା ବିଭାଗର ବାବୁ ମାନେ ଯାଜପୁର ରୋଡ଼ କାର୍ଯ୍ୟାଳୟରେ ବସି ନିଜର କର୍ତ୍ତବ୍ୟ ଶେଷ କରୁଛନ୍ତି । ଫଳରେ ଅନେକ ସମୟରେ ବିନା ସୁରକ୍ଷା ସରଞ୍ଜାମରେ କାର୍ଯ୍ୟ କରୁଥିବା ଶ୍ରମିକ ଜୀବନ ବିପଦରେ ପଡୁଛି ଅଥବା ଜୀବନ ଯାଉଛି । ଏମିତି ଏକ ଘଟଣା ରବିବାର ଦିନ ଘଟିଯାଇଛି । ଜେନାପୁର ଥାନା ଗଡମଧୁପୁର୍ ଅଞ୍ଚଳର କୁରିକଣା ଗ୍ରାମର ଗୟାଧର ବେହେରାଙ୍କ ପୁଅ ବିଜୟ  ଓରଫ ବିଜୁ(୪୫) ନାମକ ଶ୍ରମିକ ମୈଥାନ କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଯିଏକି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଛି । ମୁଣ୍ଡରେ ଆଘାତ ଲାଗି ରକ୍ତ ଜମାଟ ବାନ୍ଧିବାରୁ ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଛି । ତା ସହିତ ଛାତିରେ ଆଘାତ ଲାଗିବା ଏବଂ ତାଙ୍କର ଅକ୍ସିଜେନ୍ ଲେବୁଲ କମ୍ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସେ ସଙ୍କଟାପନ୍ନ ଅବସ୍ଥାରେ ରହିଥିବାର ସୂଚନା ମିଳିଛି । ବିଜୟ ମୈଥାନ କାରଖାନାରେ ଏକ ଅସ୍ଥାୟୀ କମ୍ପାନୀ ବିଏସଏସ ପାୱାର ପ୍ରାଇଭେଟ୍ କମ୍ପାନୀ ଲିମିଟେଡ ଅଧିନରେ କାର୍ଯ୍ୟ କରୁଥିଲେ । ନିଲୁ ବାରିକ ନାମକ ଠିକାଦାର ଏହି କମ୍ପାନୀର ମାଲିକ । ରବିବାର ଦିନ୧୧ ତା ସମୟରେ ସେ ପାୱାର ପ୍ଲାଣ୍ଟର ସିଏଚପି କୋଲ ହାଣ୍ଡଲିଂ ପ୍ଲାଣ୍ଟରେ କାର୍ଯ୍ୟ କରିବାକୁ ଯାଇଥିବାବେଳେ ଖସିପଡିଲେ । ସିଏଚପିରେ ଥିବା ଦଦରା ଲୁହା ପାହାଚ ଭାଙ୍ଗିପଡିବାରୁ ଦୁର୍ଘଟଣା ଘଟିଥିଲା । ଏଠାରେ ପ୍ରଶ୍ନ ଉଠିଛି ଯେ ସିଏଚପିରେ ଥିବା ଲୁହା ପାହାଚ ଭାଙ୍ଗିଲା କେମିତି? ଖବର ମୁତାବକ ପ୍ଲାଣ୍ଟଟି ପ୍ରାୟ ୧୮ବର୍ଷର ହୋଇଥିବା ସତ୍ତ୍ୱେ ଏହାର ଯନ୍ତ୍ରପାତିକୁ ଠିକ୍ ଭାବରେ ମରାମତି କରାଯାଉ ନାହିଁ । ଫଳରେ ପ୍ଲାଣ୍ଟରେ ବ୍ୟବହାର ହୋଇଥିବା ଲୁହା ପାହାଚରେ କଳଙ୍କି ଲାଗି ତାହା ଦଦରା ଅବସ୍ଥାରେ ରହିଥିଲା । ଶ୍ରମିକ ତା ଉପରେ ଚଢ଼ି କାର୍ଯ୍ୟ କରୁଥିବା ସମୟରେ ତାହା  ଗଳିପଡ଼ିଥିଲା ।କାରଖାନାର ଖାମଖିଆଲି ମନୋଭାବ ପାଇଁ କାର୍ଯ୍ୟରତ ଶ୍ରମିକ ମାନଙ୍କ ଜୀବନ ବିପଦରେ ପଡୁଛି । ମୈଥାନ କାରଖାନାରେ ଏହା ଏକମାତ୍ର ଘଟଣା ନୁହେଁ । କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଶ୍ରମିକ ମୃତୁ୍ୟ ବରଣ କରୁଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହେଉଛି । କାରଖାନା ଚାଲିବା ପାଇଁ ଯାହା ଆବଶ୍ୟକ ନିୟମ ତାହା କମ୍ପାନୀ ନିକଟରେ ନାହିଁ । କାରଖାନାକୁ ଅନୁକମ୍ପା ଭାବରେ ଚଲାଯାଉଥିବାର ଅଭିଯୋଗ ହୋଇଛି । କାରଖାନାରୁ ନିର୍ଗତ ଦୂଷିତ ଗ୍ୟାସ ପାଇଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେଉଛି । ଏହାକୁ ନେଇ ଅନେକବାର ଆନେ୍ଦାଳନ ହେଇଛି । ବାୟୁ ଠାରୁ ଆରମ୍ଭ କରି ଜଳ ପର୍ଯ୍ୟନ୍ତ ସବୁ ଠିରେ ପ୍ରଦ୍ୟୁଷଣ ଦେଖିବାକୁ ମିଳୁଛି । ମୈଥାନ କାରଖାନାର ଧୂଳି ଧୁଆଁରେ ସ୍ଥାନୀୟ ଅଞ୍ଚଳବାସୀ ନାକେ ଦମ୍ ହୋଇଗଲେଣି । ଇକୋ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବା ସତ୍ୱେ କାରଖାନାକୁ ଚଳାଇବା ପାଇଁ କିପରି ମଞ୍ଜୁରୀ ମିଳିଛି ତାହା ପ୍ରଶ୍ନ ସୃଷ୍ଟି କରିଛି । ପ୍ଲାଣ୍ଟରୁ ନିର୍ଗତ ଦୂଷିତ ଜଳ ପରିବେଶକୁ ଦୂଷିତ କରୁଛି । କାରଖାନାରୁ ନିର୍ଗତ ଦୂଷିତ ଜଳ ନିକଟସ୍ଥ ନଦୀ ନାଳ ପାଣିରେ ମିଶି ପାଣିକୁ ଦୂଷିତ କରୁଛି । ଫଳରେ ନଦୀ ନାଳର ପାଣିକୁ ବ୍ୟବହାର କରି ମଣିଷ ଠାରୁ ଆରମ୍ଭ କରି ମାଛ, ଗାଈଗୋରୁଙ୍କ ଜୀବନ ଯାଉଛି । ପ୍ରଦୂଷଣ ପାଇଁ ମୈଥାନ କାରଖାନାକୁ ଅନେକ ବାର ପ୍ରଦୂଷଣ ବୋର୍ଡର ଛାଟ ଲାଗିଛି । ତାସତ୍ୱେ ମଧ୍ୟ କାରଖାନାଟି ନିଜର ମନମାନିରେ ଚାଲିଛି । କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ବିପଦ ପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଫ୍ୟାକ୍ଟ୍ରି ଆଣ୍ଡ ବଏଲ୍ ବିଭାଗର ଅଙ୍କୁଶ କିନ୍ତୁ ଲାଗିବାର ନାଁ ଧରୁନି ।  କାରଖାନା ସୁରକ୍ଷାକୁ ଯଦି ନଜର ଦିଆନଯାଇ ତେବେ ଅନେକ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି ।