ବାଲିଚନ୍ଦ୍ରପୁର ବଜାରରେ ଗାଡ଼ି ଗଡ଼ିବା ମୁସ୍କିଲ
ବାଲିକୁଦା: ମଙ୍ଗଳ ଓ ଶନିବାର ବାଲିଚନ୍ଦ୍ରପୁର ବଜାରରେ ଗାଡ଼ ଗଡ଼ିବା ମୁସ୍କିଲ ହୋଇପଡ଼ୁଛି । ସପ୍ତାହର ଏହି ଦୁଇଦିନ ବଜାର ଦେଇ ଯିବା ଆସିବା କରୁଥିବା ପଦଯାତ୍ରୀଙ୍କୁ ବାଟକାଢି ଆଗକୁ ଯିବା ସହଜ ହୁଏନି । ରାସ୍ତାର ଉଭୟ ପଟରେ ଟ୍ରକରୁ କାର୍ ଆରମ୍ଭ କରି ବାଇକ୍ ଆରୋହିଙ୍କୁ ଟିକେବାଟ ଯିବା ପାଇଁ ଘଣ୍ଟାଘଣ୍ଟା ଲାଗିଯାଏ । ବାଲିଚନ୍ଦ୍ରପୁର ବଜାର ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ବାଣିଜ୍ୟ ପେଣ୍ଠସ୍ଥଳି । ପ୍ରତ୍ୟେହ ଏଠାକୁ ହଜାର ହଜାର ବ୍ୟବସାୟୀ, ଛାତ୍ରଛାତ୍ରୀ, ଯାତ୍ରୀ ସାଧାରଣ ଲୋକ ବିଭିନ୍ନ କାମ ପାଇଁ ଆସିଥାନ୍ତି । ବିଶେଷ ଭାବରେ ବାଲିଚନ୍ଦ୍ରପୁର ଜଗନ୍ନାଥ ହାଟ ମଙ୍ଗଳବାର ଓ ଶନିବାର ପଡ଼ୁଥିବାରୁ ଅନ୍ୟାନ୍ୟ ଦିନ ଅପେକ୍ଷା ଏହି ଦୁଇଦିନ ବଜାର ବିଶେଷ ଭାବରେ ଜାମ ହୋଇଥାଏ । ଚାରି ଚକିଆ ଓ ତଦୁର୍ଦ୍ଧ ଗାଡ଼ି ଜାତୀୟ ରାଜପଥକୁ ସଂଯୋଗ ହୋଇଥିବା ବ୍ୟାଙ୍କ ରୋଡ଼ରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ବାଇପାସ ରାସ୍ତା ବାଟଦେଇ ପଟ୍ଟାମୁଣ୍ଡାଇ କେନାଲ ରାସ୍ତାରେ ଗାଡ଼ି ଛଡ଼ାଯାଉଛି । କିନ୍ତୁ ପ୍ରଶାସନ ତରଫରୁ ଶ୍ୟାମସୁନ୍ଦର ବଜାର ଓ ଲକ୍ଷ୍ମୀ ବଜାର ଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନଥିବାରୁ କେନାଲ ରୋଡ଼ରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଛି । ଯାହା ଫଳରେ ରାସ୍ତା ଘଣ୍ଟାଘଣ୍ଟା ଧରି ଜାମ ରହିବା ଦ୍ୱାରା ବିଶେଷ ଭାବେ ଛାତ୍ରଛାତ୍ରୀ ଓ ଡ଼ାକ୍ତରଖାନାକୁ ଯାଉଥିବା ରୋଗୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ବହୁବାର ଜନପ୍ରତିନିଧି ଓ ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ତାହାର କିଛି ସମାଧାନ ହୋଇପାରୁନାହିଁ ।