ଶ୍ରୀ ଶ୍ରୀ ଦଧିବାମନଜୀୟୁଙ୍କ ନୀତିକାନ୍ତି ବିଭ୍ରାଟ ବିରୁଦ୍ଧରେ ଅନଶନ

 ଆନନ୍ଦପୁର: ଆରାଧ୍ୟ୍ୟ ଦେବତା ଶ୍ରୀଶ୍ରୀ ଦଧିବାମନଜୀୟୁଙ୍କ ସେବା, ନୀତିକାନ୍ତି ବିଭ୍ରାଟ ବିରୁଦ୍ଧରେ ମନ୍ଦିର ସମ୍ମୁଖରେ ଥିବା ପୁରୁଣାସ୍ନାନ ମଣ୍ଡପରେ ଆମରଣ ଅନଶନରେ ବସିଛନ୍ତି ସମାଜସେବୀ ଦେବ ଚକ୍ରବର୍ତୀ । ଦୈନିକ ରୀତିନୀତିରେ ସୁଧାର ନଯିବା ସହିତ ନୀତିସେବା ପରିଚାଳନା ଏବଂ ପ୍ରସାଦ ଲାଗିରେ ସୁଧାର, ମହାପ୍ରଭୁଙ୍କ ବିଗତ ୩ବର୍ଷ ଆୟବ୍ୟୟର ହିସାବକୁ ସାର୍ବଜନୀନ କରିବା, ଆୟବୃଦ୍ଧି ନିମନ୍ତେ ଫକୀରମୋହନ ବଜାର ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆୟ ଧାର୍ଯ୍ୟ ଏବଂ ଆଦାୟ କରାଯିବା, ସ୍ଥାୟୀ କାର୍ଯ୍ୟାଳୟ ସହିତ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ସୁରକ୍ଷିତ ଭାବେ ରଖିବା, ବ୍ୟବସ୍ଥା ଅନୁଯାୟୀ ସେବାକାରୀ ନିୟୋଜନ, ମହାପ୍ରଭୁଙ୍କ ସମ୍ପତିର ସୁରକ୍ଷା ଏବଂ ପୁନଃରୁଦ୍ଧାର ବ୍ୟବସ୍ଥା ଗ୍ରହଣ କରିବା, ସେବାସଙ୍ଘ ଗୃହକୁ ମନ୍ଦିର ଅଧିନକୁ ଆଣି ଆୟ ପନ୍ଥା ନିର୍ଦ୍ଧାରଣ କରିବା, ସୂଚନା ଆଇନ ଆଧାରରେ ମାଗିଥିବା ସୂଚନାକୁ ତୁରନ୍ତ ପ୍ରଦାନ କରିବା, ପ୍ରମୁଖ ୧୦ଦଫା ସମ୍ବଳିତ ଦାବିକୁ ନେଇ ସମାଜସେବୀ ଶ୍ରୀ ଚକ୍ରବର୍ତୀ ଅନଶନରେ ବସିଛନ୍ତି । ଅନଶନକୁ ଆନନ୍ଦପୁର ପୌରପରିଷଦ ପ୍ରାକ୍ତନ ଅଧକ୍ଷ୍ୟ ରାମଚନ୍ଦ୍ର ସାହୁ, ଆଇନୀଜୀବୀ ସୁଦାମ ଚରଣ ମଙ୍ଗଳ, ଅବସରପ୍ରାପ୍ତ ଅଧ୍ୟାପକ ଉମାକାନ୍ତ ନାଏକ, କନିଷ୍ଠଯନ୍ତ୍ରୀ ଇଂ କିରନ ପାଢ଼ୀଙ୍କ ସମେତ ଅନେକ ବୁଦ୍ଧିଜୀବୀ ସମର୍ଥନ ଜଣାଇଛନ୍ତି । ତେବେ ଦେବୋତର ବିଭାଗୀୟ ମୁଖ୍ୟ ତଥା ନିର୍ବାହୀଅଧିକାରୀ ଉପଜିଲାପାଳ ଫାଲ୍ଗୁନୀ ମାଝୀ ଘଟଣାର କିପରି ସମାଧାନ କରାଯାଇ ପାରିବ ସେନେଇ ଆସନ୍ତା ୧୭ତାରିଖ ଦିନ ଆଲୋଚନା କରିବାକୁ ପ୍ରତିଶୃତି ଦେବା ଦ୍ୱାରା ସମାଜସେବୀ ଶ୍ରୀ ଚକ୍ରବର୍ତୀ ସାମୟିକ ପାଇଁ ଅନଶନରୁ ଓହରି ଯାଇଥିବା ସୂଚନା ଦେଇଛନ୍ତି ।