କଞ୍ଚା ପରିବା ଚାହିଦା ବୃଦ୍ଧି

କଞ୍ଚା ପରିବା ଚାହିଦା ବୃଦ୍ଧି

ରାଜ୍ୟରେ ପରିବା ଉତ୍ପାଦନ ବର୍ତ୍ତମାନ ଲୋକମାନଙ୍କର ଚାହିଦା ମେଣ୍ଟାଇବାରେ ସମର୍ଥ ନୁହେଁ । ତେଣୁ ପ୍ରତିଦିନ ରାଜ୍ୟ ବାହାରୁ ବିପୁଳ ପରିମାଣର କଞ୍ଚା ପରିବା ରାଜ୍ୟ ଭିତରକୁ ଆସୁଛି । ଯେତେ ଚେଷ୍ଟା କରିଲେ ମଧ୍ୟ ରାଜ୍ୟ କଞ୍ଚା ପରିବା ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରୁନାହିଁ । କେବଳ ରାଜଧାନୀ କ୍ଷେତ୍ର ମଧ୍ୟରେ ବର୍ତ୍ତମାନ ଦିନକୁ ଦୁଇଶହ ଟନ୍ କଞ୍ଚା ପରିବାର ଆବଶ୍ୟକତା ପଡୁଛି । ଦିନକୁ ଦିନ ରାଜଧାନୀ କ୍ଷେତ୍ର ଭିତରେ ଜନସଂଖ୍ୟା ବୃଦ୍ଧି ଘଟୁଥିବାରୁ ସବୁଜ ପନିପରିବାର ଚାହିଦା ମଧ୍ୟ ବୃଦ୍ଧି ପାଉଛି । ରାଜଧାନୀର ଆଖପାଖ ଅଞ୍ଚଳରେ ଦିନକୁ ୨ଶହ ଟନ୍ କଞ୍ଚା ପରିବା ଉତ୍ପାଦନ ହେବା ସମ୍ଭବ ହେଉନାହିଁ । ତେଣୁ ଆଖପାଖ ଜିଲ୍ଲା ତଥା ନଦୀ ତଟବର୍ତ୍ତୀ ଅଞ୍ଚଳ ଗୁଡ଼ିକର ପରିବା ଖେତରୁ ରାଜଧାନୀ ଭିତରକୁ ପରିବା ପରିବହନ ହେଉଛି । ୧୫ ବର୍ଷ ତଳେ ରାଜଧାନୀ ପାଇଁ ୮୦ରୁ ୧୦୦ ଟନ୍ ପରିବା ଆବଶ୍ୟକ ପଡୁଥିଲା । ମହାବାତ୍ୟା ପର ଠାରୁ ରାଜଧାନୀରେ ଜନସଂଖ୍ୟା ବୃଦ୍ଧି ଘଟିଥିବାରୁ ପରିବା ଚାହିଦା ମଧ୍ୟ ବୃଦ୍ଧି ପାଉଛି । ମହାବାତ୍ୟା ପରେ ପରେ ରାଜଧାନୀର ଜନସଂଖ୍ୟା ଏଭଳି ଭାବରେ ବୃଦ୍ଧି ପାଇବ ବୋଲି କେହି କେବେ କଳ୍ପନା କରିନଥିଲେ । ଲୋକମାନଙ୍କର ବିଭିନ୍ନ ପ୍ରକାରର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ବାସଗୃହ, ଭୂମି ଆଦି ଉପରେ ଯଥେଷ୍ଟ ଚାପ ପଡ଼ିଛି । ରାଜଧାନୀର ଆଖପାଖ ଅଞ୍ଚଳରେ ବିଶେଷ ପରିବା ଉତ୍ପାଦନ ନଥିବାରୁ ଦୂରଦୂରାନ୍ତ ଅଞ୍ଚଳ ଗୁଡ଼ିକ ଉପରେ ଏ କ୍ଷେତ୍ରରେ ରାଜଧାନୀ ବାସିନ୍ଦାମାନେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇଛନ୍ତି । ଆମଦାନୀ କମ୍ ଏବଂ ଚାହିଦା ଅଧିକ ହେଉଥିବାରୁ ବର୍ଷର ଅଧିକାଂଶ ସମୟରେ କଞ୍ଚା ପରିବାର ଦର ଅଧିକ ରହୁଛି । ଏଥିରେ ଚାଷୀମାନେ ଲାଭବାନ୍ ହେଉନଥିବା ବେଳେ ଲୋକଙ୍କ ଚାହିଦା ଯୋଗୁଁ ପରିବା ଦର ବୃଦ୍ଧି ପ୍ରାୟତଃ ବର୍ଷସାରା ଏକ ସମସ୍ୟା ହୋଇ ଲାଗି ରହୁଛି । ରାଜଧାନୀ ଉପକଣ୍ଠରେ ବିଭିନ୍ନ ଗ୍ରାମାଞ୍ଚଳରେ ଏବଂ ବ୍ଲକ୍ ଅଞ୍ଚଳରେ ବହୁ ପରିମାଣରେ ପରିବା ଚାଷ ହୋଇଥାଏ । ହେଲେ ସ୍ଥାନୀୟ ବଜାରର ଚାହିଦା ମେଣ୍ଟିବା ପରେ ସେସବୁକୁ ରାଜଧାନୀକୁ ଅଣାଯିବାର ବ୍ୟବସ୍ଥା ହୋଇଥାଏ । ରାଜଧାନୀକୁ ଆସୁଥିବା ପରିବା ବ୍ୟବସାୟୀମାନଙ୍କ ନିୟନ୍ତ୍ରଣକୁ ଚାଲିଯାଉଥିବାରୁ ଚାଷୀମାନେ ରାଜଧାନୀ ବଜାର ଅପେକ୍ଷା ସ୍ଥାନୀୟ ବଜାର ଉପରେ ଗୁରୁତ୍ୱ ଦେଉଛନ୍ତି । କାରଣ ବ୍ୟବସାୟୀମାନେ ପରିବହନ ଖର୍ଚ୍ଚ ଏବଂ ନିଜର ଲାଭ ରଖି ରାଜଧାନୀକୁ ପରିବା ଆଣୁଥିବାରୁ ସେମାନଙ୍କ ଦର ପରିବ ।ଚାଷୀମାନଙ୍କୁ ସୁହାଉ ନାହିଁ । 
ରାଜଧାନୀର ମୁଖ୍ୟ ପରିବା ହାଟ ୟୁନିଟ୍-୧ ନମ୍ବରରେ ରହିଛି । ଆନ୍ତଃରାଜ୍ୟ ପରିବହନ ମାଧ୍ୟମରେ ଆସୁଥିବା ପରିବା ଗୁଡିକ ଏଠାକୁ ଆସିଥାଏ । ଏଠାରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଯୋଗାଣ କରାଯାଏ । ଏ ଦୃଷ୍ଟିରୁ ଏକ ନମ୍ବର ମାର୍କେଟ୍କୁ ଛାଡ଼ି ଦେଲେ ରାଜଧାନୀର ଅନ୍ୟ ମାର୍କେଟ୍ ଗୁଡ଼ିକରେ ପରିବା ଦର ଅଧିକ ରହୁଛି । ବର୍ତ୍ତମାନ ଏକ ନମ୍ବର ହାଟରେ ବର୍ଷା ଋତୁ ତଥା ଅନ୍ୟାନ୍ୟ ଅସୁବିଧା ପାଇଁ ଏବଂ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଦିନ୍ତ, ଚାରିଗୋଟି ପରିବାକୁ ଛାଡ଼ି ଦେଲେ ବାକି ସବୁ ପରିବା ୭୦/୮୦ ଟଙ୍କା ଉପରେ ରହିଛି । ପରିବା ଚାହିଦା ଯୋଗାଣ ଏବଂ ଟ୍ରକ୍  ଗୁଡ଼ିକର ଚଳାଚଳ ଆଦିକୁ ବିଶ୍ଳେଷଣ କରିଲେ ଏକ ନମ୍ବର ହାଟରେ ସ୍ଥାନର ଅଭାବ ରହୁଛି । ତେବେ ବାହାର ରାଜ୍ୟରୁ ଟମାଟୋ, ବନ୍ଧାକୋବି, ଫୁଲକୋବି, ବିନ୍ସ, କ୍ୟାପ୍ସିକମ୍, କଖାରୁ, କାଙ୍କଡ଼, ଗାଜର, କଞ୍ଚା ଲଙ୍କା ଆଦି କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ର, ଝାରଖଣ୍ଡ ଆଦି ରାଜ୍ୟରୁ ଆସୁଛି । ଆମ ରାଜ୍ୟର ଚାଷୀମାନେ ବାଣିଜି୍ୟକ ଭିତ୍ତିରେ ଉତ୍ପାଦନ କରିବା ପାଇଁ ଏ ପର୍ଯ୍ୟ" ସମର୍ଥ ହୋଇ ପାରିନାହଁନ୍ତି । କେବଳ ଜହ୍ନି, ଭେଣ୍ଡି, କାକୁଡ଼ି, ପୋଟଳ, କିଛି ପରିମାଣର କଖାରୁ, ଅମୃତଭଣ୍ଡା ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ରାଜଧାନୀ ନିକଟବର୍ତ୍ତୀ ଅଞ୍ଚଳରୁ ଆସୁଛି । ଭବିଷ୍ୟତରେ ରାଜଧାନୀର ପରିବା ଚାହିଦାକୁ ବିଶ୍ଳେଷଣ କରିଲେ ଏକ ସଙ୍କଟଜନକ ପରିସ୍ଥିତି ଆଖି ଆଗରେ ଥିବା ସ୍ପଷ୍ଟ ହୋଇଯାଉଛି । ବିଭିନ୍ନ ଜିଲ୍ଲାରେ ପରିବା ଚାଷ କ୍ଷେତ୍ରରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଏବଂ ପରିବା ଚାଷକୁ ଚାଷୀମାନେ ଅଗ୍ରାଧିକାର ଦେବା ଆଦି କାର୍ଯ୍ୟକ୍ରମ କୃଷି ବିଭାଗ ପକ୍ଷରୁ କରାନଗଲେ ଆସନ୍ତା ୫ରୁ ୭ ବର୍ଷ ଭିତରେ ରାଜଧାନୀରେ ପରିବା ଦର ବହୁଗୁଣ ବଢ଼ିଯିବ ଏବଂ ଆମିଷ ଥାଳି ଅପେକ୍ଷା ପନିପରିବା ଥାଳି ଅଧିକ ଦାମ୍ ହୋଇଯିବ ।