ଶ୍ରୀଜୀଉଙ୍କ ଖଳିଲାଗି ନୀତି ସମ୍ପନ୍ନ

 ପୁରୀ : ଆଷାଢ କୃଷ୍ଣ ତ୍ରୟୋଦଶୀ ତିଥିରେ ସ୍ନାନ ପୂର୍ଣ୍ଣମୀ ପରଠାରୁ ଜ୍ୱରାକ୍ରାନ୍ତ ହୋଇ ଅଣସରରେ ଥିବା ଦାରୁ ଦେବତାମାନଙ୍କୁ ଖଳିଲାଗି କରାଯାଇଛି । ଫୁଲୁରୀ ତେଲ ଲାଗି ଓ ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଥିବା ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଓତା ପାଇଁ ଶୁଦ୍ଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରକୁୁ ଖଳି ବିଜେ କରାଯାଇଥିଲା । ବିଜେ କାହାଳୀ ଓ ଘଣ୍ଟଧ୍ୱନି ମଧ୍ୟରେ ଶୁଦ୍ଧ ସୁଆରମାନେ ରୂପା ପିଙ୍ଗଣରେ ଖଳି ରଖି ଶ୍ରୀମନ୍ଦିରକୁ ନେଇଥିଲେ ।ଏହି ପଟୁଆରରେ ସାମିଲ ହୋଇଥିଲେ ଛତାର ଓ ପୋଲାର । ଦ୍ୱାଦଶୀ ରାତିରେ ଶୁଦ୍ଧ ସୁଆରଙ୍କ ଘରେ ଶ୍ରୀମୁଖ ଓତା ପାଇଁ ଖଳି ହାଣ୍ଡି ଅଧିବାସ ପୂଜା କରାଯାଇଥିଲା । ଖଳିରେ ମିଶାଯାଇଥିଲା କର୍ପୂର, କସ୍ତୁରୀ ଓ ଚନ୍ଦନ । ତ୍ରୟୋଦଶୀ ତିଥିରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ମଧ୍ୟ ସଂପନ୍ନ ହୋଇଛି । ଅଣସରରେ ଥିବା ଦାରୁଦେବତାମାନଙ୍କୁ ଖଳି ଲାଗି କରାଯିବା ସଂପର୍କରେ ସ୍କନ୍ଦ ପୁରାଣ, ନୀଳାଦ୍ରି ମହୋଦୟ ଓ ଦେଉଳ ତୋଳା ଆଦି ପ୍ରାଚୀନ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି ।