ଷ୍ଟ୍ର-ବେରୀ ଚାଷ କରି ଉଦାହରଣ ସୃଷ୍ଟି କଲେ ସୁରେନ୍ଦ୍ର
ବ୍ୟାସନଗର : କୋରେଇ ବ୍ଲକ ଧନେଶ୍ୱର ପଞ୍ଚାୟତ ୨୦ନଂ ଜାତୀୟ ରାଜପଥ କଡ଼ ଏକ ଫାର୍ମ ହାଉସରେ ମୂଲ୍ୟବାନ କୋଳି ଷ୍ଟ୍ର-ବେରୀ ଚାଷ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୁରେନ୍ଦ୍ର କୁମାର ସାହୁ । ସରକାରୀ ସହାୟତା ନମିଳିଲେ ମଧ୍ୟରେ ନିଜ ଉଦ୍ୟମରେ ସାଢେ ୩ ଏକର ଜମିକୁ ଲିଜ୍ରେ ନେଇ ଷ୍ଟ୍ର-ବେରୀ ସହ ବିଭିନ୍ନ ପ୍ରଜାତିର ଫୁଲ, ପନିପରିବା ଚାଷ କରି ନିଜକୁ ଆତ୍ମ ନିର୍ଭରଶୀଳ କରିବା ସହ କିଛି ବେକାର ଯୁବକ/ଯୁବତୀଙ୍କୁ ଆତ୍ମନିଯୁକ୍ତି ଦେଇପାରିଛନ୍ତି । ପୂର୍ବରୁ ସୁରେନ୍ଦ୍ର ଫଳ, ଫୁଲ, ଚାରା ଚାଷ କରିଆସୁଥିବା ବେଳେ, ଚଳିତବର୍ଷ କିନ୍ତୁ ଷ୍ଟ୍ର-ବେରି ଚାଷ କରିବାର ମନ ବଳାଇଥିଲେ । ୟୁ-ଟୁ୍ୟବରୁ ଷ୍ଟ୍ର-ବେରୀ ଚାଷ ଦେଖି ଶିକ୍ଷା ଲାଭ କରିବା ପରେ ଉକ୍ତ ଚାଷ କରିବାକୁ ମନସ୍ତ କରି ସରକାରୀ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ ଯୋଗା ଯୋଗ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ସେ ୧୦ ହଜାର ଷ୍ଟ୍ର-ବେରୀ ଚାରା ଆଣି ନିଜର ଫାର୍ମ ହାଉସ୍ରେ ରୋପଣ କରିଥିଲେ । ଆଣିଥିବା ୧୦ହଜାର ଚାରା ମଧ୍ୟରୁ ୮ହଜାର ଚାରା ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ଚାରା ଲାଗିବାର ୪୫ଦିନ ପରେ ଫଳ ଆସିବା ଆରମ୍ଭ କରିଥିଲା । ଦିନେ ଛାଡ଼ି ଦିନେ ୧୦/୧୫ କିଲୋ ଷ୍ଟ୍ର-ବେରୀ କୋଳି ତୋଳି ତାହାକୁ ବଜାରରେ ବିକ୍ରି କରୁଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ହଜାର ଟଙ୍କା ହେବ ବୋଲି ଚାଷୀ ସୁରେନ୍ଦ୍ର କୁହନ୍ତି । ଅମଳ ଫଳକୁ ସୁରେନ୍ଦ୍ର ନିଜ ଫାର୍ମରେ କିଛିଟା ବିକ୍ରି କରିଥାନ୍ତି ଆଉ ଅବଶିଷ୍ଟ ବ୍ୟାସନଗର ପୌରାଞ୍ଚଳରେ ଥିବା ରିଲାଏନ୍ସ ଷ୍ଟୋରରେ ବିକ୍ରି କରିଥାନ୍ତି । ଆଗାମି ଦିନରେ ଏହି ଚାଷକୁ ବ୍ୟାପକ କରିବାକୁ ନିଷ୍ପତି ନେଇଛନ୍ତି । ଷ୍ଟ୍ର-ବେରୀ ଫଳ ରାଜ୍ୟ ବାହାରୁ ଆମଦାନି ହୋଇଥାଏ, ଯାହାକି କ୍ରେତାଙ୍କୁ ଅଧିକ ମୂଲ୍ୟ ଦେଇ କିଣିବାକୁ ପଡ଼ିଥାଏ । ଏବେ ହାତପାହାନ୍ତାରେ ଭିଟାମିନ ଯୁକ୍ତ ଷ୍ଟ୍ର-ବେରୀ ଫଳ ମିଳିପାରୁଥିବାରୁ ଚାହିଦା ମଧ୍ୟ ବଢିବାରେ ଲାଗିଛି । ଷ୍ଟ୍ର-ବେରୀ ଚାଷ କରିବାକୁ କେହି ଆଗ୍ରହ ପ୍ରକାଶ କରୁନଥିବା ବେଳେ, ସୁରେନ୍ଦ୍ର ପରୀକ୍ଷା ମୂଳକ ଭାବେ ଏହି ଚାଷ କରି ପରିବାର ପ୍ରତିପୋଷିତ କରୁଥିବା ବେଳେ ବେକାର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ଦେଇପାରିଛନ୍ତି । ଯାହାକୁ ଦେଖିବାକୁ ଦୈନିକ ଶହଶହ ଲୋକ ସୁରେନ୍ଦ୍ରଙ୍କ ଫାର୍ମରେ ପହଁଚି ଚାଷ ପ୍ରଣାଳିକୁ ଦେଖିବା ସହ ଷ୍ଟ୍ର-ବେରି ଖର୍ଦ୍ଦି କରି ଆଣୁଛନ୍ତି । ତେବେ ବିନା ସରକାରୀ ସହାୟତାରେ ଷ୍ଟ୍ର-ବେରୀ ଚାଷ କରୁଥିବା ସୁରେନ୍ଦ୍ରଙ୍କୁ ସରକାରୀ ସହାୟତା ମିଳିପାରିଲେ, ସେ ଚାଷକୁ ଆହୁରି ବ୍ୟାପକ କରିପାରନ୍ତେ ଏବଂ ଅଧିକ ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ଦେଇପାରନ୍ତେ ବୋଲି କୁହନ୍ତି ।