‘ସକ୍ଷମା’ ବୈଠକ : ସାଙ୍କେତିକ ଭାଷାର ପ୍ରସାର ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ଆୟୋଜିତ ‘ସକ୍ଷମା’ ର ଦ୍ୱିତୀୟ ବୈଠକ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସେମାନଙ୍କ ସହ ଭିନ୍ନକ୍ଷମମାନଙ୍କ ହିତପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା, ଯାଆଁଳା ସ୍ଥିତ କେନ୍ଦ୍ର ସରକାରଙ୍କ ବାକ୍ ଶକ୍ତି ଓ ଭାଷା ଜନିତ ଦୁର୍ବଳତା ପାଇଁ ଥିବା ଅନୁଷ୍ଠାନର ପ୍ରତିନିଧି, ଟାଟା ଷ୍ଟିଲର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଆୟୁକ୍ତଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ରେଡିଓ ଉଡ୍ଡାନ୍ର ପ୍ରତିଷ୍ଠାତା ଡକ୍ଟର ଦାନିସ୍ ମହାଜନ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇ ଦେଶ ବିଦେଶର ଭିନ୍ନକ୍ଷମ ସଂପର୍କିତ ବିଭିନ୍ନ ଘଟଣାବଳୀ ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ସାଙ୍କେତିକ ଭାଷାର ବହୁଳ ପ୍ରସାର ଓ ଶିକ୍ଷାଗତ ଯୋଗ୍ୟତା ହାସଲ ପରେ ସେମାନଙ୍କ ନିଯୁକ୍ତି, ପ୍ରତ୍ୟେକ ସରକାରୀ/ବେସରକାରୀ କାର୍ଯ୍ୟସ୍ଥଳୀକୁ ସୁଗମ ପ୍ରବେଶ, ଭିନ୍ନକ୍ଷମମାନଙ୍କର ସହଜ ଆବେଦନ ଶୁଣାଣି ପ୍ରକ୍ରିୟା, ସରକାରୀ ସ୍ତରରେ ପ୍ରତ୍ୟେକ ୱେବସାଇଟକୁ ଭିନ୍ନକ୍ଷମମାନଙ୍କ ଦ୍ୱାରା ବ୍ୟବହାର ଉପଯୋଗୀ କରିବା ଆଦି ବିଷୟ ଉପରେ ଆଲେଚନା ହୋଇଥିଲା ।