ସନାତନ ଜାଗରଣ ମୋର୍ଚ୍ଚାର ଆଲୋଚନାଚକ୍ର
ପୁରୀ: ସନାତନ ଜାଗରଣ ମୋର୍ଚ୍ଚା ପକ୍ଷରୁ ସୀମାବର୍ତ୍ତୀ ଜିଲ୍ଲାମାନଙ୍କର ଧାର୍ମିକ ଜନସଂଖ୍ୟାର ପରିବର୍ତ୍ତନ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସୀମାବର୍ତ୍ତୀ ଅଞ୍ଚଳମାନଙ୍କର ଜନସଂଖ୍ୟାର ଗଠନ ଓ ଏହାର ଧାର୍ମିକ ବିନ୍ୟାସ ଯେକୌଣସି ଦେଶର ସାମାଜିକ, ରାଜନୈତିକ ଏବଂ ଆର୍ଥିକ ସ୍ଥିରତା ଉପରେ କିଭଳି ପ୍ରଭାବ ପକାଇଥାଏ ସେ ସମ୍ପର୍କରେ ଆଲୋଚକ ନିଜସ୍ୱ ମତ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ରାଜପ୍ରତିମ ମହାପାତ୍ର, ଉପସଭାପତି ବଦ୍ରି ନାରାୟଣ ମହାସୁଆର, ସମ୍ପାଦକ ଶୁଭ୍ରପ୍ରକାଶ ପଣ୍ଡା, କୋଷାଧ୍ୟକ୍ଷ ଗଣେଶ ମହାପାତ୍ର ପ୍ରମୁଖ ଆଲୋଚକ ଭାବେ ଯୋଗଦାନ କରି କହିଥିଲେ ଯେ ଅନେକ ସମୟରେ ସୀମାବର୍ତ୍ତୀ ଅଞ୍ଚଳମାନେ ବିଭିନ୍ନ ସାମାଜିକ,ଧାର୍ମିକ ଓ ଆର୍ଥିକ ଚାପର ଶିକାର ହୋଇଥାନ୍ତି । ଫଳରେ ଜନସଂଖ୍ୟା ଗଠନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଅନ୍ୟ ଧର୍ମର ଲୋକମାନଙ୍କ ଆଗମନ ସ୍ଥାନୀୟ ଅଧିବାସୀମାନଙ୍କ ଉପରେ ପ୍ରଭାବ ପକାଇଥାଏ । ନୂତନ ଜନସଂଖ୍ୟା ବିନ୍ୟାସ ଦ୍ୱାରା ଅର୍ଥନୀତି ଉପରେ ପ୍ରଭାବ ପଡ଼ିଥାଏ । ଅସମତା ଓ ମତ ଭେଦ ଦ୍ୱାରା ସଂପ୍ରଦାୟଗତ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଥାଏ । ଅନ୍ୟ ଦେଶର ଲୋକଙ୍କ ଆଗମନ ଯୋଗୁଁ ଅପରାଧମୂଳକ କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ । ସୀମାବର୍ତ୍ତୀ ଅଞ୍ଚଳରେ ଧାର୍ମିକ ଜନସଂଖ୍ୟାର ପରିବର୍ତ୍ତନ ଏବଂ ଏହାର ଜାତୀୟ ସୁରକ୍ଷା ଉପରେ ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଏକାନ୍ତ ଆବଶ୍ୟକ ।