ଅବଦୁଲ୍‌ କଲାମ୍‌ ଓ ଓଡ଼ିଶା

ଅବଦୁଲ୍‌ କଲାମ୍‌ ଓ ଓଡ଼ିଶା

ଡ.ସୁରେଶ କୁମାର ନାୟକ : କିଏ ତାଙ୍କୁ କହୁଥିଲା ଅଗ୍ନି ପୁରୁଷ, କିଏ କହୁଥିଲା ପୃଥ୍ୱୀର ପାର୍ଥ। ଆକାଶ ଥିଲା ତାଙ୍କ ହାତ ପାଆନ୍ତାରେ । ତାଙ୍କ ମସ୍ତିଷ୍କ ଥିଲା ବୈଜ୍ଞାନିକର, ମନ ଥିଲା ଦାର୍ଶନିକର, ହୃଦୟ ଏକ ଚଞ୍ଚଳ ବାଳକର । ପିଲାଦିନେ ସମୁଦ୍ର କୂଳରେ ବସି ସେ ସ୍ୱପ୍ନ ଦେଖିଥିଲେ ଆକାଶର । କିନ୍ତୁ ତାଙ୍କ କାର୍ଯ୍ୟ ଦକ୍ଷତା ଓ କର୍ମବୀରତା ତାଙ୍କୁ ପହଞ୍ଚାଇ ପାରିଥିଲା ଅନ୍ତରୀକ୍ଷର ଅଭ୍ୟନ୍ତରରେ । ପରମାଣୁ ବୋମା ଭିତରେ ବି ସେ ଦେଖୁଥିଲେ ଶାନ୍ତି ଓ ସବୁଜିମାର ସ୍ୱପ୍ନ । ଆଜି ମହାନ ପରମାଣୁ ବିଜ୍ଞାନୀ ପୃଥିବୀ ବିଖ୍ୟାତ ଦାର୍ଶନିକ ଓ ଭାରତର ରତ୍ନ କୁହାଯାଉଥିବା ସ୍ୱର୍ଗତଃ ଡକ୍ଟର ଏ.ପି.ଜେ. ଅବଦୁଲ୍ଲ କଲାମଙ୍କ ଜନ୍ମଦିନ । ଡକ୍ଟର କଲାମଙ୍କ ଓଡ଼ିଶା ସହିତ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ । ତାମିଲନାଡୁରେ ସେ ଜନ୍ମ ହୋଇଥିଲେ ବି ତାଙ୍କର ଅନ୍ୟତମ କର୍ମଭୂମି ଥିଲା ଓଡ଼ିଶା । ଡିଆରଡିଓ ବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନରେ ଜଣେ ଆଗ ଧାଡ଼ିର ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବାବେଳେ ଦୁଇ ଦଶନ୍ଧି ଧରି ଏହି ଅନୁଷ୍ଠାନ ସହିତ ତାଙ୍କର ସମ୍ପର୍କ ରହିଥିଲା । ୧୯୮୯ରେ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌) ପ୍ରତିଷ୍ଠା ହେବା ପରଠାରୁ ଅଗ୍ନି, ନାଗ ଓ ବ୍ରହ୍ମୋସ୍‌ ଭଳି ସ୍ୱଦେଶୀ କ୍ଷେପଣାସ୍ତ୍ର ଗବେଷଣା ଓ ପରୀକ୍ଷଣ କାର୍ଯ୍ୟରେ ସେ ବାରମ୍ବାର ଏହି ସ୍ଥାନକୁ ଆସିଛନ୍ତି । ତେବେ ହ୍ୱିଲର ଦ୍ୱୀପରେ କ୍ଷେଣାସ୍ତ୍ର ପରୀକ୍ଷାବେଳେ ବିରଳ ଓ ଲୁପ୍ତପ୍ରାୟ ଅଲିଭ୍‌ ରିଡଲେ କଇଁଛଙ୍କ ଏହି ଅନ୍ତୁଡିଶାଳ ଆଇଟିଆର୍‌ର ଉଜ୍ଜ୍ୱଳ ଆଲୋକ ଯୋଗୁଁ ବିପଦରେ ପଡ଼ିଯାଇଥିବା ଏହି କଇଁଛଙ୍କ ପାଇଁ ସେ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାହା ପରବର୍ତ୍ତୀ ସମୟରେ ସେହିପରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବନୀକରଣ ପାଇଁ ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ଚାନ୍ଦିପୁର ଆସିଥିବା ତକ୍ରାଳୀନ ପ୍ରତିରକ୍ଷାମନ୍ତ୍ରୀ କେ.ସି.ପନ୍ଥଙ୍କୁ ପ୍ରସ୍ତାବ ଦେଇ ତାହା କାର୍ଯ୍ୟକାରୀ କରାଇଥିଲେ । ସେହିପରି ଚାନ୍ଦିପୁରରେ ଏକ ପକ୍ଷୀବିହାର "ନିସର୍ଗ' ସୃଷ୍ଟି କରିବାରେ ସେ ଥିଲେ ଅନ୍ୟତମ ବିନ୍ଧାଣି । ସେ ରାଷ୍ଟ୍ରପତି ଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଜଣ ଏଡ଼୍‌ସ ଆକ୍ରାନ୍ତ ପିଲାଙ୍କ ପୋଷ୍ଟକାଡର଼୍ ଚିଠି ପାଇ ସେମାନଙ୍କୁ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ "ଆଇ ଆମ୍‌ କଲାମ୍‌' ଦେଖିଲା ପରେ ସେ ଧନ୍ୟବାଦ ଜଣାଇଥିଲେ । 

୨୦୦୮ ମେ ୧୧ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ପିଲାମାନଙ୍କୁ ନିଜ ଜୀବନ ରାଷ୍ଟ୍ରପତି ସମର୍ପିତ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସେହିପରି ୨୦୧୧ ଜାନୁଆରୀ ୫ରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ୨୦୦୫ ନଭେମ୍ବର ୧୯ରେ ଚାନ୍ଦିପୁର ପକ୍ଷୀ ବିହାର ଉଦ୍‌ଘାଟନ, ୨୦୧୪ ନଭେମ୍ବର ୨୯ରେ ସମ୍ବଲପୁରସ୍ଥିତ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ୧୫୦ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ । ୨୦୧୫ ମାର୍ଚ୍ଚ ୨ ତାରିଖରେ ରାଜଗାଙ୍ଗପୁର ଡାଲମିଆଁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କ ସହ ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲେ, ୨୦୧୨ ଜାନୁଆରୀ ୫ ତାରିଖରେ ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟରେ ଦୀକ୍ଷାନ୍ତ ଭାଷଣ ଦେବା ସହ ୨୦୧୨ ଜାନୁଆରୀ ୪ରେ ଭୁବନେଶ୍ୱରସ୍ଥିତ କିସ୍‌ ଅନୁଷ୍ଠାନର ପିଲାଙ୍କ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟନ କରିଥିଲେ । ୨୦୦୫ ଡିସେମ୍ବର ମାସରେ ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ସେ ରାଷ୍ଟ୍ରପତି ପରି ଗୁରୁଦାୟିତ୍ୱ ନିର୍ବାହ କରୁଥିବାବେଳେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସତ୍ତେ୍ୱ ସେ ଶିକ୍ଷାନୁଷ୍ଠାନ ଓ ପିଲାଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ୱତଃ ଆଗ୍ରହ ରଖିଥିଲେ । ରାଷ୍ଟ୍ରପତି ଦାୟିତ୍ୱ ପରବର୍ତ୍ତୀ ସମୟରେ ମଧ୍ୟ ସେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ କେବଳ ପିଲାମାନେ ନୁହଁନ୍ତି ଲୋକମାନଙ୍କ ସହ ସେମାନଙ୍କ ସୁଖଦୁଃଖରେ ସାମିଲ ହେବାପାଇଁ ଶ୍ରଦ୍ଧା ରଖୁଥିଲେ । ଦେଶକୁ ଦୁର୍ନୀତି ମୁକ୍ତ ଓ ଉତ୍ତମ ନାଗରିକଙ୍କ ଦେଶ ଭାବେ ଗଢ଼ି ତୋଳିବା ପାଇଁ ତିନିଜଣଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଅନୁଭବ କରୁଥିଲେ । ତାଙ୍କ ମତରେ ସେ ତିନିଜଣ ଥିଲେ ବାପା, ମାଆ ଓ ଶିକ୍ଷକ । ସେ ଥିଲେ ବହୁ ସ୍ୱପ୍ନର ନାୟକ । ମାଟିରୁ ମହାକାଶ ପର୍ଯ୍ୟନ୍ତ ତାଙ୍କ ସ୍ୱପ୍ନ ଥିଲା ପରିବ୍ୟାପ୍ତ । ୧୯୮୧ରେ ସେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣ ଓ ୧୯୯୭ରେ ସେ ଭାରତ ରତ୍ନ ପାଇଥିଲେ । ୧୯୩୧, ୧୫ ଅକ୍ଟୋବରରେ ଜନ୍ମ ଗ୍ରହଣ କରିଥିବା କଲାମ୍‌ଙ୍କ ସ୍ମୃତି ଓଡିଶା ପାଇଁ ଚିରସ୍ମରଣୀୟ । ବିଶେଷକରି ବିଦ୍ୟାର୍ଥୀ ମାନଙ୍କୁ ସେ ଯେଉଁ ସ୍ମରଣୀୟ ଜୀବନର ସ୍ୱପ୍ନ ଦେଖାଇଯାଇଛନ୍ତି  ।
କଟକ