ସନେ୍ଦହ ବଳୟରେ ‘ପାଣ୍ଡିଆନ୍’: କ’ଣ ରହିଛି ମସୁଧା? ସେବା ନା ହାଇଜାକ୍

ଭୁବନେଶ୍ୱର: ୨୦୧୯ ପରେପରେ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ ସନେ୍ଦହ ବଳୟ ଭିତରେ ହିଁ ରହି ଆସିଛନ୍ତି । ବୈଜୟନ୍ତ ପଣ୍ଡା ଯେଉଁ ପ୍ରସଙ୍ଗ ଉଠାଇଥିଲେ ଏବେ ସେହି ପ୍ରସଙ୍ଗ ବିଜେଡ଼ିର ବରିଷ୍ଠ ନେତାମାନେ ଉଠାଇବା ଆରମ୍ଭ କଲେଣି । ଯାହାକୁ ନେଇ ଭିକେ ପାଣ୍ଡିଆନ୍ ବି ବେଶ୍ ବିବ୍ରତ । ଆସ୍ଥା ଭାଜନ ହେବାକୁ ସେ ନୀରବ ସାଧନା କରୁଥିଲେବି ତାହାର ପ୍ରଭାବ କିନ୍ତୁ ଦଳର ନେତା କିମ୍ବା କର୍ମୀଙ୍କ ଉପରେ ପଡ଼ିପାରୁନାହିଁ । ସେପଟେ ବିଜେଡ଼ି କର୍ମୀ ଓ ନେତାଙ୍କ ମନରେ ପ୍ରଶ୍ନ ? ପାଣ୍ଡିଆନଙ୍କ ମସୁଧା କ’ଣ ? ସେ ନବୀନ ବାବୁଙ୍କର କେବଳ ସେବା କରୁଛନ୍ତି ନା ଓର ଉଣ୍ଡି ଦଳକୁ ହାଇଜାକ୍ କରିବାର ଯୋଜନା କରୁଛନ୍ତି ? ଲକ୍ଷ ଲକ୍ଷ ବିଜେଡ଼ି କର୍ମୀଙ୍କ ମନରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ ଏବେ ପାଣ୍ଡିଆନଙ୍କ ପାଇଁ ଅଡୁଆ ଜାଲ୍ ସୃଷ୍ଟି କରିଛି କହିଲେ ଭୁଲ୍ ହେବନାହିଁ ।
ନବୀନ ନିବାସରେ ଏବେ ନବୀନ ପଟ୍ଟନାୟକଙ୍କ ସହ ରହୁଛନ୍ତି ଭିକେ ପାଣ୍ଡିଆନ୍ ଓ ସୁଜାତା କାର୍ତ୍ତିକେୟନ । ସମ୍ପ୍ରତି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ନବୀନ ବାବୁ ଗତି କରୁଛନ୍ତି । କରୋନା ସମୟରୁ ନବୀନ ଆଉ ଆଗଭଳି ଫିଟ୍ କି ଫାଇନ୍ ବି ନାହାନ୍ତି । ଚବିଶ ନିର୍ବାଚନରେ ତାହାର ପ୍ରମାଣ ସାରା ଓଡ଼ିଶା ଦେଖିଛି । ପାଣ୍ଡିଆନ୍ ଯେତେ ଫନ୍ଦିଫିକର କରି ନବୀନଙ୍କ ଫିଟନେସ ଭିଡ଼ିଓ ଭାଇରାଲ୍ କଲେବି ନବୀନ ଫିଟ୍ ଥିବା କେହିବି ମନେ କରୁନାହାନ୍ତି । ବିଶେଷକରି ପ୍ରଥମେ ପାଣ୍ଡିଆନ୍ ଓ ପରେପରେ ସୁଜାତା ଚାକିରୀରୁ ଅବସର ନେବା ପରେ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ଆଇଏଏସ ଚାକିରୀ ଛାଡ଼ିବା ପଛର ଉଦେ୍ଦଶ୍ୟ କ’ଣ କେହିବି ଠଉରାଇ ପାରୁନାହାନ୍ତି ।
ଅତୀତରେ ଯେଉଁସବୁ ଆଇଏଏସ ଅଫିସର ଚାକିରୀ ଛାଡ଼ି କି ଅବସର ପରେ ରାଜନୀତିକୁ ଆସିଛନ୍ତି ସମସ୍ତଙ୍କର ବହୁତ ମହତ୍ୱାକାଂକ୍ଷା ରହିଛି । ଉଦାହରଣ ଭାବେ ଆମେ କଂଗ୍ରେସକୁ ଆସିଥିବା ବିଜୟ ପଟ୍ଟନାୟକ କିମ୍ବା ବିଜେପିରେ ଥିବା ଅପରାଜିତା ଷଡ଼ଙ୍ଗୀଙ୍କ କଥା ବିଚାରକୁ ନେଇପାରିବା । ଜଣେ କିଛିଦିନ ପାଇଁ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଥିବାବେଳେ ଆଉ ଜଣେ ୨୦୧୯ରୁ ଚବିଶ ପର୍ଯ୍ୟନ୍ତ ନିଜକୁ ଭାବି ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରିଥିଲେ । ପାଣ୍ଡିଆନ୍ ବି ଚବିଶ ନିର୍ବାଚନ ବେଳେ ନିଜକୁ ସିଧାସଳଖ ଭାବେ ନକହିଲେ ବି ପରୋକ୍ଷରେ ଏଭଳି ସଂକେତ ଦେଇଥିଲେ । ତେବେ ବିଜେପି ତାଙ୍କୁ ନେଇ ଅସ୍ମିତା ପ୍ରସଙ୍ଗ ଉଠାଇବାରୁ ସେ ପ୍ଳାନ-ବି ଆରମ୍ଭ କରିଛନ୍ତି । ସୁଜାତା ଓଡ଼ିଶାର ହୋଇଥିବାରୁ ତାଙ୍କୁ ହିଁ ସେ ଆଗକୁ ଛାଡ଼ିବାକୁ ଯୋଜନା କରିଛନ୍ତି ।