ସଫିପୁର ବିଦ୍ୟାଳୟ ମରାମତି ଦାବି
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୨ ମସିହାରୁ ସ୍ଥାପିତ ହୋଇଛି । ଗ୍ରାମାଞ୍ଚଳରେ ଛୋଟ ଛୋଟ ପିଲାମାନେ ଶିକ୍ଷାଦାନ ପାଇଁ ସରକାରଙ୍କର ଉଦ୍ୟମ ଥିବାବେଳେ ବିଭାଗୀୟ କର୍ମଚାରୀଙ୍କ ଦୂରଦୃଷ୍ଟିର ଅଭାବ ବା ରାଜନୈତିକ ବ୍ୟକ୍ତିଙ୍କ ହୀନମାନ୍ୟତା ଯୋଗୁଁ ଏହି ସ୍କୁଲକୁ ମରାମତି କରାଯାଉନଥିବାରୁ ବର୍ଷା ଦିନେ ପିଲାମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ଅସରାଏ ବର୍ଷା ହେଲେ ପିଲାମାନେ ବହି ବସ୍ତାନି ଧରି ଘରକୁ ପଳାଇ ଆସନ୍ତି । ସୂଚନାଯୋଗ୍ୟ ଯେ, ୧୯୭୨ ମସିହାରୁ ସ୍ଥାପିତ ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଥିବାବେଳେ ୪୦ ରୁ ୬୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି । ଗୋଟିଏ କକ୍ଷରେ ଅଫିସ କାମ ଚାଲୁଥିବାବେଳେ ଅନ୍ୟ ଏକ କୋଠରୀରେ ଅଫିସ କାମ କରାଯାଏ । ଗ୍ରାମବାସୀଙ୍କ ପକ୍ଷରୁ ସ୍କୁଲର ମରାମତି ପାଇଁ ନିଶ୍ଚିନ୍ତକୋଇଲି ଶିକ୍ଷାଧିକାରୀ, ବିଡିଓ, ବିଧାୟକ, ସାଂସଦଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଆଗାମୀ ବର୍ଷାଋତୁ ପୂର୍ବରୁ ଏହି ସ୍କୁଲର ମରାମତି କାମ କରାନଗଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବା ସହ ପିଲାମାନଙ୍କୁ ଅନ୍ୟ ସ୍କୁଲକୁ ନିଆଯିବ ବୋଲି ଅଭିଭାବକମାନେ ଶିକ୍ଷାଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ।