ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ

ଯାଜପୁର ଟାଉନ : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ବଲ୍ୟାଣ ମନ୍ତ୍ରାଳୟ ଅଧିନରେ ଦେଶରେ ପ୍ରାୟ ୬ଲକ୍ଷ ଆଶାକର୍ମୀ ଓ ୫୦ହଜାର ଆଶା ତୃଣମୂଳସ୍ଥର ସ୍ୱାସ୍ଥ୍ୟସେବାରେ ନିୟୋଜିତ ଅଛନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଠିକାକରଣ, ପରିମଳ, ମାତୃ ଓ ଶୁଶୁ ଯତ୍ନ, ଔଷଧ ବିତରଣ ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ସ୍ୱାସ୍ଥ୍ୟ କାର୍ଯ୍ୟ କରୁଥିବାବେଳେ ସେମାନଙ୍କର ସ୍ଥାୟୀ ବେତନ ଓ ଭତା ପ୍ରଦାନ କରାଯାଇନାହିଁ । ଏଥିନେଇ ସୋମବାର ଦିନ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀ ଏକତ୍ରିତ ହୋଇ ୮ଗୋଟି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିରେ ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ, ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ଯେ ପର୍ଯ୍ୟନ୍ତ ଦିଆଯାଇନାହିଁ ସେମାନଙ୍କୁ ମାସିକ ୧୮ହଜାର ଟଙ୍କା ମାସିକ ଭତା ପ୍ରଦାନ କରାଯିବା, ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା, ଅବସର ଗ୍ରହଣ କରିଥିବା ଆଶାକର୍ମୀମାନଙ୍କୁ ୧୦ଲକ୍ଷ ଟ୍‌ଙ୍କା ପ୍ରଦାନ କରାଯାଇ ମାସିକ ୫ହଜାର ଟଙ୍କା ପେନସନ ଦେବା, ଦୁର୍ଘଟଣାଜନୀତି ମୃତ୍ୟୁ ବରଣ କରିଥିବା ଆଶାକର୍ମୀଙ୍କୁ ୧୫ ଲକ୍ଷଟଙ୍କା ପ୍ରଦାନ, ସବୁ ପିଏଚସି ଓ ସିଏଚସିରେ ଆଶା ଗୃହ ନିର୍ମାଣ କରିବା ଓ ସେମାନଙ୍କୁ ଯାତାୟତ ନିମନ୍ତେ ବିନା ସୁଧରେ ସ୍କୁଟି ଯୋଗାଇ ଦେବା ଆଦ ଉଲ୍ଲେଖ ରହିଛି ।